ମୋହନା,(ବି.ବି.ନ୍ୟୁଜ୍): ମୋହନା ଥାନା ପିଣ୍ଡିକି ପଞ୍ଚାୟତ ଅଧୀନ ଲବେରମା ନିକଟ ମିନିହୁରୁ ପାହାଡ଼ରୁ ଜଣେ ଯୁବକଙ୍କ ଗଳିତ ଶବ ଓ କଙ୍କାଳ ଜବତ କରିଛି ପୁଲିସ । ମୃତ ଯୁବକ ଜଣକ ମୋହନା ଖ୍ରୀଷ୍ଟିୟାନ ସାହିର ଶ୍ୟାମ ସୁନ୍ଦର ସିଂ ବୋଲି ଜଣାପଡିଛି । ସେ ଜୁନ୍ ୩୦ ତାରିଖରୁ ନିଖୋଜ ଥିବାବେଳେ ଜୁଲାଇ ୭ ତାରିଖରେ ମୋହନା ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରଯାଇଥିଲା ।
ନିଖୋଜର ଦେଢମାସ ପରେ ଗୁରୁବାର ଉକ୍ତ ଜଙ୍ଗଲରେ କେତେକ ଲୋକ ଗାଈ ଚରାଉଥିବା ବେଳେ ନରକଙ୍କାଳ ପଡ଼ିଥିବା ଦେଖିଥିଲେ । ପରେ ଏହି ଖବର ଶ୍ୟାମଙ୍କ ପରିବାର ନିକଟରେ ପହଞ୍ôଚଥିଲା । ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଶ୍ୟାମ ପିନ୍ଧିଥିବା ପୋଷାକ ଚିହ୍ନଟ କରି ପୁଲିସକୁ ଖବର ଦେଇଥିଲେ । ଏହାପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହ ଓ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲେ । ମୃତଦେହ ପଡ଼ିଥିବା ସ୍ଥାନରେ ଥିବା ଏକ ଗଛଡାଳରେ ଗାମୁଛା ବନ୍ଧା ହୋଇଥିବାରୁ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସୂଚନା ଦେବା ସହ ଏକ ଅପମୃତ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଏହାଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଶ୍ୟାମଙ୍କ ପରିବାର ଅଭିଯୋଗ କରିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି । ବ୍ୟବଚ୍ଛେଦ ରିପୋଟ ଆସିବାପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ଥାନାଧିକାରୀ ସୁଜିତ ନାୟକ କହିଛନ୍ତି । ଏହାର ଅଧିକ ତଦନ୍ତ ପାଇଁ ଶୁକ୍ରବାର ଛତ୍ରପୁରରୁ ସାଇନଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ କିଛି ନମୁନା ସଂଗ୍ରହ କରିଛନ୍ତି ।


Comments are closed, but trackbacks and pingbacks are open.