ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ): ଗୁରୁବାର ଦିନ ୧୧ଟା ବେଳେ ସୁରଳ ଗ୍ରାମ ନିକଟ ୫ ନମ୍ବର ଲୁଣକାଣ୍ଡି ଓଡିଆର୍ପି କଲୋନୀରେ ତୃତୀୟ ଶ୍ରେଣୀ ଦୃଷ୍ଟିବାଧିତ ଛାତ୍ରୀଙ୍କୁ ଦୁଇ ଯୁବକ ବଳାକ୍ରାର ଉଦ୍ୟମ କରି ଗଳା କାଟି ଦେଇଥିଲେ । ଉକ୍ତ ଘଟଣାରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଶୁକ୍ରବାର ଘଟଣାସ୍ଥଳରେ ସରଜମିନ ତଦନ୍ତ କରିଛନ୍ତି । ଏସ୍ପି ଗଣମାଧ୍ୟମକୁ କହିଛନ୍ତି ଯେ- ପୀଡ଼ିତା ନାବାଳିକାଙ୍କ ଅବସ୍ଥାରେ ସୁଧାର ଆସୁଛି । ଆମର ତଦନ୍ତ ପ୍ରକ୍ରିୟା ଚାଲିଛି, ଯାଞ୍ଚ ସରିଲା ପରେ ସମସ୍ତ ଘଟଣା ଜଣାପଡ଼ିବ । ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବା ସହ ପୁଲିସ ମୁତୟନ କରାଯାଇଛି ବୋଲି ଏସ୍ପି କହିଛନ୍ତି ।
ଘଟଣାସ୍ଥଳରୁ ପୀଡ଼ିତାଙ୍କ ପ୍ୟାଣ୍ଟ, ସେଠାରେ ପଡ଼ିଥିବା ରକ୍ତ, ତିନୋଟି ଦାନ୍ତ ଓ ଆକ୍ରମଣରେ ବ୍ୟବହୃତ ତିନିକୋଣିଆ ଇଟା ଜବତ କରାଯାଇ ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତି ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର । ଅଟକ ଦୁଇ ଜଣ ଯୁବକଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ଯୁବକ ଜଣକ ପୁଲିସ ଆଗରେ ଅପରାଧ ସ୍ୱୀକାର କରିଥିବା ସେ କହିଛନ୍ତି । ବୁଧବାର ସକାଳ ୧୦ଟା ବେଳେ ସୁରଳ ଓଡିଆର୍ପି କଲୋନୀରେ ନିଜ ସାଙ୍ଗ (ଅନ୍ୟତମ ଅଭିଯୁକ୍ତ)ଙ୍କ ଘରକୁ ଯାଇ ପ୍ରଚୁର ମଦ ପିଇ ନିଶାସକ୍ତ ଅବସ୍ଥାରେ ନାବାଳିକାକୁ ଏକ ପରିତ୍ୟକ୍ତ ଘରକୁ ନେଇ ଅନୈତିକ କାର୍ଯ୍ୟ କରିବାକୁ ଉଦ୍ୟମ କରିଥିଲି । ଝିଅ ରାଜି ନହେବାରୁ ଏକ ଇଟାରେ ଆକ୍ରମଣ କରିଥିଲି ବୋଲି କହିଛି ସେ । ଏଥିରେ ଅନ୍ୟ କେହି ସହଯୋଗୀ ନଥିଲେ ବୋଲି ସେ ସ୍ପଷ୍ଟ କହିଥିବା ବେଳେ ଅନ୍ୟତମ ଅଟକ ଯୁବକଙ୍କ ସମ୍ପର୍କରେ କିଛି ଜାଣିନଥିବା ସେ ପ୍ରକାଶ କରିଛି ।
ପୀଡ଼ିତାଙ୍କ ବାପା, ମାଆ ବୁଧବାର ସୁମାଣ୍ଡି ଗ୍ରାମସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଝିଅକୁ ଓଡିଆର୍ପି କଲୋନୀରେ ଥିବା ବଡ଼ମାଆ ଘରେ ଛାଡ଼ି ଯାଇଥିଲେ । ଝିଅ ବାହାରେ ଖେଳୁଥିବା ବେଳେ କିଛି ସମୟ ପରେ ଚିକ୍ରାର ଶୁଭିଥିଲା । ନାବାଳିକା ଜଣକ ଛଟପଟ ହୋଇ ସାହି ଶେଷ ମୁଣ୍ଡରେ ପରିତ୍ୟକ୍ତ ଘରେ ପଡ଼ିଥିବା ସାହି ଲୋକ ଦେଖି ପାଖକୁ ଗଲାବେଳେ ଝିଅର ବେକକୁ ଧାରୁଆ ଅସ୍ତ୍ରରେ କଟାଯିବା ସହ ମୁହଁ ଓ ପାଟିରୁ ରକ୍ତ ବାହାରୁଥିବା ଦେଖିଥିଲେ । ଦୁଇ ଯୁବକଙ୍କୁ ସେହି ସମୟରେ ଘଟଣାସ୍ଥଳ ଓ ନିକଟସ୍ଥ ଅଞ୍ଚଳରୁ କାବୁ କରିନେଇଥିଲେ । ବଳାକ୍ରାର ଘଟଣା ବୋଲି ଅନୁମାନ କରି ଦୁହିଁଙ୍କୁ ଉତ୍ତମ ମଧ୍ୟମ ଦେଇ ପୁଲିସ ଜିମା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ପୀଡ଼ିତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇବା ସହ ଅଭିଯୁକ୍ତଙ୍କୁ ମଧ୍ୟ ଡାକ୍ତରଖାନା ନେଇଥିଲା । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ପଠାଯାଇଥିଲା । ଏହା ବଳାକ୍ରାର ପରେ ହତ୍ୟା ଉଦ୍ୟମ ବୋଲି ଅଭିଯୋଗ କରି ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ନାବାଳିକାଙ୍କ ବାପା ମାଆ ।
Comments are closed, but trackbacks and pingbacks are open.