ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ଅନୁସୂଚିତ ଜାତି ସମ୍ପ୍ରଦାୟର ଜଣେ ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଉଚ୍ଚବର୍ଗର ଜଣେ ନାବାଳକ ଏଥିରେ ସାମିଲ ଥିବା ଜଣାପଡିଛି । ପ୍ରେମିକ ଜଣକ ନାବାଳିକାକୁ ଛତିଶଗଡ ଭିଲାଇ ଅଞ୍ଚଳରେ ଛାଡି କେଉଁଆଡେ ପଳାଇଛି । ଛତିଶଗଡ଼ ପୁଲିସ୍ ନାବାଳିକାକୁ ଉଦ୍ଧାର କରିଛି । ଏ ସଂପର୍କରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା । ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବିବାହ ସମ୍ଭବ ହୋଇନଥିଲା । ଗତ ସେପ୍ଟେମ୍ବର ୧୮ରେ ଦୁହେଁ ଘରୁ ଲୁଚି ଛତିଶଗଡର ଭିଲାଇ ଅଞ୍ଚଳକୁ ପଳାଇ ଯାଇଥିଲେ । ସେଠାରେ ଏକ ଭଡା ଘରେ ରହିଥିଲେ । ନାବାଳକ ଜଣକ ଏକ ହୋଟେଲରେ କାମ କରୁଥିଲା । ସେତେବେଳେ ଉଭୟ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିଲା । ୭ ଦିନ ତଳେ କୌଣସି କାରଣରୁ ନାବାଳିକାକୁ ମାଡ ମାରି ସେଠାରେ ଛାଡ଼ି ପଳାଇଥିଲା ନାବାଳକ । ପଡୋଶୀମାନେ ନାବାଳିକାକୁ ଉଦ୍ଧାର କରି କୁମାରୀ ଥାନା ଜିମା ଦେଇଥିଲେ । ପରେ କୁମାରୀ ପୁଲିସ ଘଟଣା ସମ୍ପର୍କରେ ନାବାଳିକାର ପରିବାରକୁ ସୂଚନା ଦେଇଥିଲା । ସୂଚନା ପାଇବା ପରେ ନାବାଳିକାର ବାପା ଗାଁରେ ଏକ ବୈଠକ ଡାକିଥିଲେ । ଏଥିରେ ଗାଁ ଲୋକଙ୍କ ସହ ପୁଅର ପରିବାର ଲୋକେ ବି ଉପସ୍ଥିତ ଥିଲେ । ସେଠାରେ ବିବାଦର ସମାଧାନ ହୋଇ ନଥିଲା । ଉଭୟ ପରିବାର ପାଟିତୁଣ୍ଡ କରିଥିଲେ । ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ନାବାଳକର ପରିବାର ଲୋକେ ନାବାଳିକା ପରିବାର ପ୍ରତି ନାନା ମନ୍ତବ୍ୟ ଦେଇ ଧସ୍ତାଧସ୍ତି କରିଥିଲେ । ପରେ ନାବାଳିକାର ବାପା ସମ୍ପୃକ୍ତ ନାବାଳକ ଓ ତା ପରିବାରର ୬ ଜଣ ସଦସ୍ୟଙ୍କ ବିରୋଧରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଝିଅକୁ ଥାନାକୁ ଆଣି ଅଭିଯୋଗ କରିବାକୁ ଥାନା ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ନାବାଳିକାର ବାପା ଅସନ୍ତୋଷ ପ୍ରକାଶ କରିବା ସହ ଗ୍ରାମବାସୀଙ୍କୁ ଜଣାଇଥିଲେ । ଅନ୍ୟପକ୍ଷରେ କୁମାରୀ ପୁଲିସ ଲିଖିତ ବୟାନ ରଖି ନାବାଳିକାକୁ ତା ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଆସନ୍ତା ମଙ୍ଗଳବାର ଝିଅ ସହ ଥାନାକୁ ଯାଇ ପୁଣି ଥରେ ଅଭିଯୋଗ କରିବେ ବୋଲି ନାବାଳିକାର ବାପା କହିଛନ୍ତି ।


Comments are closed, but trackbacks and pingbacks are open.