ନୂଆଦିଲ୍ଲୀ:ଭାରତ ସରକାର ୪୦ ଲକ୍ଷ ଟନ୍ର ଏକ ଚିନି ଭଣ୍ଡାର ନିର୍ମାଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିପାଇଁ ଆନୁମାନିକ ଭାବେ ସର୍ବାଧିକ ୧୬୭୪ କୋଟି ଟଙ୍କାର ବ୍ୟୟ ବରାଦ କରାଯିବ । ବଜାର ଦର ଆଧାରରେ ଓ ଚିନିର ଉପଲବ୍ଧତା ଅନୁଯାୟୀ ଏଥିରେ ପରିବର୍ତ୍ତନ ଆଣିବା ତଥା ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ନେଇ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସମୀକ୍ଷା କରିପାରିବେ ।
ଏହି ଯୋଜନା ଅନୁଯାୟୀ ଚିନିକଳ ଗୁଡିକଠାରୁ ଚାରି ମାସରେ ଥରେ ଅର୍ଥ ଆଦାୟ କରାଯିବ ଏବଂ ଆଖୁ ମୂଲ୍ୟ ଓ ଯଦି କିଛି ବକେୟା ରାଶି ଥାଏ ତେବେ ସେ ବାବଦ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରାଯିବ ।
ଏହି ନିଷ୍ପତି ଫଳରେ ଘରୋଇ ଚିନି ବଜାରରେ ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ଦରରେ ସ୍ଥିରତା ରକ୍ଷା କରାଯାଇପାରିବ ଏବଂ ଏହାଫଳରେ ସଠିକ ସମୟରେ ଆଖୁ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ । ଚିନିକଳଗୁଡିକର ବକେୟା ଦର ପ୍ରଦାନ କରାଯିବା ଦ୍ୱାରା ଆଖୁ ଉତ୍ପାଦନ କରୁଥିବା ସମସ୍ତ ରାଜ୍ୟଗୁଡିକୁ ଲାଭ ମିଳିବ ।


Comments are closed, but trackbacks and pingbacks are open.