
ପୁରୀ,(ବି.ବି.ନୁ୍ୟଜ): ଚନ୍ଦନପୁର ଅଞ୍ଚଳରେ ଖେଳିଛି ଚାଞ୍ଚଲ୍ୟ । ତଳଜଙ୍ଗ ନଈକୂଳ ସାହିରେ ନାବାଳିକାକୁ ପରିବାର ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତା ହେଲେ ଭାରତୀ ଜେନା (୧୭) । ଭାରତୀଙ୍କ ମୃତଦେହକୁ ପରିବାର ଲୋକେ ଲୁଚାଇ ପୋଡିଦେଇଛନ୍ତି । ଦୀର୍ଘ ୭ ଦିନ ପରେ ଜୁଇ ପାଉଁଶ ଭିତରୁ ହାଡ଼ ଖୋଲିଛି ଗୁମର । ଅଭିଯୋଗ ହେବାରୁ ଏକ ସପ୍ତାହ ପରେ ଆରମ୍ଭ ହୋଇଛି ଚନ୍ଦନପୁର ଥାନା ପୁଲିସର ଛାନ୍ଭିନ୍ । ଶୁକ୍ରବାର ପୁଲିସ ଗାଁରେ ପହଞ୍ଚି ଜୁଇ ଘାଣ୍ଟିଛି । ମାଟିତଳେ ପୋତି ହୋଇଥିବା ଜୁଇ ପାଉଁଶ ଖୋଳି ନାବାଳିକାର ହାଡ ସଂଗ୍ରହ କରିଛି ପୁଲିସ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ନାବାଳିକାର ପରିବାରରୁ ୬ ଜଣଙ୍କୁ ଉଠାଇ ନେଇ ଅଟକ ରଖିଛି । ଅଟକମାନେ ହେଲେ ଭାରତୀଙ୍କ ବଡ଼ବାପା ଦୁର୍ଯେ୍ୟାଧନ ଜେନା, ଦାଦା ଜଗବନ୍ଧୁ ଜେନା ଓ ଶଙ୍କରେଶ୍ୱର ଜେନା, ଭାଇ କୁନା ଜେନା, ବିକ୍ରମ ଜେନା ଓ ଟୁନା ଜେନା । ଏମାନେ ଭାରତୀଙ୍କୁ ପୋଡିଥିବା ନେଇ ପରିବାର ଲୋକେ ସ୍ୱୀକାର କରିଛନ୍ତି ।
ଗତ ଶନିବାର ରାତିରେ ଘଟିଥିଲା ଏହି ଲୋମ ହର୍ଷଣକାରୀ କାଣ୍ଡ । ଭାରତୀଙ୍କୁ ପରିବାର ଲୋକେ ହତ୍ୟା କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପୁଲିସ କିନ୍ତୁ ଏଦିଗରେ ଦୃଷ୍ଟି ଦେଇ ନଥିଲା । ହେଲେ ଗାଁର କୁମୁଦ ପ୍ରଧାନଙ୍କ ତୋଟାରେ ଜୁଇ ଜଳିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଛାନ୍ଭିନ୍ କରିବାକୁ ବାଧ୍ୟ ହୋଇଥିଲା । ଶୁକ୍ରବାର ଏସ୍ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ୍ ଓ ଆଇଆଇସି ଅଭିମନୁ୍ୟ ନାୟକ ଏବଂ ସାଇଣ୍ଟିଫିକ୍ ଟିମ୍ ଗାଁକୁ ଆସି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲାପାଳ ରାଜବଲ୍ଲଭ ନାୟକଙ୍କ ଉପସ୍ଥିତିରେ ପୁଲିସ ଗାଁ ମୁଣ୍ଡରେ ଥିବା କୁମୁଦଙ୍କ ତୋଟାରେ ପୋତି ହୋଇ ରହିଥିବା ଭାରତୀଙ୍କ ଜୁଇ ଖୋଳି ହାଡ଼ ଓ ପାଉଁଶ ସଂଗ୍ରହ କରିଛି । ଏହାକୁ ପରୀକ୍ଷା ପାଇଁ ଏଫ୍ଏମ୍ଟିକୁ ପଠାଯିବ ବୋଲି ପୁଲିସ କହିଛି । ଏହାପରେ ଘଟଣା ପଛର ରହସ୍ୟ ପଦାକୁ ଆସିଛି ।
ମିଳିଥିବା ଖବର ଅନୁଯାୟୀ, ବାପା ବାବାଜି ଜେନାଙ୍କ ଦେହାନ୍ତ ପରେ ପରିବାରରେ ଚଳୁଥିଲେ ଭାରତୀ, ତାଙ୍କ ବଡ ଭଉଣୀ, ଭାଇ ଓ ମା’ । କିନ୍ତୁ ଦାବା ଓ ବଡବାପାଙ୍କ ପରିବାର ଲୋକଙ୍କ ନଜର ଏମାନଙ୍କ ଉପରେ ରହୁଥିଲା । ଭାରତୀ ମାଟ୍ରିକ୍ ପାସ୍ କରିବା ପରେ ଚଳିତ ବର୍ଷ ପୁରୀ ସ୍ଥିତ ବେସରକାରୀ ମହିଳା ମହାବିଦ୍ୟାଳୟରେ ୍ମ୨ରେ ନାଁ ଲେଖାଇଥିଲେ । ଏହାରି ମଧ୍ୟରେ ଗାଁର ଡିହସାହି ଜାଗୁଳାଇ ମନ୍ଦିର ନିକଟରେ ରହୁଥିବା ଜଣେ ନାବାଳକକୁ ପ୍ରେମ କରିଥିଲା ଭାରତୀ । ଉଭୟଙ୍କ ପ୍ରେମ ସାମ୍ନାକୁ ଆସିବା ପରେ ପରିବାର ବିରୋଧ କରିଥିଲେ । ଗତ ମାସ ୨୦ ତାରିଖରେ ଭାରତୀ ଗାଁ ଛାଡି ଚାଲି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଖୋଜି ସ୍ଥାନୀୟ ଏକ ଗାଁରୁ ଉଦ୍ଧାର କରିଥିଲେ । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଭାରତୀଙ୍କୁ ଘରକୁ ଫେରାଇ ଆଣିବା ପରେ ବଢିଥିଲା ନିର୍ଯାତନା । ତଥାପି ନିଜ ପ୍ରେମରେ ଜିତିବାକୁ ବଦ୍ଧପରିକର ଥିଲେ ଭାରତୀ । ଏଥିରେ ପରିବାର ଲୋକ ବିବ୍ରତ ହୋଇପଡିଥିଲେ ।
ଗତ ଶନିବାର ବିଳମ୍ବିତ ରାତି । ଭାରତୀଙ୍କୁ ପରିବାର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏହି କାଣ୍ଡ ଦେଖିଥିବା ପଡୋଶୀ ଜଣେ ବୃଦ୍ଧାଙ୍କୁ ପରିବାର ଲୋକେ ଘରେ ବନ୍ଦୀ କରି ରଖିଥିଲେ । ମୃତଦେହକୁ ନେଇ ପୋଡି ଦେଇଥିଲେ ପରିବାର । କୁମୁଦଙ୍କ ଜମିରେ ଶବ କାହିଁକି ପୋଡାଗଲା ବୋଲି ସେ ପ୍ରତିବାଦ କରିଥିଲେ । ଶେଷରେ କୁମୁଦ ଥାନାକୁ ଯାଇ ଏତଲା ଦେବାକୁ ବାଧ୍ୟ ହୋଇଥିଲେ । ତେବେ ଆଇନ୍ ଅନୁଯାୟୀ ପରିବାର ଲୋକେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବା କଥା । କିନ୍ତୁ ପ୍ରମାଣ ନଷ୍ଟ କରିଥିବା କାରଣରୁ ଆଇପିସିର ବିଭିନ୍ନ ଦଫା ଅନୁଯାୟୀ ଅପମୃତୁ୍ୟ ମାମଲା (୪/୨୧) ରୁଜୁ କରି ପୁଲିସ ଅଟକଙ୍କୁ ପଚରା ଉଚରା କରୁଛି ।


Comments are closed, but trackbacks and pingbacks are open.