ନାବାଳିକାକୁ ବଳାକ୍ରାର, ପ୍ରାଣାନ୍ତକ ଆକ୍ରମଣ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନ୍ୟୁଜ୍): ୮ ବର୍ଷର ନାବାଳିକାକୁ ମାଇଁ କୋଳରୁ ଉଠାଇ ନେଇ ବଳାକ୍ରାର । ବଳାକ୍ରାର ପରେ ପ୍ରାଣାନ୍ତକ ଆକ୍ରମଣ କରି ବେଧଡ଼କ ଖସିଗଲା ଦୁର୍ବୃତ୍ତ । ଶନିବାର ଭୋର୍ ବେଳେ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ସଂପ୍ରତି ଜୀବନ ମରଣ ସହ ସଂଗ୍ରାମ କରୁଛି ପୀଡ଼ିତା । ଏଭଳି ଏକ ଲଜ୍ଜାଜନକ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ୍ ଜିଲ୍ଲା ମହକୁମାର ବସଷ୍ଟାଣ୍ଡ୍ ଇଲାକାରେ ଦୁର୍ବୃତ୍ତର ଏ ପୈଶାଚିକ କାରନାମା ପୁଲିସ ସୁରକ୍ଷା ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ସକାଳେ ଅନୁଗୁଳ ଆହାର କେନ୍ଦ୍ର ପରିସର ଏକ ଅଳିଆ ଗଦାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନାବାଳିକାକୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତିନି ତିନି ଜଣ ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତେ୍ୱ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ଅପରାହ୍ଣ ସାଢ଼େ ୩ଟା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ୍ ଜୋର୍ଦାର ଛାନ୍ଭିନ୍ ଚଳାଇଛି । ପର୍ଯ୍ୟାୟକ୍ରମେ ଏକାଧିକ ଲୋକଙ୍କୁ ଥାନାକୁ ଡାକି ପୁଲିସ ପଚରାଉଚୁରା ଚଳାଇଛି । ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ଉପରେ ପୁଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାରେ ଜଣେ ନା, ଏକାଧିକ ଅଭିଯୁକ୍ତଙ୍କ ସଂପୃକ୍ତି ରହିଛି ସେ ନେଇ ଖୋଳତାଡ଼ ଚଳାଇଛି । ପୁଲିସ ନିଜ ଆଡ଼ୁ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଚଳାଇଛି । ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ ତଦନ୍ତ ଜାରି ରହିଛି ବୋଲି ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜି ନରସିଂହ ଭୋଳ ପ୍ରକାଶ କରିଛନ୍ତି । ସହର ଉପକଣ୍ଠ କାଙ୍ଗୁଲା ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣା ମନରୁ ନଲିଭୁଣୁ ଏଭଳି ଏକ ବର୍ବରୋଚିତ ଘଟଣା ସାଧାରଣରେ ଉଦ୍ବେଗ ସୃଷ୍ଟି କରିଛି ।
ପୀଡ଼ିତାଙ୍କ ଶରୀର ସାରା କ୍ଷତ, ଯୌନାଙ୍ଗରେ ଗଭୀର କ୍ଷତ ଯୋଗୁ ନାବାଳିକା ବଳାକ୍ରାରର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା । ପୀଡ଼ିତା ଭୟଭୀତ ହୋଇ ଯାଇଥିବା ବେଳେ ସ୍ୱାଭାବିକ କଥାବାର୍ତ୍ତା କରିପାରୁନାହାନ୍ତି । ଅବସ୍ଥା ସଙ୍କଟାପନ୍ନ ରହିଛି । ସିଡିଏମ୍ଓ ଡା. ପ୍ରତାପ ବେହେରାଙ୍କ ସହ ତିନି ଜଣ ଡାକ୍ତର ପୀଡ଼ିତାଙ୍କର ଚିକିତ୍ସା କରିଥିଲେ । ପର୍ଯ୍ୟାୟକ୍ରମେ ଏସ୍ଡିପିଓ ଅଶ୍ୱିନୀ କୁମାର ସାହୁ, ଏସ୍ପି ମିତ୍ରଭାନୁ ମହାପାତ୍ର ଓ ଡିଆଇଜି ଶ୍ରୀ ଭୋଳ ଡାକ୍ତରଖାନାକୁ ଆସି ପୀଡ଼ିତାଙ୍କର ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ହେଲେ ରକ୍ତସ୍ରାବ ବନ୍ଦ ନହେବାରୁ ଅପରାହ୍ଣ ସାଢ଼େ ୩ଟାରେ କଟକ ବଡ଼ ମେଡିକାଲ୍କୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ନାବାଳିକାଙ୍କ ପରିବାର ଅଣଓଡ଼ିଆ ହୋଇଥିବାରୁ ଥାନାରେ ଏଯାଏ କୌଣସି ଅଭିଯୋଗ ହୋଇନାହିଁ । ତେବେ ପୁଲିସ୍ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ସେପଟେ ପୁଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ପ୍ରାଣମୂର୍ଚ୍ଛା ପ୍ରୟାସ ଚଳାଇଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତରେ ସହାୟତା କରିଥିଲା । ଆହାର ସେଣ୍ଟରରେ ସିସିଟିଭି ଖଂଜା ହୋଇଥିଲେ ମଧ୍ୟ ତା’ ଦୀର୍ଘ ଦିନରୁ ଅଚଳ ଥିବା ଜଣାପଡ଼ିଛି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଦେବାଶିଷ ପ;ନାୟକ ଡାକ୍ତରଖାନା ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ।
ଏ ସଂକ୍ରାନ୍ତରେ ଡିଆଇଜି ନରସିଂହ ଭୋଳ କହିଛନ୍ତି, ନାବାଳିକାର ଅବସ୍ଥା ଗୁରୁତର ରହିଛି । ସେ ଏବେ କଥା କହିବା ଅବସ୍ଥାରେ ନାହିଁ । ଉଦ୍ଧାର ବେଳେ ସେ କହିଥିବା କେଇ ପଦ କଥାକୁ ଆଧାର କରି ତଦନ୍ତ ଚଳାଇଛୁ । ଏସ୍ପି ତଦନ୍ତର ନେତୃତ୍ୱ ନେଉଛନ୍ତି । ଏ ପର୍ଯ୍ୟନ୍ତ ମିଳିଥିବା ସୁରାକ୍କୁ ଆଧାର କରି ଅଭିଯୁକ୍ତକୁ ଧରିବା ନେଇ ଆଶବାଦୀ ଅଛୁ । ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ଅଛି । ଯାହାକୁ ସନ୍ଦେହ ହେଉଛି ପଚରାଉଚୁରା ଚାଲିଛି ବୋଲି ଶ୍ରୀ ଭୋଳ ପ୍ରକାଶ କରିଛନ୍ତି ।
ବଳାକ୍ରାରର ଶିକାର ହୋଇଥିବା ନାବାଳିକା ଯାଯାବର ଶ୍ରେଣୀର । ମହାରାଷ୍ଟ୍ର ବାସିନ୍ଦା । ନାବାଳିକା ପୂର୍ବରୁ ତା’ର ମା’କୁ ହରାଇଛି । ବାପା ଗାଁ’ରେ ରହୁଛନ୍ତି । ଏଠାରେ ନାବାଳିକା, ତା’ର ଦୁଇ ଭାଇ ଓ ବଡ଼ ଭଉଣୀ ଜୁଭେନାଇଲ୍ ଜେଲ୍ ନିକଟ ମିଶନ ବଙ୍ଗଲା ପଡ଼ିଆରେ ମାମୁ-ମାଇଁ, ଅଜାଆଈଙ୍କ ସହ ରହୁଥିଲେ । ତମ୍ବୁ, ପାଲଟାଣି ରହୁଛନ୍ତି । ସହରରେ ପଡ଼ିଥିବା ଭଙ୍ଗା ବୋତଲ, ଅଳିଆ ଗଦାରୁ ପ୍ଲାଷ୍ଟିକ୍ ଓ ବର୍ଜ୍ୟବସ୍ତୁ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଥିଲେ । ଶନିବାର ରାତିରେ ବର୍ଷା ହେବାରୁ ଶୋଇବାକୁ ନିକଟସ୍ଥ ମାର୍କେଟ୍ର ଦୋକାନ ବାରଣ୍ଡାକୁ ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons