କୋରାପୁଟ,(ବି.ବି.ନୁ୍ୟଜ୍): ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ଆଜି ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ନାଚିକାଙ୍କ ଓକିଲ ଗୁପ୍ତପ୍ରସାଦ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନାଚିକାଙ୍କ ଉପରେ ମୋଟ ୪୫ଟି ମାମଲା ରହିଥିଲା । ପୂର୍ବରୁ ୪୪ଟି ମାମଲାରେ ସେ ନିଦେ୍ର୍ଧାଷ ସାବ୍ୟସ୍ତ ହୋଇଥିଲେ । କିନ୍ତୁ ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ୨୦୧୪ରୁ କୋରାପୁଟ ଜେଲ୍ରେ ରହଛନ୍ତି । ହାଇକୋର୍ଟଙ୍କ ରାୟ ଜେଲ୍ରେ ପହଞ୍ଚିବା ପରେ ଖଲାସ ଦିଗରେ ପଦକ୍ଷେପ ନିଆଯିବ ।
ସୂଚନାଥାଉକି, ନାରାୟଣପାଟଣା ଅଞ୍ଚଳରେ ଗୋତିମୁକ୍ତି, ମଦମୁକ୍ତି ଓ ଜମିମୁକ୍ତି ପାଇଁ ୧୯୯୮ ମସିହାରେ କଣ୍ଡାଗିରି ପାଇଡମାଙ୍କ ନେତୃତ୍ୱରେ ବନ୍ଧୁଗାଁ ଚାଷୀମୂଲିଆ ଆଦିବାସୀ ସଂଘରେ ଯୋଗ ଦେଇଥିଲେ ନାଚିକା । ପରେ ସେ ପୋଡ଼ାପଦର ନାଏବ ସରପଞ୍ଚ ରହିବା ସହିତ ନାରାୟଣପାଟଣା ଅଞ୍ଚଳରେ ଚାଷୀମୂଲିଆ ଆଦିବାସୀ ସଂଘର ନେତୃତ୍ୱ ନେଇଥିଲେ । ୨୦୦୫ରେ ଠିକାଦାରମାନଙ୍କ ଦ୍ୱାରା ଦାଏର କରାଯାଇଥିବା ଏକ କେସ୍ରେ ପ୍ରଥମେ ଜେଲ ଯାଇଥିଲେ । ୨୦୦୬ରେ ଜେଲ୍ରୁ ମୁକୁଳିବା ପରେ ନାଚିକା ନାରାୟଣପାଟଣା ଅଞ୍ଚଳରେ ସଂଘର ଆନେ୍ଦାଳନକୁ ଆଗକୁ ବଢ଼ାଇ ମଦ ବିରୋଧରେ ସ୍ୱର ଉଠାଇଥିଲେ । ମଦ ରାନ୍ଧିବା, ମଦ ପିଇବା ଓ ବିକ୍ରି କରିବା ଉପରେ କଟକଣା ଲଗାଇଥିଲେ । ପରେ ଗୋତିମୁକ୍ତି ଓ ଜମିମୁକ୍ତି ଆନେ୍ଦାଳନକୁ ଜୋରଦାର କରିଥିଲେ ।
୨୦୦୮ ମସିହାରେ ସଂଘର ଆନେ୍ଦାଳନ ହିଂସାତ୍ମକ ମୋଡ଼ ନେଇଥିଲା । ସଂଘର ସଦସ୍ୟମାନେ କେତେକ ଅଣଆଦିବାସୀଙ୍କ ଘର ଭଙ୍ଗାରୁଜା କରିଥିଲେ । ଆଦିବାସୀଙ୍କଠାରୁ ଜମି ହଡ଼ପ କରିଥିବା ଅଭିଯୋଗରେ ଅଣଆଦିବାସୀଙ୍କ ବିବାଦୀୟ ଜମିକୁ ନିଜ କବ୍ଜାକୁ ନେଇଥିଲେ । ସଂଘର ଏଭଳି ଆନେ୍ଦାଳନରେ ଭୟଭୀତ ହୋଇ ବହୁ ଲୋକ ନାରାୟଣପାଟଣାରୁ ଭିଟାମାଟି ଛାଡ଼ି ବାହାରକୁ ଚାଲିଯାଇଥିଲେ । ୨୦୦୯ରେ ସଂଘର ସଦସ୍ୟମାନେ ନାରାୟଣପାଟଣା ଥାନା ଉପରେ ଆକ୍ରମଣ କରିଥିଲେ । ବାଧ୍ୟହୋଇ ପୁଲିସ୍ ଗୁଳି ଚଳାଇଥିଲା । ଏଥିରେ ସଂଘର ଆଗଧାଡ଼ିର ଦୁଇ ସଦସ୍ୟଙ୍କ ମୃତୁ୍ୟ ହୋଇଥିଲା । ଏହି ମାମଲାରେ ପୁଲିସ୍ ସଂଘର ବହୁ ସଦସ୍ୟଙ୍କୁ ଗିରଫ କରିଥିଲେ ହେଁ ନାଚିକା ଫେରାର୍ ହୋଇଯାଇଥିଲେ । ଅକ୍ରମଣ ପରଠୁ ପୁଲିସ୍ର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ନାଚିକା ଗିରଫ ହେବା ଭୟରେ ବିଭିନ୍ନ ଜଙ୍ଗଲରେ ଲୁଚିରହି ଆଦିବାସୀଙ୍କ ବିଭିନ୍ନ ସଭାସମିତି ଏବଂ ଉନ୍ନୟନମୂଳକ କାମରେ ନିଜକୁ ସାମିଲ କରୁଥିଲା । ୨୦୧୪ ମସିହାରେ ନାଚିକାଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ କୋରାପୁଟ ଜେଲ୍ରେ ରହିଆସୁଥିଲେ ।


Comments are closed, but trackbacks and pingbacks are open.