ସମୁଦ୍ରରେ ୬ ଘଣ୍ଟା ଫସିଲେ ୩୦ ଯାତ୍ରୀ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ପ୍ରବଳ କୁହୁଡ଼ିକୁ ନେଇ ଆଜି ରାଜନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି କୁହୁଡ଼ି ଯୋଗୁଁ ସରକାରୀ ଯାତ୍ରୀବାହୀ ଲଞ୍ଚ୍ ଜଳପଥରେ ଦିଗହରା ହୋଇପଡ଼ିଥିଲା । ସମୁଦ୍ରର ଅଥଳ ଜଳରାଶି ମଧ୍ୟକୁ ଚାଲି ଯାଇଥିଲା । ସମୁଦ୍ର ମଧ୍ୟରେ ଏକ ବାଲିପଠାରେ ମୋଟର ଲଞ୍ଚ୍ ଲାଗିଯିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୩୦ ଜଣ ଯାତ୍ରୀ ଦୀର୍ଘ ୬ ଘଣ୍ଟାରୁ ଅଧିକ ସମୟ ଧରି ଅଥଳ ଜଳରେ ଫସି ରହିଥିଲେ । ପରେ ଧାମରା ସାମୁଦ୍ରିକ ଥାନା ପୁଲିସ ସେଠାରେ ପହଞ୍ଚି ସୁରକ୍ଷିତ ଭାବେ ସେମାନଙ୍କୁ ଉଦ୍ଧାର କରିଥିଲେ ।
ଖବର ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଯାଏଁ ସରକାରୀ ଯାତ୍ରୀବାହୀ ମୋଟର ଲଞ୍ଚ୍ ଯା’ଆସ କରୁଛି । ଆଜି ସକାଳ ୬ଟା ୧୫ରେ ଏମ୍ଏଲ୍ ଗଙ୍ଗା ନାମକ ଏକ ସରକାରୀ ଲଞ୍ଚ୍ ୩୦ ଜଣ ଯାତ୍ରୀଙ୍କୁ ନେଇ ବାହାରିଥିଲା । ଏହି ଯାତ୍ରୀବାହୀ ମୋଟର ଲଞ୍ଚ୍ ତାଳଚୁଆରୁ ବାହାରି ଚାନ୍ଦବାଲିରେ ପହଞ୍ଚିଥାଏ । ଆଜି ଘନକୁହୁଡ଼ି ଫଳରେ ନଦୀ ଭିତରେ କିଛି ଦୃଶ୍ୟମାନ ହେଉନଥିଲା । ଯାତ୍ରୀବାହୀ ମୋଟର ଲଞ୍ଚ୍ କାରନାଳି ଯିବା ପାଇଁ ବୈତରଣୀ ନଦୀରେ ବୁଲାଣି ସମୟରେ ଭୁଲ୍ କ୍ରମେ ସମୁଦ୍ର ଆଡ଼କୁ ଚାଲିଯାଇଥିଲା । ସମୁଦ୍ର ମଧ୍ୟରେ ଥିବା ଏକ ବାଲିଚରରେ ଯାତ୍ରୀବାହୀ ମୋଟର ଲଞ୍ଚ୍ ଲାଗିଯାଇଥିଲା । ସମୁଦ୍ର ଭିତରକୁ ପ୍ରାୟ ୫ କିମି ଭିତରକୁ ଯାତ୍ରୀବାହୀ ଲଞ୍ଚ୍ଟି ପଳାଇ ଯାଇଥିଲା । ସରକାରୀ ଯାତ୍ରୀବାହୀ ଲଞ୍ଚ୍ରେ ଜିପିଆର୍ଏସ୍ ନଥିବା ବେଳେ କମ୍ପାସ୍ କାମ କରୁ ନଥିବାରୁ କେଉଁ ସ୍ଥାନରେ ଅଟକିଛି ତାହା କେହି ଜାଣିପାରି ନଥିଲେ । ସରକାରୀ ଯାତ୍ରୀବାହୀ ଲଞ୍ଚ୍ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଇଫ୍ ଜ୍ୟାକେଟ ନଥିଲା । ଫଳରେ ଯାତ୍ରୀମାନେ ଅଧିକ ଭୟଭୀତ ହୋଇପଡ଼ିଥିଲେ । ମୋଟର ଲଞ୍ଚ୍ରେ ଶିଶୁ, ମହିଳାଙ୍କ ସମେତ ୩୦ ଜଣ ଯାତ୍ରୀ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons