ବଅଁରପାଳ,(ବି.ବି.ନ୍ୟୁଜ): ଅନୁଗୁଳ ନାଲ୍କୋ ସ୍ମେଲଟର ପ୍ଲାଣ୍ଟ୍ର କାଷ୍ଟ୍ହାଉସ୍-ବି ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ନାଲ୍କୋ କର୍ମଚାରୀ ହୋଇଥିବା ବେଳେ ଜଣେ ଠିକା ଶ୍ରମିକ ଓ ଦୁଇ ଜଣ ଆପ୍ରେଣ୍ଟିସ୍ ଟ୍ରେନି ବୋଲି ଜଣାପଡ଼ିଛି । ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଆଜି ପୂର୍ବାହ୍ନ ୧୧ଟା ୫ ମିନିଟ୍ ବେଳେ ସ୍ମେଲଟର୍ କାଷ୍ଟ ହାଉସ୍-ବି ପରିସରରେ ଥିବା ଇଲେକ୍ଟ୍ରିକାଲ ପ୍ୟାନେଲ୍ ରୁମ୍ରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସେଠାରେ କାମ କରୁଥିବା ଠିକା ଶ୍ରମିକ ବଳରାମପ୍ରସାଦ ଗ୍ରାମର ମିଥୁନ୍ ନାଗ, ନାଲ୍କୋ କର୍ମଚାରୀ କୁକୁଡ଼ାଙ୍ଗର ରିଙ୍କିନା ସାହୁ, ଆପ୍ରେଣ୍ଟିସ୍ ଟ୍ରେନି ଶାଳଗାଡ଼ିଆର ବିଶେଶ୍ୱର ସାମଲ ଓ ବେନ୍ତପୁର ଗ୍ରାମର ରଜନୀକାନ୍ତ ପରିଡ଼ା ଗୁରୁତର ଆହତ ହୋଇଥିଲେ । ନିଆଁ ବିସ୍ଫୋରିତ ହୋଇ ସେମାନଙ୍କ ଉପରେ ପଡ଼ିବାରୁ ପୋଡ଼ି ଯାଇଥିଲେ ।
ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ନାଲ୍କୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ନାଲ୍କୋ ଅଧିକାରୀ ଓ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ସହ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ଦୁର୍ଘଟଣାର ଅନୁସନ୍ଧାନ ଜାରି ରହିଛି ।
Comments are closed, but trackbacks and pingbacks are open.