ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦ୍ରୁତଗତିରେ ଆସି ସିରିଜ୍ ଦୁର୍ଘଟଣା ଘଟାଇଲେ । ଲୋକମାନେ ଗୋଡ଼ାଇବାରୁ ଖସି ପଳାଇବା ବେଳେ ଡ୍ରେନ୍ରେ ଫସିଗଲା କାର୍ । ଉତ୍ତ୍ୟକ୍ତ ଲୋକେ କାର୍ ଚାଳକ ଓ ତାଙ୍କ ସାଙ୍ଗଙ୍କୁ ନିସ୍ତୁକ ପିଟିଲେ । କାର୍ ଭଙ୍ଗାରୁଜା କରିବା ସହ ଜାଳିଦେଲେ । ଏଭଳି ଘଟଣା ଆଜି ଘଟିଛି ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱରରେ । ପୁଲିସ କାର୍ରେ ଥିବା ୨ ମଦ୍ୟପ ଯୁବକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଥାନାରେ ଅଟକ ରଖିଛି ।
ଘଟଣାରୁ ଜଣାଯାଇଛି, ଆଜି ସନ୍ଧ୍ୟା ପ୍ରାୟ ୭ଟାବେଳେ ଖରାଖିଆ ବୈଦ୍ୟନାଥଙ୍କ ମନ୍ଦିର ପଟୁ ଏକ କାର୍ କପିଳେଶ୍ୱର କେଉଟ ସାହି ରାସ୍ତାରେ ଆସୁଥିଲା । କାର୍ ଚାଳକ ଦ୍ରୁତଗତିରେ ଚଳାଉଥିବା ବେଳେ ତାଙ୍କ ପାଖ ସିଟ୍ରେ ବସିଥିଲେ ଜଣେ ଯୁବକ । ସେମାନେ ବାଟରେ ୩ ଜଣ ପଥଚାରୀଙ୍କୁ ଧକ୍କା ଦେଇଥିଲେ । ଏହା ଦେଖି କାର୍ ଚାଳକଙ୍କୁ ୩୦ରୁ ଅଧିକ ଲୋକେ ବାଇକ୍ରେ ଗୋଡ଼ାଇଥିଲେ । ଭୟରେ କାର୍ ଚାଳକ କେନାଲ ବନ୍ଧ ରାସ୍ତା ଦେଇ ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ସ୍ୱେରେଜ କାମ ଚାଲିଥିବାରୁ ସେମାନେ ଗାଡ଼ି ବୁଲାଇ କପିଳେଶ୍ୱର ଗାଁ ଭିତରେ ପୂରାଇ ଦେଇଥିଲେ । ଅସାବଧାନତାବଶତଃ ସେମାନଙ୍କ କାର୍ ଚକା ରାସ୍ତା କଡ଼ରେ ଥିବା ନାଳକୁ ଖସି ଯାଇଥିଲା । ଫଳରେ କାର୍ ଅଟକି ଯାଇଥିଲା । ଏହି ସମୟରେ ପିଛା କରୁ୍ଥିବା ଲୋକେ ଓ ଗାଁ ଲୋକେ ମିଶି ୨ ଜଣଙ୍କୁ କାର୍ ଭିତରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ । ସେମାନଙ୍କ ମୁହଁକୁ ମୁଥ ମାରି ଫଟାଇ ଦେଇଥିଲେ । କିଛି ଲୋକ କାର୍କୁ ଭଙ୍ଗାରୁଜା କରିଥିଲେ । ପରେ କାର୍କୁ ନାଳରୁ କାଢ଼ି କିଛି ଦୂର ଅଗିଜଳା ଛକକୁ ନେଇଥିଲେ । ସେଠାରେ କାର୍ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।
ଖବରପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ କାର୍ ଚାଳକ ଓ ତାଙ୍କ ସାଙ୍ଗକୁ ଉଦ୍ଧାର କରି ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲା । ଆରୋହୀଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ଅନ୍ୟ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । କାର୍ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଖବରପାଇ ଦମ୍କଳ ବାହିନୀ ପହଞ୍ଚି ଜଳୁଥିବା କାର୍କୁ ଲିଭାଇଥିଲେ ମଧ୍ୟ କାର୍ଟି ସଂପୂର୍ଣ୍ଣ ଜଳି ଯାଇଥିଲା । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କେହି ଅଭିଯୋଗ କରି ନଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.