ନୂଆଦିଲ୍ଲୀ: ନିମ୍ନମାନର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) କାର୍ଯ୍ୟ ପାଇଁ ସମ୍ପୃକ୍ତ କମ୍ପାନିଗୁଡ଼ିକ ବିରୋଧରେ ଜେଲଦଣ୍ଡ ଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଏ ନେଇ ସଂଶୋଧିତ କମ୍ପାନି ଆଇନରେ ରହିଥିବା ସିଏସ୍ଆର ନିୟମକୁ କାର୍ଯ୍ୟକାରୀ ନ କରିବା ଲାଗି ନିଷ୍ପତ୍ତି ହୋଇଛି । ଭାରତୀୟ ଶିଳ୍ପ ପକ୍ଷରୁ ଏହି ଦଣ୍ଡ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଯିବା ପରେ କେନ୍ଦ୍ର ସରକାର ନିଜ କଠୋର ଆଭିମୁଖ୍ୟକୁ କୋହଳ କରିଛନ୍ତି ।
ସଂଶୋଧିତ ଆଇନ ବାବଦରେ ସରକାର ବିଜ୍ଞପ୍ତି ଜାରି କରିବେ ସତ । କିନ୍ତୁ ଏଥିରୁ ସିଏସ୍ଆର ନିୟମକୁ ବାଦ୍ ଦିଆଯିବ । ଏ ସଂକ୍ରାନ୍ତ ସଂଶୋଧନକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ବୁଧବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସିଏସ୍ଆର ବାବଦରେ ଏକ କ୍ଷମତାସମ୍ପନ୍ନ କମିଟି ମଙ୍ଗଳବାର ରିପୋର୍ଟ ପ୍ରଦାନ କରିଥିଲା । ଏହି ରିପୋର୍ଟକୁ ଭଲ ଭାବେ ତର୍ଜମା କରିବା ପରେ ସରକାର ସିଏସ୍ଆର ନିୟମକୁ ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି ନିଜ ରିପୋର୍ଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଥିଲା ।
ରିପୋର୍ଟରେ ଦର୍ଶାଯାଇଛି କି ସିଏସ୍ଆର ନିୟମ ଉଲ୍ଲଂଘନକୁ ଏକ ନାଗରିକ ଅପରାଧ ଭାବେ ବିବେଚନା କରାଯିବା ଆବଶ୍ୟକ । ଜେଲଦଣ୍ଡ ପରିବର୍ତ୍ତେ ଜରିମାନା ଲାଗୁ କରାଯିବା ଉଚିତ । ସିଏସ୍ଆର କାର୍ଯ୍ୟକ୍ରମକୁ ଫଳପ୍ରସୂ କରିବା ପାଇଁ କମିଟି ଆହୁରି ଅନେକ ସୁପାରିସ ମଧ୍ୟ ପ୍ରଦାନ କରିଛି । କମ୍ପାନିଗୁଡ଼ିକ ଉପରେ ସିଏସ୍ଆରକୁ ଏକ ଚାପ ଭାବେ ଲଦିଦେବା ଅନୁଚିତ ବୋଲି ଏହା କହିଛି । ତେଣୁ ସରକାର ସଂଶୋଧିତ କମ୍ପାନି ଆଇନରେ ରହିଥିବା ସିଏସ୍ଆର ନିୟମକୁ ଲାଗୁ ନ କରିବାକୁ ନିଷ୍ପତ୍ତି ନେଇଥିବା ଅଧିକାରୀ ଜଣକ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଶେଷ ହୋଇଥିବା ସଂସଦର ବଜେଟ୍ ଅଧିବେଶନରେ କମ୍ପାନି ଆଇନ ସଂଶୋଧିତ ହୋଇଥିଲା । ଏଥିରେ ରହିଥିବା ବ୍ୟବସ୍ଥା ମୁତାବକ ସିଏସ୍ଆର୍ ନିୟମ ଉଲ୍ଲଂଘନ କ୍ଷେତ୍ରରେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବ । ସେହିପରି ୫୦,୦୦୦ ଟଙ୍କାରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଥିଲା । କମ୍ପାନି ଆଇନରେ ଏଭଳି ବ୍ୟବସ୍ଥା କରାଯିବାକୁ ନେଇ ବିଭିନ୍ନ କମ୍ପାନି ଏହା ଉପରେ ଆପତ୍ତି ଉଠାଇଥିଲେ । ଏ ନେଇ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏହାପରେ ସରକାର ନିଜ ନିଷ୍ପତ୍ତି ଉପରେ ତର୍ଜମା କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ।
Comments are closed, but trackbacks and pingbacks are open.