ନିଲାମ ହୋଇପାରେ ୫ ଆବଣ୍ଟିତ କୋଇଲା ବ୍ଲକ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ୱେଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ (ଡବ୍ଲୁ୍ୟସିଏଲ୍)କୁ ଓଡିଶାରେ ଦିଆଯାଇଥିବା ୫ଟି କୋଇଲା ବ୍ଲକରେ କମ୍ପାନି ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରିପାରିନାହିଁ । ଫଳରେ ଏହି କୋଇଲା ବ୍ଲକ ଗୁଡିକ ନିଲାମ ହୋଇଯିବାର ଆଶଙ୍କା ଉପୁଜିଛି ।
ବର୍ଷକ ପୂର୍ବେ ମହାରାଷ୍ଟ୍ରର ଡବ୍ଲୁ୍ୟସିଏଲ୍କୁ ଓଡିଶାର ୫ଟି କୋଇଲା ବ୍ଲକ ମଞ୍ଜୁର ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଇଲା ମନ୍ତ୍ରାଳୟର ଏଭଳି ନିଷ୍ପତ୍ତିକୁ ଦୃଢ ବିରୋଧ କରିଥିଲେ । କୋଇଲା ମନ୍ତ୍ରାଳୟ ରାମପିଆ, ଡିପ୍ ସାଇଡ୍ ରାମପିଆ, ଘୋଗରପାଲି, ଡିପ୍ ସାଇଡ୍ ଘୋଗରପାଲି ଏବଂ ବିଜାହନ କୋଇଲା ବ୍ଲକକୁ ଡବ୍ଲୁ୍ୟସିଏଲ୍କୁ ଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏସବୁ କୋଇଲା ବ୍ଲକ ଗୁଡିକ ମହାନଦୀ କୋଲଫିଲ୍ଡସ୍ (ଏମ୍ସିଏଲ୍)ର ପରିସୀମା ମଧ୍ୟରେ ଆସୁଥିବାବେଳେ କୋଇଲା ମହଜୁଦ ଥିବା ଇଲାକା ମଧ୍ୟ ଏମ୍ସିଏଲ୍ ଖନନ ଅଞ୍ଚଳରେ ରହିଛି । ଉଭୟ ଡବ୍ଲୁ୍ୟସିଏଲ୍ ଓ ଏମ୍ସିଏଲ୍ କୋଲ ଇଣ୍ଡିଆ ଲିମିଟେଡ (ସିଆଏଲ୍)ର ସହାୟକ ସଂସ୍ଥା ହୋଇଥିବାବେଳେ ନାଗପୁରସ୍ଥିତ କୋଇଲା କମ୍ପାନି ଡବ୍ଲୁ୍ୟସିଏଲ୍କୁ ୨୦୧୮ ଟି ଓଡିଶାର ୫ଟି କୋଇଲା ବ୍ଲକ ଦିଆଯାଇଥିଲା ।
ସେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ ଯେ ନାଗପୁରଠାରେ ମୁଖ୍ୟ ଦପ୍ତର ଥିବା ଡବ୍ଲୁ୍ୟସିଏଲ୍ ଏଠାରେ ଠିକଣା ଭାବେ ଖଣି କାର୍ଯ୍ୟ କରିପାରିବନାହିଁ । କୋଇଲା ଖଣି କାର୍ଯ୍ୟ ଚଳାଇବା ପାଇଁ ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ଲାଗି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସହିତ ଉତ୍ତମ ସମନ୍ୱୟ ରଖିବା ଜରୁରି । ସେତେବେଳେ କୋଇଲା ମନ୍ତ୍ରାଳୟ ରାଜ୍ୟ କଥା ଶୁଣି ନଥିବାବେଳେ ଏବେ କୋଇଲା ବ୍ଲକ ପାଇବାର ବର୍ଷାଧିକ ସମୟରେ ପରେ ବି ଡବ୍ଲୁ୍ୟସିଏଲ୍ କାର୍ଯ୍ୟ ଆରମ୍ଭ କରିପାରୁନାହିଁ ।
ବର୍ତ୍ତମାନ ସୁଦ୍ଧା ଡବ୍ଲୁ୍ୟସିଏଲ୍ କୋଇଲା ବ୍ଲକର ବିକାଶ ପାଇଁ ରାଜିନାମା କରିନଥିବାରୁ ଏହି ଖଣି ଗୁଡିକୁ ନିଲାମ କରିବା ପାଇଁ କେନ୍ଦ୍ର ସରକାର ବାଧ୍ୟ ହେବେ । ପୂର୍ବରୁ ରାଜ୍ୟ ସରକାର ଏହି କୋଇଲା ଖଣି ଗୁଡିକୁ ରାଜ୍ୟ ସରକାରଙ୍କ ସଂସ୍ଥାକୁ ଦେବା ପାଇଁ କହିଥିଲେ ଯାହା ଫଳରେ ଯେତେଶୀଘ୍ର ସମ୍ଭବ ଖଣିକାର୍ଯ୍ୟ ଆରମ୍ଭ ହୋଇପାରିବ । କିନ୍ତୁ କୋଇଲା ମନ୍ତ୍ରାଳୟଏଥିରେ ରାଜି ହୋଇନଥିଲା ।
ଓଡିଶା ଖଣି ନିଗମ (ଓଏମ୍ସି) ଏବଂ ଓଡିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ (ଓସିପିଏଲ୍) କୋଇଲା ବ୍ଲକ ବିକାଶ ପାଇଁ ସକ୍ଷମ । ଇତିମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ ସରକାରୀ ସଂସ୍ଥା ସହିତ ଡବ୍ଲୁ୍ୟସିଏଲ୍ ମିଳିତ ଭାବେ କୋଇଲା ବ୍ଲକର ବିକାଶ ଲାଗି ପ୍ରସ୍ତାବ ଦେଇଛନ୍ତି । ଏଥିରେ କୋଇଲା ବ୍ଲକ ବିକାଶ କ୍ଷେତ୍ରରେ ଡବ୍ଲୁ୍ୟସିଏଲ୍ ଅପାରଗତା ସଂକ୍ରାନ୍ତରେ କେନ୍ଦ୍ର ସରକାର ବର୍ତ୍ତମାନ ବୁଝିଲେଣି । ଏଥିଯୋଗୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିପୁଳ ରାଜସ୍ୱ ହରାଇବା ସହିତ ଏଠାରେ କୋଇଲା ଉତ୍ପାଦନ କ୍ଷତି ମଧ୍ୟ ହେବାରେ ଲାଗିଛି । ଯଦି ଡବ୍ଲୁ୍ୟସିଏଲ୍ କର୍ତ୍ତୃପକ୍ଷ ବିକାଶ କାର୍ଯ୍ୟ ହାତକୁ ନେବନାହିଁ ତେବେ କୋଇଲା ମନ୍ତ୍ରାଳୟ ବିକଳ୍ପ ଚିନ୍ତା କରିବା ବୋଲି ସୂଚନା ମିଳୁଛି ।
ପ୍ରଥମରୁ ମୁଖ୍ୟମନ୍ତ୍ରୀ ଏଭଳି ଆବଣ୍ଟନକୁ ଯେଉଁ ବିରୋଧ କରୁଥିଲେ ତାହା ଏବେ ସତ୍ୟ ହୋଇଛି । କୋଇଲା ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସଂସ୍ଥାର ମିଳିତ ସହଯୋଗ ଲାଗି ଡବ୍ଲୁ୍ୟସିଏଲ୍କୁ ପ୍ରସ୍ତାବ ଦେଇଥିବାବେଳେ ନାଗପୁରସ୍ଥିତ କମ୍ପାନି କିନ୍ତୁ ଏହା ସପକ୍ଷରେ ନାହିଁ । ଏଭଳି ଅଚଳାବସ୍ଥା ସ୍ଥିତି ଉପୁଜିଥିବାବେଳେ କୋଇଲା ଉତ୍ପାଦନ ଯେଭଳି ପ୍ରଭାବିତ ନହୁଏ ସେଥିପାଇଁ ଉଭୟ କେନ୍ଦ୍ର ସରକାର ରାଜ୍ୟ ସରକାର ପନ୍ଥା ନିର୍ଦ୍ଧାରଣ ଲାଗି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons