କାମାକ୍ଷାନଗର,(ବି.ବି.ନୁ୍ୟଜ୍): ବାର୍ହା ଶିକାର ପାଇଁ ବସାଇଥିଲେ ବିଦୁ୍ୟତ୍ ଫାଶ । ଶେଷରେ ଏହି ବିଦୁ୍ୟତ୍ ଫାଶ ସେମାନଙ୍କ ପାଇଁ କାଳ ହେଲା । ଏହି ବିଦୁ୍ୟତ୍ ଫାଶ ସଂସ୍ପର୍ଶରେ ଆସି ଦୁଇ ଜଣ ଯୁବକଙ୍କର ମୃତୁ୍ୟ ଘଟିଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଂଜା ଗ୍ରାମରେ ଏହି ଅଘଟଣ ଘଟିଛି ।
ସୂଚନା ଅନୁଯାୟୀ, ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତ କଞ୍ଜା ଗ୍ରାମରେ ୧୧ କେଭି ବିଦୁ୍ୟତ୍ ଲାଇନ୍ରେ ହୁକ ପକାଇ ବାର୍ହା ଶିକାର ପାଇଁ ବିଦୁ୍ୟତ୍ ଫାଶ ବିଛା ଯାଇଥିଲା । ବାଉଁଶ ଖୁଣ୍ଟି ଉପରେ କାଚ ବୋତଲ, ବୋତଲ ଉପରେ ମୁକୁଳା ଜିଆଇ ତାର ଗୁଡ଼ାଇ ଜନବସତି ଉପାନ୍ତ ଅଞ୍ଚଳରେ ଶିକାରୀ ଏହି ଫାଶ ବସାଇଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ତାରରେ ଲାଗି ମହେଶ୍ୱର ବିଶ୍ୱାଳ (୨୨) ନାମକ ଜଣେ ସ୍ଥାନୀୟ ଯୁବକଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ି ଯାଇଥିଲା । ସେହିପରି ମହେଶ୍ୱରଙ୍କର ଯେଉଁଠି ମୃତୁ୍ୟ ହୋଇଥିଲା, ସେଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ କବୀନ୍ଦ୍ର ଗଡ଼ନାୟକ (୪୦)ଙ୍କର ନିଶ୍ଚଳ ଶରୀର ପଡ଼ି ରହିଥିଲା । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ କାଳେ ବଞ୍ଚି ଯାଇଥିବେ ସନେ୍ଦହ କରି ସକାଳେ ପରିବାର ଲୋକ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ବନ୍ତଳା ଥାନା ଅଧିକାରୀ ଦାୟିତ୍ୱରେ ଥିବା ଯୁବ ଓପିଏସ୍ ଅଧିକାରୀ ସୌରଭ ଅତା କହିଛନ୍ତି, ମହେଶ୍ୱରଙ୍କ ମୃତୁ୍ୟ ଜୀବନ୍ତ ବିଦୁ୍ୟତ୍ ତାର ସଂସ୍ପର୍ଶରରେ ଆସି ହୋଇଥିବା ସ୍ପଷ୍ଟ ଜଣାପଡ଼ୁଥିଲେ ହେଁ କବିନ୍ଦ୍ରଙ୍କ ମୃତୁ୍ୟ ନେଇ ବ୍ୟବଚ୍ଛେଦ ରିପୋର୍ଟ୍କୁ ଅପେକ୍ଷା କରାଯାଇଛି । ବନ୍ତଳା ପୁଲିସ ସମେତ ବନାଞ୍ଚଳ ଅଧିକାରୀ ବିନ୍ଦୁସାଗର ପ୍ରଧାନ, କଞ୍ଜା ଫରେଷ୍ଟର ସୁଷମା ପଣ୍ଡା, ତ୍ରିନାଥ ଭୋଇ ପହଞ୍ଚି ଘଟଣାର ତଦନ୍ତ କରିଥିଲେ ।
ଅପରପକ୍ଷରେ କଙ୍କଡାହାଡ଼ ଥାନା ବାହାଡାପାଳ ଗ୍ରାମର ପ୍ରଶାନ୍ତ ମହାନ୍ତ(୨୨) ଆଜି ଘରେ ବୈଦୁ୍ୟତିକ ଉପକରଣ ସଜାଡ଼ୁ ଥିବା ବେଳେ ବିଦୁ୍ୟତ୍ ଆଘାତ ପାଇଥିଲେ । ମୁମୂର୍ଷୁ ଅବସ୍ଥାରେ ପରିବାର ଲୋକ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
Comments are closed, but trackbacks and pingbacks are open.