ନିଶା, ପଥର ମାଫିଆ ‘ହାତଖଣ୍ଡି’ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଖୋର୍ଦ୍ଧାରେ ବେଆଇନ ପଥର ଖଣି ମାଫିଆଙ୍କୁ ସାବାଡ୍ କରିବା ପାଇଁ କ୍ରାଇମ୍ବ୍ରାଞ୍ଚ୍ର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ତନାଘନା ଚଳାଇଛି । କିଛିଦିନ ଭିତରେ ଏସ୍ଟିଏଫ୍ ୮ଜଣ ପଥର ମାଫିଆଙ୍କୁ ଗିରଫ କରି ଜେଲ୍ ପଠାଇଥିବାବେଳେ ଆଜି ଆଉ ଜଣେ ନିଶା ଓ ଖଣି ମାଫିଆକୁ ଗିରଫ କରିଛି । ଗିରଫ ମାଫିଆର ନାମ ସୂର୍ଯ୍ୟ ଓରଫ ହାତଖଣ୍ଡି ଓରଫ ସୁନୀଲ ପ୍ରଧାନ (୨୫) । ଘର ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗୀ । ଏସ୍ଟିଏଫ୍ ଏସ୍ପି ରାହୁଲ୍ ପିଆରଙ୍କ ସୂଚନା ଅନୁଯାୟୀ, ଖୋର୍ଦ୍ଧା ତାପଙ୍ଗ, କାଇପଦର, କୁରାଢ଼ମଲ ଆଦି ଅଞ୍ଚଳରେ ମାଫିଆମାନେ ସରକାରୀ ଜମିରେ ବେଆଇନ ଭାବେ ଖଣି ଖୋଳି ପଥର ଚାଲାଣ କରୁଛନ୍ତି । ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ତେଣୁ ଏହି ମାଫିଆମାନଙ୍କୁ ସାବାଡ୍ କରିବା ପାଇଁ ଏସ୍ଟିଏଫ୍ ପକ୍ଷରୁ ଜୋରଦାର ଚଢ଼ଉ ଚାଲିଛି । ସେହିପରି ଗ୍ୟାଙ୍ଗ୍ଷ୍ଟର ଟିଟୋ, ରାଜା ଆଚାର୍ଯ୍ୟ ଓ କୁମାରବସ୍ତର ସଞ୍ଜୟ ପାଇକରାୟ ପ୍ରମୁଖ ସେମାନଙ୍କ ଚେଲାଚାମୁଣ୍ଡାଙ୍କ ଜରିଆରେ ଖୋର୍ଦ୍ଧାରେ ଥିବା ବଡ଼ସାଉଁଳି ମୁଣ୍ଡିଆ, କଳିଙ୍ଗା, ହାତିଆ, ଜାମ୍ବୋ ଓ ମାଙ୍କଡ଼ଖିଆ ମୁଣ୍ଡିଆରେ ବେଆଇନ ଭାବେ ବ୍ଲାଷ୍ଟିଂ କରି ବିଭିନ୍ନ କ୍ରସରକୁ ପଥର ଚାଲାଣ କରୁଛନ୍ତି । ଏଥିରୁ କୋଟି କୋଟି ଟଙ୍କା ଲାଭ ପାଉଛନ୍ତି । ହାତଖଣ୍ଡି ଏହି ଗ୍ୟାଙ୍ଗ୍ର ସଦସ୍ୟ । ସେ ସରକାରଙ୍କ ଠାରୁ ମୁଣ୍ଡିଆ ଖୋଳିବା ପାଇଁ ଅନୁମତି ପାଇଥିବା ଜାଲ୍ କାଗଜପତ୍ର ବନାଇ ଡିନାମାଇଟ୍ରେ ମୁଣ୍ଡିଆ ବ୍ଲାଷ୍ଟିଂ କରି ସ୍ପଲ୍ ଚାଲାଣ କରୁଥିଲା । ସ୍ଥାନୀୟ ଲୋକେ ପଚାରିଲେ ସେମାନଙ୍କୁ ଉକ୍ତ ଜାଲ୍ କାଗଜପତ୍ର ଦେଖାଉଥିଲା । ଏଥିସହ ଗ୍ୟାଙ୍ଗ୍ଷ୍ଟରଙ୍କ ସହଯୋଗୀ ବୋଲି ଜାଣିଥିବାରୁ ସ୍ଥାନୀୟ ଲୋକେ ତାକୁ ଭୟ କରୁଥିଲେ । ପଥର ଚାଲାଣ ସହିତ ହାତଖଣ୍ଡି ବ୍ରାଉନ୍ସୁଗର ମଧ୍ୟ କାରବାର କରୁଥିଲା ।
ଅପରପକ୍ଷରେ ଏସ୍ଟିଏଫ୍ ଥାନା କେସ୍ ନଂ-୬/୧୯ ଦଫା ୩୯୯/୪୦୨, ୨୫/୨୭ ଆର୍ମସ୍ ଆକ୍ଟ୍ ମାମଲାରେ ହାତଖଣ୍ଡି ଫେରାର୍ ଥିଲା । ହାତଖଣ୍ଡି ଜଣେ ନିଶା ଓ ଖଣି ମାଫିଆ ଜଣାପଡ଼ିବା ପରେ ଏସ୍ଟିଏଫ୍ ଡିଏସ୍ପି ପ୍ରବୀଣ କୁମାର ତ୍ରିପାଠୀ ଗତ ୧ ତାରିଖରେ ଏସ୍ପି ରାହୁଲ ପିଆରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ତାକୁ ଗିରଫ ପାଇଁ ଏସ୍ଟିଏଫ୍ ଜାଲ ବିଛାଇଥିଲା । ଗତକାଲି ବିଳମ୍ବିତ ରାତିରେ ଏସ୍ଟିଏଫ୍ ଟିମ୍ ଦେଉଳଟାଙ୍ଗୀରେ ଚଢ଼ଉ କରି ହାତଖଣ୍ଡିକୁ ଗିରଫ କରିଥିଲେ । ଆଜି ତାକୁ ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସେପଟେ ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ମୁଣ୍ଡିଆ ଖୋଳିବା ଓ ବନ୍ଧୁକ କାରବାର କରୁଥିବା ଲେଡି ଡନ୍କୁ ଗିରଫ କରିବା ପାଇଁ ଏସ୍ଟିଏଫ୍ ଜାଲ ବିଛାଇଛି । ଖୁବ୍ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏସ୍ଟିଏଫ୍ ଏସ୍ପି ରାହୁଲ ପିଆର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons