ଡାବୁଗାଁ,(ବି.ବି.ନୁ୍ୟଜ): ନିମ୍ନମାନ କାମ ଯୋଗୁ ଡ୍ରେନ ଭାଙ୍ଗି ଯାଉଛି । ସାମାନ୍ୟ ଆଘାତରେ କଂକ୍ରିଟ ଛାଡିଯାଉଛି । ଯାହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବରିଗାଁ ପଞ୍ଚାୟତ ସଦର ମହକୁମାରେ ଏହା ଦେଖିବାକୁ ମିଳିଛି । କାମକୁ ନେଇ ଗ୍ରାମବାସୀ ମଧ୍ୟ ବିରୋଧ କରିଛନ୍ତି ।
ସୂଚନା ଅନୁସାରେ, ସଦରମହକୁମାର ୮ ନମ୍ବର ୱାର୍ଡ ତଳସାହିରେ ଏହି କାମ ଚାଲିଛି । ଗାଁର ପର୍ଶୁରାମ ଭତ୍ରା, ରେବତୀ ଭତ୍ରା, ଦାମୋଦର ଭତ୍ରା, ଆସମତି ଭତ୍ରା ପ୍ରମୁଖ କହିଛନ୍ତି,ଡ୍ରେନ କାମରେ କମ୍ ସିମେଣ୍ଟ ଓ ଅଧିକ ବାଲି ଭାଗ ରହୁଛି । ଫଳରେ ନିର୍ମାଣର ଗୋଟିଏ ଦିନ ପରେ ଏହା ଭୁଶୁଡି ପଡୁଛି । ଅନ୍ୟପକ୍ଷରେ ଡ୍ରେନ୍ ନିର୍ମାଣ କାମ ନିକଟରେ କୌଣସି ସୂଚନା ଫଳକ ନାହିଁ । କାମ କିଏ କରୁଛି, କେତେ ଟଙ୍କାର, କେଉଁ ଯୋଜନା ଅବା ଅନୁଦାନରେ ନିର୍ମାଣ ହେଉଛି ତାହା ଜଣାପଡୁନି । ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ କାମ ବିଷୟରେ ଜାଣି ନଥିବା ଓ ବରିଗାଁ ଦାୟିତ୍ୱରେ ଥିବା ଜେଇ ନିରଞ୍ଜନ ଜେନା ରହିଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ, ଏହି ପଞ୍ଚାୟତ ଦାୟିତ୍ୱରେ ନଥିବା ନିରଞ୍ଜନ କହିଛନ୍ତି । ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ଅସୁସ୍ଥ ଥିବାରୁ ସେ କାମ ଚଳଉଥିବା କହିଛନ୍ତି । କୌଣସି ଫାଇଲ୍ ମିଳି ନଥିବାରୁ କାମ ପାଖକୁ ଯାଇ ନଥିବା ଶ୍ରୀ ଜେନା କହିଛନ୍ତି । ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.