ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତଳସାଜା ଓ ଉପରସାଜା ଗ୍ରାମବାସୀ ମିଳିତ ଭାବେ ଆଜି ନିଜ ଉଦ୍ୟମରେ ନାଗାବଳୀ ନଦୀ ଉପରେ ଏକ କାଠପୋଲ ନିର୍ମାଣ କରିଛନ୍ତି । ପ୍ରଶାସନର ସହାୟତାକୁ ନଚାହିଁ ସମ୍ପୂର୍ଣ୍ଣ ଦେଶୀ ଜ୍ଞାନକୌଶଳରେ ପୋଲ ନିର୍ମାଣ କରି ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପୋଲ ନିର୍ମାଣ ହେବା ଫଳରେ ୮ଖଣ୍ଡ ଗାଁର ଶତାଧିକ ଲୋକଙ୍କ ମୁହଁରେ ହସ ଫୁଟିଛି । ଯାତାୟାତ ନିମନ୍ତେ ବହୁଦିନରୁ ଲାଗିରହିଥିବା ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଆଜିଠାରୁ ଏହି ପୋଲ ଦେଇ ବାଇକ ଚଳାଚଳ କରିବା ସହ ଲୋକଙ୍କ ଯାତାୟାତ ଆରମ୍ଭ ହୋଇଛି । ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
କଲ୍ୟାଣସିଂହପୁର ବ୍ଲକ ନାଗାବଳୀ ନଦୀ ଅପରପାଶ୍ୱର୍ରେ ଅନେକ ଗାଁ ରହିଛି । ସବୁବେଳେ ଏହି ନଦୀରେ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନରେ ଅସୁବିଧା ହେଉଥିଲା । ଗୋଟିଏ ପଟେ ନଦୀ ଓ ଅନ୍ୟପଟେ ରହିଛି ପାହାଡ । ଏଭଳି ସ୍ଥିତିରେ ମଝି ଅଞ୍ଚଳରେ ବର୍ଷ ବର୍ଷ ଧରି ପେଷି ହେଉଛନ୍ତି ୮ ଖଣ୍ଡ ଗାଁର ଲୋକମାନେ । ଶିକରପାଇ ପଞ୍ଚାୟତର ତଳସାଜା ଓ ଉପରସାଜା, ପୋଲମା ପଞ୍ଚାୟତର ଏରେଗେଣ୍ଡା, ମାଣ୍ଡିପର ଓ କୁଶବାଟି, ମାଜିଗୁଡ଼ା ପଞ୍ଚାୟତର ନିମାଝୋଲା, କଟଲପାଡ଼ୁ ଓ ରଘୁନାଥପୁର ଗାଁର ବାସିନ୍ଦା ସମସ୍ୟା ଭୋଗୁଛନ୍ତି । ମୁଖ୍ୟତଃ ବର୍ଷା ଦିନେ ଅଧିକ ସମସ୍ୟା ସୃଷ୍ଟି ହେଉଥିଲା । ଗ୍ରୀଷ୍ମ ଓ ଶୀତ ଋତୁରେ ମଧ୍ୟ ସମସ୍ୟା ଲାଗିରହୁଥିଲା । ରୋଗୀଙ୍କୁ ଗାଁରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ସମୟର ଅବସ୍ଥା ଯିଏ ଦେଖିଛି ସେ ହୃଦବୋଧ କରିପାରିବ । ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜ ଯିବା ସମୟରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୀବନ ଜୀବିକା ପାଇଁ ଗ୍ରାମବାସୀ ଶିକରପାଇ, ମାଝିଗୁଡ଼ା, କଲ୍ୟାଣସିଂହପୁର ଓ ଜେକେପୁରକୁ ଆସିଥାଆନ୍ତି । ହେଲେ ନାଗାବଳୀ ନଦୀର ପାଣି ଏଥିରେ ବାଧକ ସାଜିଥାଏ । ନଦୀ ଯୋଗୁ ଗ୍ରାମବାସୀଙ୍କୁ ବାହାର ଦୁନିଆଠାରୁ ବିଚ୍ଛିନ୍ନ ହୋଇ ରହିବାକୁ ପଡୁଥିଲା । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଇ ନଥିବା ଗ୍ରାମବାସୀ କହିଛନ୍ତି । ଶେଷରେ ପ୍ରଶାସନ ଓ ସରକାରୀ କଳକୁ ଆଉ ନଚାହିଁ ନିଜସ୍ୱ ଉଦ୍ୟମରେ ପୋଲ ନିର୍ମାଣ କରିବାକୁ ସପ୍ତାହ ପୂର୍ବେ ସମସ୍ତ ଗ୍ରାମବାସୀ ଏକାଠି ହୋଇଥିଲେ । ରାସ୍ତା ନିର୍ମାଣ ପାଇଁ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ । ନିଷ୍ପତ୍ତି ପ୍ରକାରେ ଗାଁର ଯୁବକମାନେ ନିଜସ୍ୱ ଉଦ୍ୟମରେ ପୋଲ ନିର୍ମାଣ କରିବା ନିମନ୍ତେ ଆଗକୁ ଆସିଥିଲେ । ଘଞ୍ଚ ଜଙ୍ଗଲଘେରା ଅଞ୍ଚଳରୁ କାଠ ବାଉଁଶ ସଂଗ୍ରହ କରି ଆଜି ଗୋଟିଏ ଦିନରେ ନଦୀ ଉପରେ ଏକ କାଠପୋଲ ନିର୍ମାଣ କରିଛନ୍ତି । କେବଳ ପୋଲ ନିର୍ମାଣ କରି ନାହାନ୍ତି, ନିଜେ ନିଜ ଶିଂଗରେ ମାଟି ତାଡ଼ିପାରିନ୍ତି ବୋଲି କହିଛନ୍ତି ।
ଗତ ୭ ଦିନ ମଧ୍ୟରେ ସଂଗୃହୀତ କାଠ ବାଉଁଶକୁ ଯୁବକମାନେ ବୋହିଆଣି ନଦୀ ପାଖରେ ଏକତ୍ରିତ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପୋଲ ନିର୍ମାଣ କାର୍ଯ୍ୟ । ଯୁବକମାନେ ମିଳିତ ଭାବେ କାଠ ବୋହିବା ସହ ସେଥିରେ ଆବଶ୍ୟକ ସାମଗ୍ରୀ ଯୋଡ଼ି ପୋଲ ନିର୍ମାଣ କରିଥିଲେ । ନିର୍ମାଣ ପରେ ଏହାର ଉଦ୍ଘାଟନ ମଧ୍ୟ ନିଜେ କରିଥିଲେ । ଏହି ପୋଲ ନିର୍ମାଣ ଦ୍ୱାରା ଅନେକ ଦିନର ସମସ୍ୟା ସମାଧାନ ହୋଇଛି ବୋଲି ୱାଡର଼୍ସଭ୍ୟ ସଦାରାମ ମିଣିଆକା ପ୍ରକାଶ କରିଛନ୍ତି । ଯଦି ସରକାର ଚାହିଁବେ ତେବେ ଗୋଟିଏ ସ୍ଥାୟୀ ପୋଲ ଏଠାରେ ନିର୍ମାଣ କରିବାକୁ ଆଗଭର ହୁଅନ୍ତୁ ବୋଲି ନିଜ ପ୍ରତିକ୍ରିୟାରେ ଗ୍ରାମବାସୀମାନେ କହିଛନ୍ତି । ହେଲେ ପ୍ରଶାସନ ପାଖକୁ ଆଉ ନିବେଦନ କରିବା ପାଇଁ ସେମାନେ ଯିବେ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ।
Comments are closed, but trackbacks and pingbacks are open.