ନିର୍ଭୟା ମାମଲା:ଫେବ୍ରୁଆରୀ ୧ ରେ ଫାଶୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ମାମଲାର ଦୋଷୀଙ୍କୁ ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ତିହାର ଜେଲ୍ରେ ଫାଶୀ ଦିଆଯିବ । ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ମୁକେଶ ସିଂହର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଖାରଜ କରିଦେବା ପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନୂତନ ଡେଥ୍ ୱାରେଣ୍ଟ (ବ୍ଲାକ୍ ୱାରେଣ୍ଟ) ଜାରି କରିବା ସହ ଫାଶୀ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି ।
ସମସ୍ତ ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀଖୁଣ୍ଟରେ ଝୁଲାଇବାକୁ ପୂର୍ବରୁ ଡେଥ୍ ୱାରେଣ୍ଟ ଜାରି ହୋଇଥିଲା । କିନ୍ତୁ ମୁକେଶ ରାଜକ୍ଷମା ଆବେଦନ କରିବା କାରଣରୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଗୁରୁବାର ଉକ୍ତ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଜାରି କରିଥିଲେ । ରାଜକ୍ଷମା ଆବେଦନ ଖାରଜ ହେବା ପରେ ଦୋଷୀଙ୍କୁ ୧୪ ଦିନ ସମୟ ଦିଆଯିବାର ନିୟମ ରହିଛି । ଏଣୁ ୧୪ ଦିନ ପରେ ହିଁ ଫାଶୀ ଦେବା ନିମନ୍ତେ ନୂତନ ତାରିଖ ଧାର୍ଯ୍ୟ କରାଯାଇଛି । ଇତି ମଧ୍ୟରେ ପବନ ଗୁପ୍ତା ନାମକ ଅନ୍ୟତମ ନିର୍ଭୟା ବଳାକ୍ରାରୀ ତାଙ୍କ ବିରୋଧରେ ଜାରି ଡେଥ୍ ୱାରେଣ୍ଟ ରଦ୍ଧ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
କୁ୍ୟରେଟିଭ ପିଟିସନ ଖାରଜ ହେବା ପରେ ଶେଷ ସାମ୍ବିଧାନିକ ବିକଳ୍ପ ଭାବେ ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ଶୁକ୍ରବାର ତାଙ୍କ ରାଜକ୍ଷମା ଅବେଦନକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା । ଉକ୍ତ ରାଜକ୍ଷମା ଆବେଦନକୁ ଖାରଜ କରିବା ଲାଗି ମନ୍ତ୍ରଣାଳୟ ସୁପାରିସ କରିଥିଲା । ଫଳରେ ରାଷ୍ଟ୍ରପତି ହିଁ ଶୁକ୍ରବାର ତାକୁ ଖାରଜ କରିଦେଇଛନ୍ତି । ରାଜକ୍ଷମା ଆବେଦନକୁ ଖାରଜ କରିବା ବିଷୟରେ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯାଇଛି । ଫଳରେ ରାଜକ୍ଷମା ଆବେଦନ ଖାରଜ ହେବା ସହ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ମୁକେଶ ନିକଟରେ ସବୁ ରାସ୍ତା ବନ୍ଦ ହୋଇଯାଇଛି । ଅନ୍ୟପକ୍ଷରେ ମାମଲାର ଅନ୍ୟ ୩ ଦୋଷୀ ବିନୟ ଶର୍ମା, ଅକ୍ଷୟ ସିଂହ ଓ ପବନ ଗୁପ୍ତା ବର୍ତ୍ତମାନ ସୁଦ୍ଧା ରାଜକ୍ଷମା ଆବେଦନ କରିନାହାନ୍ତି । ଏପରିକି ପବନ ଓ ଅକ୍ଷୟ ବର୍ତ୍ତମାନ ସୁଦ୍ଧା କୁ୍ୟରେଟିଭ ପିଟିସନ ମଧ୍ୟ ଦାୟର କରିନାହାନ୍ତି । ସମାନ ମାମଲାରେ ସମସ୍ତ ଦୋଷୀଙ୍କୁ ଏକାଠି ଫାଶୀ ଦେବାର ନିୟମ ରହିଛି । ଏଣୁ ଅନ୍ୟ ଦୋଷୀମାନେ ଯଦି ରାଜକ୍ଷମା ଆବେଦନ କରନ୍ତି ତେବେ ଫାଶୀ ମିଳିବା ଆହୁରି ବିଳମ୍ବ ହେବା ସମ୍ଭାବନା ରହିଛି ।
ଇତିମଧ୍ୟରେ ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଘଟଣା ଘଟିବା ସମୟରେ ସେ ନାବାଳକ ଥିବାରୁ ତାର ଡେଥ୍ ୱାରେଣ୍ଟ ରଦ୍ଧ କରିବାକୁ ପବନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । କିନ୍ତୁ ହାଇକୋର୍ଟ ଗତ ଡିସେମ୍ବର ୧୯ରେ ପବନର ଏହି ଆବେଦନକୁ ଖାରଜ କରିଦେଇଥିଲେ । ପୂର୍ବରୁ ତଳକୋର୍ଟ ମଧ୍ୟ ତାର ଏଭଳି ଆବେଦନକୁ ଖାରଜ କରିଥିଲେ । ଫଳରେ ପବନ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୭ରେ ହିଁ ପଟିଆଲା ହାଉସ୍ କୋର୍ଟ ସମସ୍ତ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କରିଥିଲେ । କିନ୍ତୁ ଫାଶୀରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବାର ବିକଳ୍ପ ଦୋଷୀମାନଙ୍କ ନିକଟରେ ଥିଲା । ଦୋଷୀ ମୁକେଶ ଓ ବିନୟ ଗତ ମଙ୍ଗଳବାର ସୁପ୍ରିମକୋର୍ଟରେ କୁ୍ୟରେଟିଭ ପିଟିସନ ଦାଖଲ କରିଥିଲେ । ହେଲେ ସୁପି୍ରମକୋର୍ଟ ତାକୁ ଖାରଜ କରିଦେଇଥିଲେ । ସେହିଦିନ ମୁକେଶ ଜେଲ୍ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଦିଲ୍ଲୀ ସରକାରଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ଏଥିସହ ମୁକେଶ ବୁଧବାର ତାଙ୍କ ବିରୋଧରେ ଜାରି ଡେଥ ୱାରେଣ୍ଟ ରଦ୍ଧ କରିବାକୁ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲା । ହାଇକୋର୍ଟ ତାକୁ ଖାରଜ କରିଦେବା ସହ ତଳକୋର୍ଟରେ ଅପିଲ କରିବା ଲାଗି କହିଥିଲେ । ପରେ ମୁକେଶ ପଟିଆଲା ହାଉସ୍ କୋର୍ଟରେ ଡେଥ ୱାରେଣ୍ଟକୁ ରଦ୍ଧ କରିବା ଲାଗି ପିଟିସନ ଦାଖଲ କରିଥିଲା । ଗୁରୁବାର ତା ଉପରେ ଶୁଣାଣି କରି କୋର୍ଟ ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ।
ଅନ୍ୟପକ୍ଷରେ ଫାଶୀରେ ବିଳମ୍ବ ପାଇଁ ନିର୍ଭୟାଙ୍କ ମା’ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉପରେ କ୍ଷୋଭ ଜାହିର କରିଛନ୍ତି । ଉଭୟ ସରକାର ପରସ୍ପର ଉପରେ ଦୋଷ ଲଦି ରାଜନୀତି କରୁଥିବାରୁ ତାଙ୍କ ଝିଅକୁ ନ୍ୟାୟ ମିଳିପାରୁନଥିବା ସେ କହିଛନ୍ତି । ଅରବିନ୍ଦ କେଜରିୱାଲ କ୍ଷମତା ଲୋଭରେ ନିର୍ଭୟା ମାମଲାର ଅପବ୍ୟବହାର କରୁଥିବା ନିର୍ଭୟାଙ୍କ ପିତା ଅଭିଯୋଗ କରିଛନ୍ତି । କେଜରିୱାଲ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଯାହା ବି କାମ ଥିଲା ସେ ସବୁ ୧ ଘଣ୍ଟା ମଧ୍ୟରେ ଶେଷ କରାଯାଇଛି । ଏଣୁ ବିଳମ୍ବ ପାଇଁ ଦିଲ୍ଲୀ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ । ଅନ୍ୟ ରାଜନୈତିକ ଦଳମାନେ ନିର୍ଭୟାଙ୍କ ପରିବାର ଲୋକଙ୍କୁ ଆପ୍ ସରକାର ବିରୋଧରେ ଭ୍ରମିତ କରୁଥିବା କେଜରିୱାଲ ଅଭିଯୋଗ କରିଛନ୍ତି । ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରିବା ପରେ ଦୋଷୀମାନଙ୍କୁ ଯଥାଶୀଘ୍ର ଫାଶୀଖୁଣ୍ଟରେ ଝୁଲାଯାଉ ବୋଲି ରାଷ୍ଟ୍ରୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ଦାବି କରିଛନ୍ତି । ରେଖା ଏକ ଟୁଇଟ ଯୋଗେ କହିଛନ୍ତି ଯେ ନିର୍ଭୟା ଦୋଷୀମାନଙ୍କ ଓକିଲ ଆଇନ ସହ ଖେଳୁଛନ୍ତି । ଦୋଷୀମାନେ ଆଇନର ଦୁରୁପଯୋଗ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons