ନିଶା ଲଡୁ ଖୁଆଇ ନେଇଗଲେ ୩୭ ଲକ୍ଷର ସଂପତ୍ତି

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ବିଶ୍ୱାସରେ ବିଷ ଦେଲେ ଭଡାଟିଆ ଦମ୍ପତି । ନିଶା ଲଡୁ ଖୁଆଇ ଘର ମାଲିକଙ୍କଠାରୁ ଲୁଟିଲେ ସୁନା, ଟଙ୍କା । ଫିଲ୍ମ ଷ୍ଟାଇଲରେ ଏଭଳି ଏକ ଲୁଟ୍ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାର ବଣ୍ଡାବାକୁଲିଗୁଡା ସାହିରେ । ଲୁଟେରା ଘର ମାଲିକ ତଥା ସୁନା ବ୍ୟବସାୟୀଙ୍କ ଘରୁ ନଗଦ ୨ ଲକ୍ଷ ଟଙ୍କା ଓ ୩୫ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଛନ୍ତି । ଲୁଟ୍ର ଶିକାର ହୋଇଛନ୍ତି ସୁନା ବ୍ୟବସାୟୀ ସୁବାସ ଲାଠି ।
ନିଜ ଘର ସମ୍ମୁଖ ମୁଖ୍ୟ ରାସ୍ତାରେ ସୁବାସ ପ୍ରସାଦ ଜୁଏଲରୀ ନାଁରେ ଏକ ଗହଣା ଦୋକାନ କରିଛନ୍ତି ସୁବାସ । ତିନି ମାସ ତଳେ ଆନ୍ଧ୍ରପ୍ରଦେଶରୁ ତେଲୁଗୁ ସମ୍ପ୍ରଦାୟର ଦମ୍ପତି ଜଗଦୀଶ ଓ ଅର୍ଚ୍ଚନା ଏଠାକୁ ଆସି ବିଶ୍ୱାସ ଜମେଇ ସୁବାସଙ୍କ ଘରେ ଭଡା ସୂତ୍ରରେ ରହିଥିଲେ । ସମୟାନ୍ତରରେ ସୁବାସ ଓ ତାଙ୍କ ପତ୍ନୀ ଉଷାଙ୍କ ଏହି ଦମ୍ପତିଙ୍କ ସହିତ ଆତ୍ମୀୟତା ବଢିଥିଲା । ଏଣେ ଜଗଦୀଶ ଓ ଅର୍ଚ୍ଚନା ବିଶ୍ୱାସ ଜମାଇ ଲୁଟ୍ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ନିଜ ଯୋଜନାକୁ ସଫଳ ରୂପ ଦେବାକୁ ଗତ ସୋମବାର ଜଗଦୀଶ ଓ ଅର୍ଚ୍ଚନା ନିଜ ଘରେ କିଛି ମିଠା ଲଡୁ ପ୍ରସ୍ତୁତ କରିଥିଲେ । ସେହିଦିନ ସକାଳୁ ମନ୍ଦିରକୁ ଯାଇ ଲଡୁ ପୂଜା କରି ଫେରିଥିଲେ । ରାତି ପ୍ରାୟ ୮ ଟାରେ ଜଗଦୀଶ ସୁବାସଙ୍କ ଘରକୁ ଯାଇ ଠାକୁରଙ୍କ କୃପାରୁ ଚାକିରି ହୋଇଗଲା ବୋଲି କହିଥିଲେ । ଆଜି ସମସ୍ତେ ଏକାଠି ଖାଇବାକୁ କହିବା ସହ ସୁବାସଙ୍କ ପରିବାରର ସମସ୍ତଙ୍କୁ ଉକ୍ତ ଲଡୁ ଖାଇବାକୁ ଦେଇଥିଲେ । ଏପରିକି ଅନ୍ୟ ପଡୋଶୀଙ୍କୁ ମଧ୍ୟ ଜଗଦୀଶ ଲଡୁ ବାଣ୍ଟିଥିଲେ । ଜଗଦୀଶ ଓ ଅର୍ଚ୍ଚନା ସ୍ଥାନୀୟ ଲୋକଙ୍କ ବିଶ୍ୱସ୍ତ ହୋଇଯାଇଥିବାରୁ କେହି କିଛି ସନେ୍ଦହ କରି ନଥିଲେ । ଲଡୁରେ ନିଶା ଦିଆଯାଇଥିଲା ବୋଲି କାହାକୁ ଜଣା ନଥିଲା । ଜଗଦୀଶଙ୍କର ଚାକିରି ହୋଇଛି ଓ ସେ ଖୁସିରେ ମିଠା ବାଣ୍ଟୁଛନ୍ତି ବୋଲି କହି ସମସ୍ତେ ଲଡୁ ଖାଇଥିଲେ ।
ଲଡୁ ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ନିଦ ଲାଗିଥିଲା । କେତେଜଣ ନିଜ ଘରକୁ ପଳାଇଥିଲେ । ସୁବାସଙ୍କ ପରିବାର ଲୋକଙ୍କର ମଧ୍ୟ ଅନୁରୂପ ଅବସ୍ଥା ହୋଇଥିଲା । ସୁବାସଙ୍କ ପରିବାର ଲୋକେ ଅଚେତ ହୋଇଯିବା ପରେ ଜଗଦୀଶ ନିଜ କାମ ଆରମ୍ଭ କରିଥିଲା । ଲୁଟେରା ଦମ୍ପତି ଗ୍ୟାସ କଟର୍ ସାହାଯ୍ୟରେ ସୁବାସଙ୍କ ରୋଷେଇ ଘରର ଝରକା କାଟି ଘରେ ପଶିଥିଲେ । ଘରେ ଥିବା ଆଲମିରା ଖୋଲି ସେଥିରେ ରଖା ଯାଇଥିବା ନଗଦ ୨ ଲକ୍ଷ ଟଙ୍କା ଓ ୭୦୦ ଗ୍ରାମ ସୁନା ଗହଣା ନେଇ ଯାଇଥିଲେ । ଗହଣାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ବୋଲି ସୁବାସ କହିଛନ୍ତି । ନିଶା ଲଡୁ ଖାଇ ଶୋଇଥିବା ସୁବାସଙ୍କ ପରିବାର ଓ ପଡିଶାଙ୍କ ନିଦ ମଙ୍ଗଳବାର ସକାଳ ୮ ଟାରେ ଭାଙ୍ଗିଥିଲା । ସୁବାସ ଓ ପତ୍ନୀ ନିଦରୁ ଉଠି ନିଜ ରୋଷେଇ ଘର ଝରକା କଟା ହୋଇଥିବା ଦେଖିଥିଲେ । ପରେ ଆଲମିରାରେ ଟଙ୍କା ଓ ଗହଣା ନଥିବା ଦେଖିଥିଲେ । ପରେ ଜଗଦୀଶଙ୍କ ଘରକୁ ଯାଇ ଦେଖିବା ବେଳକୁ ତାଙ୍କ କବାଟ ଠିଆ ମେଲା ହୋଇଥିଲା । ଲୁଟେରା ଦମ୍ପତି ଚମ୍ପଟ ମାରିଥିଲେ । ତୁରନ୍ତ ସୁବାସ ମାଲକାନଗିରି ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସୂଚନା ପାଇ ସହକାରୀ ଏସ୍ପି ଉଦ୍ଧବ ଚରଣ ନାୟକ, ଏସଡିପିଓ ଅଶୁଂମାନ ଦ୍ୱିବେଦୀ, ଡିଏସ୍ପି ବଳଭଦ୍ର ଦୀପ, ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପରିସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଆସନ୍ତା ବୁଧବାର କୋରାପୁଟରୁ ସନ୍ଧାନୀ କୁକୁର ଅଣାଯାଇ ଅଧିକ ତଦନ୍ତ କରାଯିବ ଓ ଲୁଟେରାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ନାଗ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons