ନୂଆଦିଲ୍ଲୀ: ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହଙ୍କ ସମୀକ୍ଷା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ଏହି ମାମଲାରେ ଜଡ଼ିତ ୪ ବଳାକ୍ରାରୀଙ୍କୁ ଫାଶୀ ଦିଆଯିବା ଏକପ୍ରକାର ନିଶ୍ଚିତ ହୋଇଛି । ବିଚାରପତି ଆର. ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ୨୦୧୭ ରାୟର ସମୀକ୍ଷା କରାଯିବାର ଯଥାର୍ଥ କାରଣ ନାହିଁ । ତା’ଛଡା ଦୋଷୀ ଅକ୍ଷୟ ସିଂହ ଯେଉଁ ପ୍ରସଙ୍ଗ ଉଠାଇଛି ତାହା ମୁଖ୍ୟ ରାୟରେ ସୁପି୍ରମକୋର୍ଟ ବିଚାର କରିସାରିଛନ୍ତି । ବିଚାରପତି ଅଶୋକ ଭୁଷଣ ଓ ବିଚାରପତି ଏ.ଏସ. ବୋପାନ୍ନା ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଥିଲେ ।
ସର୍ବୋଚ୍ଚ ଅଦାଲତ ଶୁଣାଣି ବେଳେ ଦୋଷୀ ଅକ୍ଷୟ ସିଂହର ଓକିଲ ଏ.ପି. ସିଂହ ଓ ପ୍ରତିପକ୍ଷ ଓକିଲ ତଥା ସିଲିସିଟର ଜେନେରାଲ ତୁଷାର ମେହଟ୍ଟାଙ୍କୁ କହିବା ପାଇଁ ୩୦ ମିନିଟ୍ ଲେଖାଏଁ ସମୟ ଦେଇଥିଲେ । ସିଂହ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ମହକିଲ ନିଦେ୍ର୍ଧାଷ । ଏପରିକି ନିର୍ଭୟା ତାଙ୍କ ମୃତୁ୍ୟକାଳୀନ ଜମାନବନ୍ଦୀରେ ଅକ୍ଷୟର ନାମ ନେଇନଥିଲେ । ଚିକିତ୍ସା ସମୟରେ ପୀଡ଼ିତା ଲଗାତାର ଭାବେ ମର୍ଫିନରେ ଥିଲେ । ତେଣୁ ତାଙ୍କ ବୟାନ କିଭଳି ରେକର୍ଡ କରାଗଲା । ସେହିଭଳି ପୀଡ଼ିତାଙ୍କ ବୟଫ୍ରେଣ୍ଡ ଟଙ୍କା ନେଇ ମିଡିଆ ଆଗରେ ମିଥ୍ୟା ବୟାନ ଦେଇଥିଲେ । ସେଥିପାଇଁ ତାଙ୍କ ବିରୋଧରେ ମାମଲା ଚାଲିଥିଲା । ତେଣୁ ତାଙ୍କ ବୟାନକୁ କିଭଳି ବିଶ୍ୱାସକୁ ନିଆଯିବ । କେବଳ ମିଡିଆ ଓ ରାଜନୈତିକ ଚାପରେ ତାଙ୍କ ମହକିଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତା’ଛଡ଼ା ଭାରତ ଅହିଂସାର ଦେଶ । ମୃତୁ୍ୟଦଣ୍ଡ ମାନାବଧିକାରର ଉଲ୍ଲଂଘନ । ତେଣୁ ଦୟାକରି ମୃତୁ୍ୟଦଣ୍ଡ ଦିଆ ନଯାଉ । ହେଲେ ସିଂହଙ୍କ ଏସବୁ ଯୁକ୍ତିକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ ।
ଅନ୍ୟପକ୍ଷରେ ମେହେଟ୍ଟା ତାଙ୍କର ଏଭଳି ଯୁକ୍ତିକୁ ଦୃଢ଼ ବିରୋଧ କରିଥିଲେ । କହିଥିଲେ ଆବେଦନକାରୀ ବିଭିନ୍ନ ପିଟିସନ ଓ ରାଜକ୍ଷମା ଦାଖଲ ଆଳରେ ମାମଲାକୁ ଗଡ଼ାଇବାକୁ ଚାହୁଁଛନ୍ତି । ସେଦିନ ରାଜଧାନୀ ଦିଲ୍ଲୀରେ ଯେଉଁ ଘଟଣା ଘଟିଲା ଭଗବାନ ମଧ୍ୟ ଦୁଇଟି ଘଟଣାକୁ ନେଇ ଲଜ୍ଜାରେ ନିଜ ମୁଣ୍ଡ ତଳକୁ କରିଦେଇଥିବେ । ପ୍ରଥମ ଘଟଣା ହେଲା ପୀଡ଼ିତାଙ୍କୁ ବଞ୍ଚାଇ ନପାରିବାରୁ ଏବଂ ଦ୍ୱିତୀୟଟି ହେଲା ୫ ଜଣ ରାକ୍ଷସଙ୍କୁ ଜନ୍ମ ଦେଇଥିବାରୁ । ତେଣୁ ସମୀକ୍ଷା ଆବେଦନ ତୁରନ୍ତ ଖାରଜ କରାଯିବା ସହ ଆଇନକୁ ତା ବାଟରେ ଯିବାକୁ ଦେବା ଲାଗି ମେହଟ୍ଟା କୋର୍ଟଙ୍କୁ ନିବେଦନ କରିଥିଲେ । ରାୟ ପ୍ରକାଶ ପରେ ଦୋଷୀ ଅକ୍ଷୟ ସିଂହର ଓକିଲ ଏ.ପି. ସିଂହ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ଲାଗି ୩ ସପ୍ତାହ ସମୟ ଲୋଡ଼ିଥିଲେ । ମାତ୍ର ସର୍ବୋଚ୍ଚ ଅଦାଲତ କହିଥିଲେ କି ଆଇନ ଅନୁସାରେ ଧାର୍ଯ୍ୟ ସମୟସୀମା ଭିତରେ ରାଜକ୍ଷମା ଆବେଦନ କରାଯାଇପାରିବ ।
ସ୍ମରଣଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସ୍ରେ ୬ ଜଣ ଅଭିଯୁକ୍ତ ଗଣବଳାକ୍ରାର କରିବା ପରେ ରାସ୍ତାରେ ଫିଙ୍ଗି ଦେଇଥିଲେ । ଦୀର୍ଘ ୧୩ ଦିନ ଧରି ମୃତୁ୍ୟ ସହ ସଂଗ୍ରାମ କରିବା ପରେ ଡିସେମ୍ବର ୨୯ରେ ନିର୍ଭୟା ଆଖି ବୁଜିଥିଲେ । ୬ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିଲା ବେଳେ ତାର ବିଚାର ବାଲ୍ୟ ଅପରାଧ କୋର୍ଟରେ ହୋଇଥିଲା । ୩ ବର୍ଷ ସୁଧାର ଗୃହରେ ରହିବା ପରେ ତାକୁ ମୁକ୍ତ କରାଯାଇଥିଲା । ଅନ୍ୟତମ ଅଭିଯୁକ୍ତ ତଥା ବସ୍ର ଡ୍ରାଇଭର ରାମ ସିଂହ ୨୦୧୫ରେ ତିହାର ଜେଲ୍ରେ ଥିଲା ବେଳେ ଆତ୍ମହତ୍ୟା କରିଥିଲା । ଅନ୍ୟ ୪ ଅଭିଯୁକ୍ତ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହଙ୍କୁ ତଳକୋର୍ଟ ୨୦୧୩ ସେପ୍ଟେମ୍ବରରେ ଦୋଷୀ ସାବ୍ୟସ୍ତ କରି ମୃତୁ୍ୟଦଣ୍ଡରେ ଦଣ୍ଡିତ କରିଥିଲେ । ହାଇକୋର୍ଟ ସେମାନଙ୍କ ଦଣ୍ଡାଦେଶକୁ କାଏମ ରଖିବା ପରେ ଦୋଷୀ ୪ ଜଣ ସୁପି୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ୨୦୧୭ରେ ସେମାନଙ୍କ ମୃତୁ୍ୟ ଦଣ୍ଡାଦେଶକୁ କାଏମ ରଖିଥିଲେ । ଏହା ପରେ ଅକ୍ଷୟକୁ ବାଦ ଦେଲେ ଅନ୍ୟ ୩ ଦୋଷୀ ମୁକେଶ, ପୱନ ଓ ବିନୟ ଗତବର୍ଷ ସୁପି୍ରମକୋର୍ଟରେ ସମୀକ୍ଷା ଆବେଦନ କରିଥିଲେ । ମାତ୍ର ତାହା ଖାରଜ ହୋଇଯାଇଥିଲା । ତେବେ ଚଳିତ ମାସରେ ଅକ୍ଷୟ ସୁପି୍ରମକୋର୍ଟରେ ସମୀକ୍ଷା ଆବେଦନ ଦାଖଲ କରିଥିଲା ।
Comments are closed, but trackbacks and pingbacks are open.