ନିରବୀ ଗଲେ କମଳ ଦେଶ ରାଜକୁମାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କମଳ ଦେଶ ରାଜକୁମାର…ହାତରେ ପୁଷ୍ପ ଧନୁ…ଲକ୍ଷେ ରାଜାର ମଉଡ଼ମଣି… ।
ଏହି କାଳଜୟୀ ସଙ୍ଗୀତର ସ୍ରଷ୍ଟା ତଥା ବିଶିଷ୍ଟ କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ନିଦେ୍ର୍ଧଶକ, ସାହିତି୍ୟକ ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉନାହାନ୍ତି । ରବିବାର ରାତି ୧୦ଟା୩୦ରେ ସତ୍ୟନଗରସ୍ଥିତ ବାସଭବନରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୮୩ ବର୍ଷ ହୋଇଥିଲା । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ୩ ପୁଅ ମହାପ୍ରସାଦ କର, ସନ୍ଧ୍ୟାଦୀପ କର, ମହାଦୀପ କର ଓ ପରିବାରବର୍ଗ ଉପସ୍ଥିତ ଥିଲେ ।
ସୋମବାର ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ପ୍ରଫୁଲ୍ଲଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି । ସଂଗୀତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ପ୍ରଶଂସକମାନେ କହିଛନ୍ତି ।
ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତର ସେ ଥିଲେ ବାଦ୍ଶାହା । ଭକ୍ତି ସଂଗୀତ ହେଉ କି ଚଳଚ୍ଚିତ୍ର ସଂଗୀତ ଅଥବା ଲଘୁ ସଂଗୀତ ସବୁଠି ତାଙ୍କର ନିଜସ୍ୱ ଛାପ ଥିଲା । ତାଙ୍କ ସ୍ୱର, ତାଙ୍କ ଠାଣି ଏବଂ ତାଙ୍କ ଉଚ୍ଚାରଣରେ ଥିଲା ଓଡ଼ିଆର ବାସ୍ନା । ସେ ୭୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ଗାଇଛନ୍ତି । ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି କମଳ ଦେଶ ରାଜକୁମାର, ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା, ହଇରେ ଫୁଲଗଛ କାହିଁକି ମଲୁ, ବହିଯାଏରେ ଗଙ୍ଗା ଉଡ଼ି ତ୍ରିରଙ୍ଗା, କେତେ ନଦୀ ଯାଏ ବହି, ବାହୁ ତଳେ ରଖ ମୋତେ ମହାବାହୁ, ମଣିମା ହେ ଏତିକି ମାଗୁଣି, ନୀଳଚକ୍ରେ ହେ ଦେଖ ଉଡ଼ୁଛି ବାନା, କାଳି କପାଳି ନରମୁଣ୍ଡ ମାଳି, ମହାବାହୁ ଅଖିଳ ଜଗତ ନାଥ । ପ୍ରତିଟି ଗୀତରେ ତାଙ୍କର ସ୍ୱତନ୍ତ୍ରତା ବାରି ହୋଇ ପଡ଼ିଥାଏ ।
ପ୍ରଫୁଲ୍ଲ ଗାଇଥିବା ଅଧିକାଂଶ ଜଣାଣ ଓ ଭଜନ ଥିଲା ଶ୍ରୀଜଗନ୍ନାଥଙ୍କ ଉଦେ୍ଧଶ୍ୟରେ । ତାଙ୍କର ପ୍ରତିଟି ଶବ୍ଦ କାଳିଆ ଠାକୁରଙ୍କ ଭକ୍ତି ରସରେ ପ୍ଲାବିତ ହେଉଥିଲା । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ବୈକୁଣ୍ଠ ଚତୁର୍ଦ୍ଧଶୀରେ ବଡ଼ଦାଣ୍ଡରେ ସେ ବିଶାଳ ଭଜନ ସମାବେଶ ଆୟୋଜନ କରୁଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିରେ ସ୍ୱର୍ଗତ କରଙ୍କ ଅଗାଧ ପାଣ୍ଡିତ୍ୟ ଥିଲା । ସେ ନିଜ ଲେଖାରେ ଶ୍ରୀଜଗନ୍ନାଥ ସଂସ୍କୃତି, ପୁରୀ ବୋଲି, ଖାଦ୍ୟ ଓ ଚାଲିଚଳଣିକୁ ଉତାରୁଥିଲେ, ଯାହା ଅଶେଷ ଲୋକପ୍ରିୟତା ଅର୍ଜନ କରିଥିଲା ।
୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀ ସହରର ମାର୍କଣ୍ଡେଶ୍ୱର ସାହିରେ ପ୍ରଫୁଲ୍ଲଙ୍କ ଜନ୍ମ । ପିତା ବୈଦ୍ୟନାଥ କର ଓ ମାଆ ସୁଶୀଳା କରଙ୍କ ସୁପୁତ୍ର ଥିଲେ । ଗଦାଧର ଉଚ୍ଚ ବିଦ୍ୟାଳୟରେ ସେ ପାଠ ପଢ଼ୁଥିଲେ । ଏହାପରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ପୁରୀ କୋର୍ଟରେ କିଛିକାଳ ଓକିଲାତି ମଧ୍ୟ କରିଥିଲେ । ପ୍ରଫୁଲ୍ଲଙ୍କ ମାମୁ କ୍ଷେତ୍ରମୋହନ କର ଥିଲେ ପ୍ରସିଦ୍ଧ ତବଲା ବାଦକ । ମାମୁଙ୍କ ପ୍ରେରଣାରେ ସେ ସଂଗୀତରେ ମନୋନିବେଶ କରିଥିଲେ । ପରେ ସଙ୍ଗୀତ ବିଶାରଦ କୋର୍ସ ହାସଲ କରିଥିଲେ ।
ସ୍ୱର୍ଗତ କର ଅନେକ ଚଳଚିତ୍ରରେ ସଙ୍ଗୀତ ନିଦେ୍ର୍ଧଶନା ଦେଇ ଓଡ଼ିଆ ସଙ୍ଗୀତ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ମମତା, ବଳିଦାନ, ମା’ ଓ ମମତା, ହିସାବ ନିକାଶ, ପାଚେରି ଉଠିଲା ମଝି ଦୁଆରେ, ତୁଣ୍ଡ ବାଇଦ, ବସ୍ତ୍ରହରଣ, ତପସ୍ୟା, କୃଷ୍ଣସୁଦାମା, ମଥୁରା ବିଜୟ, ଚିଲିକା ତୀରେ, ସେଇ ଝିଅଟି, ଛ’ ମାଣ ଆଠଗୁଣ୍ଠ, ଜଗାବଳିଆ, ନାଗପଞ୍ଚମୀ ପ୍ରଭୃତି ୭୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ସଙ୍ଗୀତ ନିଦେ୍ର୍ଧଶନା ଦେଇ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ଓଡ଼ିଆ ସଂଗୀତକୁ ଶୀର୍ଷ ସ୍ଥାନକୁ ନେଇଯାଇଥିଲେ ।
ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ରେ କେନ୍ଦ୍ର ସରକାରଙ୍କ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଏଥିସହ ସେ ରାଜ୍ୟ ସରକାରଙ୍କ ଜୟଦେବ ପୁରସ୍କାର (୨୦୦୪) ଓ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନ ଲାଭ କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡି. ଲିଟ୍ ଉପାଧି ମିଳିଥିଲା ।
ଦେଶରେ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଗାୟକମାନଙ୍କୁ ନେଇ ଏଲ୍ପି ରେକର୍ଡ ପ୍ରସ୍ତୁତ କରିଥିଲେ ପ୍ରଫୁଲ୍ଲ । ଏଚ୍ଏମ୍ଭି କମ୍ପାନୀ ଏହି କ୍ୟାସେଟ୍ ପ୍ରସ୍ତୁତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons