ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନ୍ୟୁଜ୍): ଗତ ଦୁଇଦିନ ଧରି ନିଖୋଜ ଥିବା ପୁଇଁନ୍ତଳା ଥାନା ବରଗାଁର ଶ୍ରୀକାନ୍ତ ନନ୍ଦ(୨୫)ଙ୍କ ମୃତଦେହ ଆଜି ସକାଳୁ ବଲାଙ୍ଗୀର-ସମ୍ବଲପୁର ରାସ୍ତାର ଦୁର୍ଗାପାଲି ସୁକତେଲ ନଦୀପଠାରୁ ଉଦ୍ଧାର ହୋଇଛି । ଶ୍ରୀକାନ୍ତ ବଲାଙ୍ଗୀର ସହରର ଏକ କଦଳୀ ଗୋଦାମରେ କାମ କରୁଥିବା ବେଳେ ଗୁରୁବାର ରାତିରୁ ନିଖୋଜ ଥିଲେ । ଶୁକ୍ରବାର ସକାଳେ ବରଗାଁ-ଅଇଁଲାସାରି ରାସ୍ତାରେ ତାଙ୍କର ଚଷମା, ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା ଓ କିଛି ସମୟ ପରେ ଫାସଡ଼ ବ୍ରିଜ ତଳେ ଏକ ବୁଦା ଭିତରୁ ବାଇକ ଜବତ କରାଯାଇଥିଲା । ଏନେଇ ପୁଇଁନ୍ତଳା ପୁଲିସ ତଦନ୍ତ ଚଳାଇ ସୁକତେଲ ନଦୀପଠାରୁ ଶ୍ରୀକାନ୍ତଙ୍କ ମୃତଦେହ ଉଦ୍ଧାର କରିଛି ।
ପ୍ରତିଦିନ ଭଳି ଶ୍ରୀକାନ୍ତ ଗତ ଗୁରୁବାର ରାତିରେ ସହରରୁ ଘରକୁ ଯାଇଥିଲେ । ଏପରିକି ଘର ପାଇଁ ସେ ଅଣ୍ଡା ମଧ୍ୟ ନେଇଥିଲେ । କିନ୍ତୁ କ’ଣ ହେଲା ଗୁରୁବାର ରାତିରେ ତାଙ୍କର ଆଉ ପତ୍ତା ମିଳି ନଥିଲା । ଶ୍ରୀକାନ୍ତଙ୍କୁ ନପାଇ ପରିବାର ଲୋକେ ରାତିତମାମ ସବୁଆଡ଼େ ଖୋଜାଖୋଜି କରିଥିଲେ । ଶେଷରେ ଶୁକ୍ରବାର ସକାଳୁ ଶ୍ରୀକାନ୍ତଙ୍କ ବଡ଼ଭାଇ ଡୋଳାମଣି ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗର କିଛି ସମୟ ପରେ ଦୁଇଟି ସ୍ଥାନରୁ ଶ୍ରୀକାନ୍ତଙ୍କ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା । ଏହାପରେ ପୁଲିସ ଘଟଣାକୁ ଅତି ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଆଜି ଭୋରରୁ ଶ୍ରୀକାନ୍ତଙ୍କ ମୃତଦେହ ମିଳିଥିଲା । ଅପରପକ୍ଷେ ମୃତକଙ୍କ ବାପା ଦାମ ନନ୍ଦ ଏହା ଏକ ଦୁର୍ଘଟଣା ନୁହେଁ ବରଂ ଷଡ଼ଯନ୍ତ୍ର କରି ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । କାରଣ ଗତ କିଛି ଦିନ ପୂର୍ବରୁ ଗାଁରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପ୍ରକ୍ରିୟାକୁ ନେଇ କିଛି ଗୋଷ୍ଠୀ ସହ ତାଙ୍କର କଥା କଟାକଟି ହୋଇଥିଲା । ତେଣୁ ସେହି ଗାଷ୍ଠୀ ଏହି ହତ୍ୟାକାଣ୍ଡ ଭିଆଇ ଥାଇପାରନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପୂର୍ବରୁ ଏକ ନିଖୋଜ ମାମଲା ହୋଇଥିଲା । ଆଜି ନିଖୋଜ ଯୁବକଙ୍କ ମୃତଦେହ ମିଳିଛି । ତେଣୁ ତାଙ୍କ ପରିବାରବର୍ଗ ଦେଇଥିବା ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons