ନିଜକୁ ରାଜକ୍ଷମା ଦେବେ ଟ୍ରମ୍ପ!

Get real time updates directly on you device, subscribe now.

ୱାଶିଂଟନ: ଆମେରିକୀୟ ସଂସଦ ଭବନ (କ୍ୟାପିଟଲ ବିଲ୍ଡିଂ) ଉପରେ ହୋଇଥିବା ଆକ୍ରମଣ ପରେ ଆହୁରି ବିବାଦୀୟ ହୋଇପଡ଼ିଥିବା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜକୁ ରାଜକ୍ଷମା ଦେବାକୁ ବିଚାର କରୁଛନ୍ତି । ସେ ନିଜ ପରିବାର ସଦସ୍ୟ, ହ୍ୱାଇଟହାଉସରେ ଥିବା ତାଙ୍କର କିଛି ଖାସ୍ ଅଧିକାରୀ ଏବଂ ଆଉ କେତେକ ବିଶ୍ୱସ୍ତ ସହଯୋଗୀଙ୍କୁ ବି ରାଜକ୍ଷମା ଦେବାକୁ ବିଚାର କରୁଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ ତାଙ୍କ ପାଖରେ ନିଜକୁ ରାଜକ୍ଷମା ଦେବାର ଅଧିକାର ଅଛି । କିନ୍ତୁ ତାଙ୍କର ଏହା ଆବଶ୍ୟକତା ନାହିଁ । ତେବେ ସେ ପରଦା ପଛରେ ଏପରି କରିବା ପାଇଁ ଆଲୋଚନା ଚଳାଇଥିବାର ଜଣାପଡ଼ିଛି ।
ଟ୍ରମ୍ପ ଆଶଙ୍କା କରୁଛନ୍ତି, ସେ କ୍ଷମତାରୁ ହଟିଲା ପରେ ତାଙ୍କ ବିରୋଧରେ କରଫାଙ୍କି, ଦଙ୍ଗାକୁ ଉସୁକାଇବା, ଓ କେତେକ ମାମଲାରେ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିବା ଭଳି ଅଭିଯୋଗରେ ଅନେକଗୁଡ଼ିଏ ମାମଲା ଦାୟର କରାଯାଇପାରେ । ତେଣୁ ଏସବୁଥିରୁ ମୁକ୍ତି ପାଇବା ପାଇଁ ସେ ଏପରି ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ହେଲେ ଆମେରିକାର ଇତିହାସରେ ଜଣେ ରାଷ୍ଟ୍ରପତି ନିଜକୁ ରାଜକ୍ଷମା ଦେବାର ନଜିର ନାହିଁ । ଯଦି ସେ ଏପରି କରନ୍ତି, ତାକୁ ଆଇନତଃ ଗ୍ରହଣ କରାଯିବ କି ନାହିଁ ତାହା ବି ସନେ୍ଦହ ଘେରରେ । ସେହିପରି ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ଜୋ ବାଇଡେନଙ୍କ ସରକାର ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ ମାନିବେ ନା ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବେ ତାହା ବି ସ୍ପଷ୍ଟ ହୋଇନାହିଁ ।
ଟ୍ରମ୍ପ ଗୁରୁବାର ରାତିରେ ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଜାରି କରି କ୍ୟାପିଟଲ ବିଲ୍ଡିଂ ଉପରେ ଆକ୍ରମଣର ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଆମେରିକାର ବାକି ସମସ୍ତ ନାଗରିକଙ୍କ ପରି ସେ ବି ଏହି ହିଂସାକାଣ୍ଡକୁ ନେଇ ଅତି କ୍ଷୁବ୍ଧ । ଯେଉଁମାନେ ଏଭଳି ଘଟଣା ଭିଆଇଛନ୍ତି, ସେମାନେ ଆମେରିକାର
ପ୍ରକୃତ ନାଗରିକ ନୁହନ୍ତି । ଟ୍ରମ୍ପ ଆହୁରି କହିଛନ୍ତି କି ନିର୍ବାଚନ ସମୟରେ କିଛି ପ୍ରସଙ୍ଗ(ଭୋଟ ଜାଲିଆତି)କୁ ନେଇ ସେ ବାରମ୍ବାର ଅଭିଯୋଗ କରିଆସୁଥିଲେ । କେବଳ ଜନତାଙ୍କ ଦ୍ୱାରା ଦିଆଯାଇଥିବା ଭୋଟର ମହତ୍ତ୍ୱ ବଜାୟ ରଖିବା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ଏପରି କରୁଥିଲେ । ତେବେ ନୂଆ ସରକାରକୁ କଂଗ୍ରେସ ସ୍ୱୀକୃତି ଦେଇଥିବାରୁ ଏହା ଏବେ ତାଙ୍କର ଦାୟିତ୍ୱ କି ସେ ନୂଆ ସରକାରଙ୍କୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରାଯିବା ସୁନିଶ୍ଚିତ କରିବେ ।
ଭିଡିଓରେ ଟ୍ରମ୍ପ ଦାବି କରିଛନ୍ତି, କ୍ୟାପିଟଲ ବିଲ୍ଡିଂ ଉପରେ ଆକ୍ରମଣ ଖବର ମିଳିଲା ପରେ ସେ ତୁରନ୍ତ ନ୍ୟାସନାଲ ଗାର୍ଡସ ମୁତୟନ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ତେବେ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା କି ଉପରାଷ୍ଟ୍ରପତି ମାଇକ୍ ପେନ୍ସ ହିଁ ନ୍ୟାସନାଲ ଗାର୍ଡସ ମୁତୟନ ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେଣୁ ଟ୍ରମ୍ପ ମିଥ୍ୟା ଦାବି କରିଥିବାର ମନେ କରାଯାଉଛି । ସେହିପରି ଟ୍ରମ୍ପ ହଠାତ୍ କେଉଁ କାରଣରୁ ଭିଡିଓ ବାର୍ତ୍ତା ଜାରି କଲେ ତାକୁ ନେଇ ବି ଚର୍ଚ୍ଚା ଜାରି ରହିଛି । କୁହାଯାଉଛି କି ତାଙ୍କ ଝିଅ ଇଭାଙ୍କା ତାଙ୍କୁ ବୁଝାସୁଝା କରିବା ପରେ ସେ ଏପରି ପଦକ୍ଷେପ ନେଇଛନ୍ତି ।
ଏଥିସହ ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ଟ୍ୱିଟ୍ କରି ଜଣାଇଛନ୍ତି କି ସେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ । ଆମେରିକାର ଇତିହାସରେ ଦ୍ୱିତୀୟ ଥର ପାଇଁ ଏପରି ଘଟିବାକୁ ଯାଉଛି ଯେତେବେଳେ ଜଣେ ବିଦାୟୀ ରାଷ୍ଟ୍ରପତି ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ।
ହେଲେ ହିଂସାକାଣ୍ଡକୁ ନେଇ ଟ୍ରମ୍ପଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଥମିବାର ନାଁ ଧରୁନାହିଁ । ଉଭୟ ଡେମୋକ୍ରାଟ ଓ ରିପବ୍ଲିକାନ ପାର୍ଟିର ଅନେକ ନେତା ତାଙ୍କୁ ବରଖାସ୍ତ କରିବା ପାଇଁ ଦାବି କରିଛନ୍ତି । ତାଙ୍କ ବିରୋଧରେ ପୂର୍ବରୁ ଥରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା କିନ୍ତୁ ତାହା କାଟ ଖାଇଥିଲା । ଏବେ କିନ୍ତୁ ଆଉ ଥରେ ତାଙ୍କ ବିରୋଧରେ ଏଭଳି ପ୍ରସ୍ତାବ ଆଗତ କରାଯିବାକୁ ବିଚାରବିମର୍ଶ କରାଯାଉଛି । ସେହିପରି ଟ୍ରମ୍ପଙ୍କ କ୍ୟାବିନେଟର ସଦସ୍ୟମାନେ ଆମେରିକୀୟ ସମ୍ବିଧାନର ଧାରା ୨୫ର ଉପଯୋଗ କରି ଟ୍ରମ୍ପଙ୍କୁ କ୍ଷମତାରୁ ତୁରନ୍ତ ହଟାଇଦେବାକୁ ଦାବି ଜୋର ଧରିଛି । ଆମେରିକାର ବିଦେଶ ସଚିବ ମାଇକ୍ ପୋମ୍ପେଓ ଓ ଅନ୍ୟ କିଛି ନେତା ଏସମ୍ପର୍କରେ ଆଲୋଚନା କରିଛନ୍ତି । ଟ୍ରମ୍ପ ହିଁ ନିଜ ସମର୍ଥକମାନଙ୍କୁ ହିଂସା ଭିଆଇବା ପାଇଁ ଉସୁକାଇଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି ହେଉଛି ।
ହାଉସ ଅଫ ରିପ୍ରେଜେଣ୍ଟେଟିଭ୍ସର ଅଧ୍ୟକ୍ଷା ନାନ୍ସି ପେଲୋସି ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜାନୁଆରୀ ୨୦ ଯାଏଁ ବି କାମ କରିବା ପାଇଁ ସୁଯୋଗ ଦେବାକୁ ଚାହୁଁନାହାନ୍ତି । ସେ ଟ୍ରମ୍ପଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେବା ସହିତ ସମ୍ବିଧାନର ୨୫ତମ ସଂଶୋଧନ ଆଇନର ପ୍ରୟୋଗ କରି ତାଙ୍କୁ ତୁରନ୍ତ ପଦରୁ ହଟାଇବାକୁ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ କହିଛନ୍ତି । ଯଦି ପେନ୍ସ ଏପରି ନକରନ୍ତି, ତାହାହେଲେ ଡେମୋକ୍ରାଟମାନେ ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବେ ବୋଲି ସ୍ଥିର କରିଛନ୍ତି । ଏହି ପ୍ରକ୍ରିୟାର ଶୁଣାଣି ଶୀଘ୍ର ସାରିବା ପାଇଁ ପେଲୋସି ପ୍ରତିଶ୍ରୁତି ଦେଇଛନ୍ତି ।
ସେପଟେ କ୍ୟାପିଟଲ ବିଲ୍ଡିଂ ଉପରେ ଆକ୍ରମଣ ଘଟଣା ଏବଂ ଏଥିରେ ଟ୍ରମ୍ପଙ୍କ ସନେ୍ଦହଜନକ ଭୂମିକାକୁ ବିରୋଧ କରି ତାଙ୍କ କ୍ୟାବିନେଟର ଆଉ ଦୁଇ ଜଣ ସଦସ୍ୟ (ଶିକ୍ଷା ସଚିବ ଓ ପରିବହନ ସଚିବ) ପଦବିରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ତାଙ୍କ ଦ୍ୱାରା ନିଯୁକ୍ତ ଆଉ କିଛି ବରିÂ ଅଧିକାରୀ ପଦ ଛାଡ଼ିସାରିଛନ୍ତି ।
ଅନ୍ୟପକ୍ଷରେ ହିଂସାକାଣ୍ଡରେ ଆହତ ହୋଇଥିବା ଜଣେ ପୁଲିସ ଅଧିକାରୀଙ୍କର ଆଜି ମୃତୁ୍ୟ ହେବା ପରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚôଛି । ଅନ୍ୟ ୪ ଜଣ ମୃତକ ବିକ୍ଷୋଭକାରୀ ଥିଲେ ବୋଲି ସ୍ପଷ୍ଟ ହୋଇଛି ।
କ୍ୟାପିଟଲ ବିଲ୍ଡିଂ ଉପରେ ହୋଇଥିବା ଆକ୍ରମଣରେ ଯେଉଁ ବ୍ୟକ୍ତିମାନେ ସାମିଲ ଥିଲେ, ସେମାନଙ୍କ ଭିତରୁ କେତେକଙ୍କୁ ଚାକିରି ହରାଇବାକୁ ପଡ଼ିଛି । ସେମାନଙ୍କୁ ଏହି କାରଣରୁ ୧୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି କୁହାଯାଉଛି । ହିଂସାକାଣ୍ଡ ଭିଆଇବା ଏବଂ ଏହାକୁ ଉସୁକାଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ବିସ୍ତୃତ ତଦନ୍ତ କରାଯିବ ବୋଲି ୱାଶିଂଟନର ବିଚାର ବିଭାଗ ପ୍ରକାଶ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons