କଟକ,୨୭ା୭(ବ୍ୟୁରୋ): ବାଲିଆପାଳ ଥାନାର ରାଜଧାନୀ ଢାବାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲା ସମେତ ଏବେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ମୃତ ନାବାଳକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ବାଲିଆପାଳ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ନାବାଳକଙ୍କ ମୃତ୍ୟୁ ଘଟଣାକୁ ନେଇ ବାଲିଆପାଳ ପୁଲିସ୍ ଉପରେ ସ୍ଥାନୀୟ ଲୋକେ ଖପା ହୋଇଛନ୍ତି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅବାଧ ଓ ନିରପେକ୍ଷ ତଦନ୍ତ ଲାଗି ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ (ଏଚ୍ଆର୍ପିସି)କୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜିଙ୍କଠାରୁ ନିର୍ଦ୍ଦେଶ ପାଇଲା ପରେ ଏଚ୍ଆର୍ପିସି ପକ୍ଷରୁ ଡିଏସ୍ପି ରଞ୍ଜିତ୍ ନାୟକଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ଉକ୍ତ ଘଟଣାର ତଦନ୍ତ ଲାଗି ଡିଏସ୍ପି ଶ୍ରୀ ନାୟକ ବାଲେଶ୍ୱରରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଉକ୍ତ ଘଟଣାରେ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଥିବା ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ବାଲିଆପାଳ ଥାନାରୁ ବଦଳି କରି ଦିଆଯାଇଛି । ଶ୍ରୀ ଆଚାର୍ଯ୍ୟଙ୍କ ସ୍ଥାନରେ ଇନ୍ସପେକ୍ଟର ରଞ୍ଜିତ୍ କୁମାର ସାହୁଙ୍କୁ ବାଲିଆପାଳ ଥାନା ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।
Comments are closed, but trackbacks and pingbacks are open.