ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପୂର୍ବ ଓଡ଼ିଶାର ବ୍ରାଉନ୍ସୁଗର ମାଫିଆ ଛୋଟା ଓରଫ ପ୍ରକାଶ ଓରଫ ଶୁଭ୍ରାଂଶୁ ପରିଡ଼ା ମଙ୍ଗଳବାର ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛି । କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ଟିମ୍ ତାକୁ ଦୀର୍ଘଦିନ ଧରି ଖୋଜୁଥିଲା । ଏନ୍କାଉଣ୍ଟର ଭୟରେ ସେ ଆଜି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଛୋଟା ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବା ଖବରପାଇ ଏସ୍ଟିଏମ୍ ଟିମ୍ ସେଠାରେ ଚଢ଼ଉ କରି ଧରି ପକାଇଥିଲେ । ତେବେ ସାଦା ପୋଷାକରେ ଥିବା ଟିମ୍କୁ କୋର୍ଟରେ ଓକିଲମାନେ ବିରୋଧ କରିବାରେ ଛୋଟା ଖସିଯାଇ ଏସ୍ଡିଜେଏମ୍ଙ୍କ କୋର୍ଟ ଭିତରକୁ ପଶି ଯାଇଥିଲା । ଫଳରେ ଏସ୍ଟିଏଫ୍ ଟିମ୍ ଖାଲି ହାତରେ ଫେରିଥିଲେ । ଆତ୍ମସମର୍ପଣ ପରେ ଛୋଟାକୁ ଖୋର୍ଦ୍ଧା ସବ୍ଜେଲକୁ ପଠାଇ ଦିଆଯାଇଛି । ଛୋଟାକୁ ରିମାଣ୍ଡରେ ନେବା ପାଇଁ ଏସ୍ଟିଏଫ୍ ପକ୍ଷରୁ ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍ଟିଏଫ୍ ଏସ୍ପି ରାହୁଲ ପିଆର କହିଛନ୍ତି ।
ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଶା ମାଫିଆ ଓ ପଥର ମାଫିଆଙ୍କ ଉପରେ ଚଢ଼ଉ ଚଳାଇଥିବା ଏସ୍ଟିଏଫ ଟିମ୍ ଛୋଟାର ନିଶା ସାମ୍ରାଜ୍ୟ ବିଷୟରେ ଜାଣିବାକୁ ପାଇଥିଲେ । ଛୋଟା ଦୀର୍ଘବର୍ଷ ଧରି ସମଗ୍ର ପୂର୍ବ ଓଡ଼ିଶାକୁ ବ୍ରାଉନ୍ସୁଗର ଯୋଗାଉଥିଲା । ଶତାଧିକ ଯୁବକଙ୍କୁ ସେ ଦରମା ଦେଇ ବ୍ରାଉନ୍ସୁଗର କାରବାର କରୁଥିଲା । ଏହି କାରବାର ପାଇଁ ସେ ୪୦ ଜଣ ପିଲାଙ୍କୁ ନୂଆ ବାଇକ୍ କିଣି ଦେଇଥିଲା । ରାଜନେତାମାନଙ୍କୁ ହାତ କରି ସେ ଏହି ଧଳା ଜହର କାରବାର ଚଳାଇ ଆସୁଥିଲା । ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ମୋଟା ଅଙ୍କର ବଟି ଦେଇ ଅନାୟାସରେ ବେପାର କରୁଥିଲା । ଜଣେ ପୁଲିସ ଅଧିକାରୀଙ୍କୁ ଏକ ଦାମୀ କାର୍ କିଣି ଦେଇଥିଲା । ଉକ୍ତ ପୁଲିସ ଅଧିକାରୀ ଓ ନେତାମାନଙ୍କ ଛତ୍ରଛାୟା ତଳେ ରହି ଦୀର୍ଘଦିନ ଧରି ଛୋଟା ନିଶା ସାମ୍ରାଜ୍ୟ ଧୀରେ ଧୀରେ ବଢ଼ାଇବାରେ ଲାଗିଥିଲା । ସେହିପରି ଛୋଟା ଜଣେ ପଥର ମାଫିଆ ବୋଲି ମଧ୍ୟ ଜଣାପଡ଼ିଛି । ଗତ ନିର୍ବାଚନରେ ସେ କିଛି ବିଧାୟକ ପ୍ରାର୍ଥୀଙ୍କୁ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ସାହାଯ୍ୟ ଯୋଗାଇଥିବା ଜଣାପଡ଼ିଛି ।
ଏକ ଡକାୟତି ଉଦ୍ୟମ ମାମଲାରେ ସଂପୃକ୍ତ ଥିବା ଛୋଟାକୁ ଗିରଫ କରିବା ପାଇଁ ତନାଘନା ଚଳାଇଥିବା ଏସ୍ଟିଏଫ୍ ନିଶା ସାମ୍ରାଜ୍ୟ ବିଷୟରେ ଜାଣିବାକୁ ପାଇଥିଲା । ତାକୁ ଗିରଫ କରିବା ପାଇଁ ଏସ୍ଟିଏଫ୍ ଟିମ୍ ପ୍ରାୟ ମାସେ ହେଲା ଖୋର୍ଦ୍ଧାରେ ଡେରା ପକାଇଥିଲେ । ଖୋର୍ଦ୍ଧା ପୌରାଞ୍ଚଳ ମଠ ସାହିରେ ରହୁଥିବା ଛୋଟାକୁ ଗିରଫ କରିବା ପାଇଁ ଏସ୍ଟିଏଫ୍ ଟିମ୍ ଅନେକ ଥର ଚଢ଼ଉ କରିଥିଲେ । କିନ୍ତୁ ସେ ସବୁଥର ଏସ୍ଟିଏଫ୍ ଟିମ୍କୁ ଚକମା ଦେଇ ଖସି ଯାଉଥିଲା । ଏସ୍ଟିଏଫ୍ ଟିମ୍ର ଟାର୍ଗେଟ ହୋଇ ଯାଇଥିବା ଜାଣିବା ପରେ ଛୋଟା ଏନ୍କାଉଣ୍ଟର ଭୟରେ ଆଜି ମଧ୍ୟାହ୍ନରେ ଆସି ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆସିଥିଲା ।
Comments are closed, but trackbacks and pingbacks are open.