ନାଳ ସାଜିଛି ବାଧକ, ପହଞ୍ଚିଲାନି ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଅଞ୍ଚଳରେ ଗତକାଲି ରାତିରେ ଜଣେ ଗର୍ଭବତୀଙ୍କୁ ପ୍ରସୂତି ପାଇଁ ଷ୍ଟ୍ରେଚରରେ ବୁହା ଯାଇ ସୋଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଗାଁରୁ ୩ କିଲୋମିଟର ଚାଲି ଚାଲି ଗ୍ରାମ୍ୟ କଲ୍ୟାଣ ସମିତିର ସଦସ୍ୟମାନେ ପାଣିରେ ଭରି ରହିଥିବା ନାଳ ପାରି ହୋଇ ଡାକ୍ତରଖାନାକୁ ଆସିଥିଲେ । ସେହି ଗାଁକୁ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ ।
ଗୁରୁଣ୍ଡିଆ ବ୍ଲକ ଠାରୁ ପ୍ରାୟ ୬୨ କିଲୋମିଟର ଦୂରରେ ରହିଛି ସୋଲ ପଞ୍ଚାୟତ । ଏହି ପଞ୍ଚାୟତ ଅଧୀନରେ ୨୫ଟି ଗାଁ ରହିଛି । ଏହି ଗାଁ ମଧ୍ୟ ରହିଛି ପିପିଲାକାନି ଓ ନୂଆପାଲି ଗ୍ରାମ । ନୂଆପାଲିର ବାବାଡେରାପଡ଼ାରେ ରହନ୍ତି ଧନଞ୍ଜୟ ପୂଜାରୀ ଓ ତାଙ୍କ ପତ୍ନୀ ମମତା ପୂଜାରୀ । ମମତା ଗର୍ଭବତୀ ଥିଲେ । ଗତକାଲି ରାତି ପ୍ରାୟ ୭ଟା ସମୟରେ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ସୋଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ଲାଗି ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ମାତ୍ର ବର୍ଷା ଯୋଗୁଁ ପିପିଲାକାନି ନାଳରେ ପାଣିର ସୁଅ ଚାଲିଥିଲା । ଫଳରେ ଆମ୍ବୁଲାନ୍ସ ଗାଁକୁ ଯାଇ ପାରିନଥିଲା । ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ସେନାପତିଙ୍କୁ ଏ ସମ୍ପର୍କରେ ଧନଞ୍ଜୟ ଜଣାଇବା ପରେ ସେ ବର୍ଷାକୁ ଖାତିର ନ କରି ଧାଇଁ ଆସୁଥିଲେ । ହେଲେ ନାଳରେ ପାଣିର ସୁଅ ଚାଲି ଥିବାରୁ ଆଗକୁ ବଢ଼ି ପାରିନଥିଲେ । କୌଣସି ଉପାୟ ନପାଇ ଗ୍ରାମ୍ୟ କଲ୍ୟାଣ ସମିତିର ସଦସ୍ୟମାନେ ଷ୍ଟ୍ରେଚରରେ ମମତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ଲାଗି ଅଣ୍ଟା ଭିଡ଼ିଥିଲେ । ୪ ଜଣ ସଦସ୍ୟ ଷ୍ଟ୍ରେଚରରେ ଗର୍ଭବତୀ ମହିଳାଙ୍କୁ ବୋହି ଆଣିଥିଲେ । ପିପିଲାକାନି ନାଳରେ ପାଣିର ସୁଅ ଚାଲିଥିଲା । ଏହାକୁ ଖାତିର ନକରି ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ଲାଗି ୩ କିଲୋମିଟର ଚାଲି ଚାଲି ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ମମତା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି । ସୋଲ ଏକ ନକ୍ସଲ ଉପଦ୍ରୁତ ଅଞ୍ଚଳ ଭାବେ ପରିଚିତ । ଏଠାରେ ବର୍ଷା ଦିନେ ୨୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଫଳରେ ଏଠାରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ରାସ୍ତା ସହ ପୋଲ ନିର୍ମାଣ କରିବା ଲାଗି ଦାବି ହୋଇ ଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଏହି ସ୍ୱପ୍ନ ସାକାର ହୋଇ ପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons