ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ସହରରେ ରହିଥିବା ସ୍ବାସ୍ଥ୍ୟ କେନ୍ଦ୍ର ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାବେ ପରିଚିତ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳର ଲୋକମାନେ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଲୋକମାନେ ଉପଯୁକ୍ତ ରୋଗୀସେବା ପାଇପାରୁନଥବା ନେଇ ଗୁରୁବାର ପୂର୍ବାହ୍ନରେ ଭାରତୀୟ ଜନତା ପାର୍ଟି ତରଫରୁ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ରାଜ୍ୟ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୂପେ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ଡାକ୍ତର , ଫାର୍ମାସିଷ୍ଟ , ନର୍ସ ଓ କର୍ମଚାରୀଙ୍କ ଅଭାବ ରହିଥିବା ଅଭିଯୋଗ ପ୍ରକାଶ କରିଛନ୍ତି । ଏପରି କି ରୋଗୀମାନଙ୍କୁ ନିଜ ଆତ୍ମୀୟମାନେ ରୋଗୀସେବା ପାଇବା ଆଶାରେ ଏଠାକୁ ଆଣିଥାନ୍ତି । ରୋଗୀ ସାମାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ, ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଯାଉଛି । ଏଭଳି ପରିସ୍ଥିତିରେ ବେଳେବେଳେ ନିଯୁକ୍ତି ଡାକ୍ତରଙ୍କ କାର୍ୟ୍ୟରେ ଅବହେଳା ଯୋଗୁଁ ଲୋକେ ମୃତ୍ୟୁ ବରଣ କରିଥାନ୍ତି । ଯାହାକୁ ନେଇ ଆଜି ଭାଜପା ଗଞ୍ଜାମ ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ରଥଙ୍କ ନେତୃତ୍ବରେ ଦଳୀୟ କର୍ମୀ ଏକତ୍ରିତ ହୋଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ଗଣଧାରଣା ଦେବା ସହ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ତେବେ ଭାଜପା ପକ୍ଷରୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ ଅଛି ଯେ , ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ବିଶେଷଜ୍ଞ ଓ ଶିଶୁ ବିଶେଷଜ୍ଞ ସହ ତିନି ସ୍ଥାୟୀ ଡାକ୍ତର , ତିନି ଫାର୍ମାସିଷ୍ଟ, ତିନି ନର୍ସ ଓ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସକାଶେ ଦାବି ପତ୍ରରେ ପ୍ରକାଶ ପାଇଥିଲା । ଆସନ୍ତା ସାତଦିନ ମଧ୍ୟରେ ଏହି ସମସ୍ୟାର ଯଦି ସମାଧାନ ନ ହୁଏ ତେବେ ଭାରତୀୟ ଜନତା ପାର୍ଟି ତରଫରୁ ରାଜରାସ୍ତାରେ ଆନ୍ଦୋଳନ ଜୋର୍ ଧରିବା ବୋଲି ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ସମୟରେ ନଗର ସଭାପତି ଭବାନୀ ଶଙ୍କର ପଣ୍ଡା , ଯୁବମୋର୍ଚ୍ଚା ସଭାପତି ସିଏଚ. ହରିକୃଷ୍ଣ ପାତ୍ର , କୁରେଶୁ ମହାରଣା , ଶିବରାମ ବିଷୋୟୀ , ପ୍ରଶାନ୍ତ ପୂଜାରୀ , ଅରୁଣ ଚୌଧୁରୀ , ଟୁନା ଚୌଧୁରୀ , ମିଲନ ପାଣିଗ୍ରାହୀ , ଅଦ ସେଠୀ ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ।


Comments are closed, but trackbacks and pingbacks are open.