ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ): ନ୍ୟାୟ ପାଇବା ଜନସାଧାରଣଙ୍କ ମୌଳିକ ଅଧିକାର । ଲୋକମାନେ ଯେପରି ସୁବିଧାରେ ନ୍ୟାୟ ପାଇପାରିବେ ସେହି ସାମ୍ବିଧାନିକ ଲକ୍ଷ୍ୟ ହାସଲ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି ବୋଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଜେଏମ୍ଏଫ୍ସି କୋର୍ଟର ନୂତନ କୋଠା ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଭବ୍ୟ କୋର୍ଟ କୋଠାକୁ ଉଚ୍ଚପ୍ରଶଂସା କରିଥିଲେ । ସେ କହିଥିଲେ ଯେ- କରୋନା ମହାମାରୀ ସମୟରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ବିଭିନ୍ନ କେସ୍ ସମାଧାନ କରାଯାଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯାଇଛି । ତେବେ ଲୋକଙ୍କୁ ସମୟ ଅନୁସାରେ ନ୍ୟାୟିକ ବ୍ୟବସ୍ଥାର ସୁବିଧା ପ୍ରଦାନ ପାଇଁ ଆହ୍ୱାନ ଦୃଷ୍ଟିରୁ ବିଚାରପତି ଏବଂ ଆଇନଜୀବୀମାନେ ଠିକ୍ ସମୟରେ ମାମଲା ସମାଧାନ ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ଜଷ୍ଟିସ୍ ରଫିକ୍ । ଡିସେମ୍ବର ୧୪ ସୁଦ୍ଧା ଓଡିଶା ହାଇକୋର୍ଟ ପ୍ରାୟ ୪୦ ହଜାର କେସ୍ର ବିଚାରଣା କରିଥିବା ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ- କରୋନା ସଙ୍କଟ ସତ୍ତେ୍ୱ ନିକଟରେ ସରକାର ବାଣିଜି୍ୟକ ବିବାଦ ସମାଧାନ ପାଇଁ ରାଜ୍ୟରେ ୪ଟି ନୂଆ କୋର୍ଟ ସ୍ଥାପନ କରିଛନ୍ତି । କେବଳ ମହିଳାଙ୍କ ବିରୋଧରେ ଅପରାଧର ବିଚାର ପାଇଁ ନିକଟରେ ୪୫ଟି କୋର୍ଟ ସ୍ଥାପନ କରାଯାଇଛି । ଭିତ୍ତିଭୂମି ବିକାଶ ଜନିତ ନ୍ୟାୟିକ ବ୍ୟବସ୍ଥାର ଆବଶ୍ୟକତା ପୂରଣ ପାଇଁ ହାଇକୋର୍ଟ ସହ ମିଳିତ ଭାବେ ସରକାର ଯଥେଷ୍ଟ ଅନୁଦାନ ଯୋଗାଇଦେବାକୁ କାର୍ଯ୍ୟ କରୁଛନ୍ତି । ଆଇନଜୀବୀଙ୍କ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଓଡିଶା ଆଡ୍ଭୋକେଟ୍ ୱେଲ୍ଫେୟାର୍ ଫଣ୍ଡ୍କୁ ବାର୍ଷିକ ଅନୁଦାନ ୩ କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଇଛି । ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ସରକାର ଏ ସମ୍ପର୍କିତ ନିୟମରେ ମଧ୍ୟ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିସହ ହିଞ୍ଜିଳିର ବିକାଶ ପାଇଁ ମୁଁ ସବୁବେଳେ ଚେଷ୍ଟା କରିଛି ଓ କରିବି ବୋଲି ମଧ୍ୟ ସେ କହିଥିଲେ ।
ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବିଶ୍ୱଜିତ ମହାନ୍ତି, ଓଡ଼ିଶାର ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ବିଭିନ୍ନ ସ୍ଥାନରୁ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ସଂଯୋଜନା କରିଥିଲେ । ହିଞ୍ଜିଳିକାଟୁ ଠାରେ ଆସିକା ଲୋକସଭା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ଜଜ୍ ରାମଶଙ୍କର ହୋତା, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାୟ, ହିଞ୍ଜିଳିକାଟୁ କୋର୍ଟ ବିଚାରପତି ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହି କୋର୍ଟରେ ହିଞ୍ଜିଳିକାଟୁ ଥାନା ଅଞ୍ଚଳର ୫୨ଟି ରାଜସ୍ୱ ଗ୍ରାମର ଦେୱାନୀ ଓ ଫୌଜଦାରୀ ମାମଲା ବିଚାର ହେବ ବୋଲି କହିଥିଲେ ସେ । ଓକିଲ ସଂଘ ସଭାପତି ଦ୍ୱିତୀକୃଷ୍ଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରାୟ ୩ ଏକର ଜମିରେ ୪ କୋଟି ୭ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ହିଞ୍ଜିଳିକାଟୁର ଏହି ୨ ମହଲା କୋର୍ଟ କୋଠା ନିର୍ମିତ ହୋଇଛି । ୨୧ ହଜାର ବର୍ଗଫୁଟ ଜମିରେ ଏହା ବ୍ୟାପ୍ତ । ଓକିଲ ଓ ମହକିଲଙ୍କ ପାଇଁ ଆଧୁନିକ ସୁବିଧା ରହିଛି । ଦୁଇଟି କୋର୍ଟ ହଲ୍, ମାଲଖାନା, ଓକିଲଙ୍କ ବାର୍ ହଲ୍, ସିଏସ୍ଆଇ ଅଫିସ୍, ଲାଇବ୍ରେରୀ, ନିଜାରତ ଷ୍ଟୋର୍ ରୁମ୍, କମ୍ପୁ୍ୟଟର୍ ରୁମ୍, କ୍ୟାଣ୍ଟିନ୍ ଇତ୍ୟାଦି ବ୍ୟବସ୍ଥା ରହିଛି । କୋର୍ଟ ହଲ୍ ସାଙ୍ଗକୁ ବିଭିନ୍ନ କୋଠରୀ ଶୀତତାପ ନିୟନ୍ତ୍ରିତ ରହିଛି । ବିଭିନ୍ନ କୋର୍ଟର ବିଚାରପତି, ଓକିଲ, ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.