ନୂଆଗାଁ, ଅଶୋକନଗରରେ ପଶିଲା କରୋନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାମନ୍ତରାପୁର ପାଖ ନୂଆଗାଁରେ ପଶିଲା କରୋନା । ସେପଟେ ନୂଆପଲ୍ଲୀ ବାଲିତୋଟାସାହି ବସ୍ତିରୁ ଏକାଥରକେ ୪ ପଜିଟିଭ୍ ବାହାରିଛନ୍ତି । ମଞ୍ଚେଶ୍ୱରରୁ ପୁଣି ୫ ବାହାରିଥିବାବେଳେ ଚକେଇସିଆଣିରୁ ଦୁଇଟି ଜାଗାରେ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜନପଥର ଅଶୋକନଗରରେ ପ୍ରଥମ କରି ପାଦ ଥୋଇଛି କରୋନା । ଏସବୁ ସ୍ଥାନୀୟ ସଂକ୍ରମିତ । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ୨୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ପରିସଂଖ୍ୟାନରୁ ରାଜଧାନୀ ଗୋÂୀ ସଂକ୍ରମଣ ଆଡ଼କୁ ମୁହାଁଉଥିବା ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।
ଭୁବନେଶ୍ୱର ସ୍ଥିତି ଭୟାନକ ହେବାରେ ଲାଗିଛି । ଲମ୍ବ ଡିଅାଁ ମାରି ନୂଆ ନୂଆ ଅଞ୍ଚଳରେ ପଶୁଛି କରୋନା । ଆଉ ବିଦେଶ ଫେରନ୍ତା କି ରାଜ୍ୟ ବାହାର ପ୍ରବାସୀ ନୁହନ୍ତି, ଏବେ ମାଳମାଳ ସ୍ଥାନୀୟ ସଂକ୍ରମିତ ବାହାରିଲେଣି ରାଜଧାନୀରୁ ।
ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ୱିଟ୍ କରି ଜଣାଇଛି ସହରରୁ ୨୫ କରୋନା ପଜିଟିଭ୍ ବାହାରିଛନ୍ତି । ଏଥିରୁ ୨୩ଜଣ ସ୍ଥାନୀୟ ସଂକ୍ରମିତ । ମୋଟ ଆକ୍ରାନ୍ତ ସଂଖ୍ୟା ୩୧୪ ଛୁଇଁଛି । ଓଡ଼ିଶାର ଏକମାତ୍ର ସହର ଭାବେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୩ଶହ ପାର୍ କରିଛି ।
ଏହାବାଦ୍ ସୋମବାର ହୋଇଥିବା ପରୀକ୍ଷାର ରିପୋର୍ଟ ବିଳମ୍ବିତ ରାତିରେ ଆସିଛି । ଏଥିରେ ଆହୁରି ୬ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଭୁବନେଶ୍ୱରରୁ । ଏଥିରେ ବି ୩ ସ୍ଥାନୀୟ ସଂକ୍ରମିତ । ଏହି ୩ଜଣ ଯାକ ଶିରିପୁର ଲକ୍ଷ୍ମୀବଜାର ବସ୍ତିର ବୋଲି ଜଣାପଡ଼ିଛି । ଏ ନେଇ ଆସନ୍ତାକାଲି ବିଏମ୍ସି ଏ ବାବଦରେ ବିଧିବଦ୍ଧ ସୂଚନା ଜାରି କରିବ ।
ସୋମବାର ବିଏମସି ଜାରି କରିଥିବା ସୂଚନା ମୁତାବକ, ନୂଆପଲ୍ଲୀ ବାଲିତୋଟାସାହି ବସ୍ତିରେ (ପାସ୍ପୋର୍ଟ ଅଫିସ୍ ପାଖ) ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ ଜଣ ପୁରୁଷ ଓ ଜଣେ ମହିଳା । ସେମାନଙ୍କ ମଧ୍ୟରେ ଜଣେ ୭୫ ବର୍ଷର ବୃଦ୍ଧ ମଧ୍ୟ ଅଛନ୍ତି । ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ସେମାନେ ଆସିଥିଲେ । ଏବେ ପୂରା ବସ୍ତିରେ ଛନକା ପଶିଯାଇଛି ।
ନୂଆପଲ୍ଲୀ ଏମ୍-୩ ପାର୍କ ପାଖରୁ ଜଣେ ୪୨ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି । ସେ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ । ଅଶୋକନଗର ଜନପଥ ଟାୱାର ପାଖରୁ ଜଣେ ୫୦ ବର୍ଷୀୟା ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି ।
ସାମନ୍ତରାପୁର ନିକଟସ୍ଥ ନୂଆଗାଁରୁ (ପେଟ୍ରୋଲ ପମ୍ପ ପାଖ) ଗୋଟିଏ ପରିବାରରୁ ୨ଜଣ (୬୩ ବର୍ଷ, ୩୦ ବର୍ଷ ପୁରୁଷ) କରୋନା ଆକ୍ରାନ୍ତ ବାହାରିଛନ୍ତି । ଦୁହିଁଙ୍କ ମଧ୍ୟରୁ ଜଣେ ଏକ କ୍ୱାରେଣ୍ଟାଇନ ସେଣ୍ଟରକୁ ସେବା ଯୋଗାଉଥିଲେ ।
ମଞ୍ଚେଶ୍ୱର ଯେମିତି କରୋନା ଗଡ଼ ପାଲଟିଗଲାଣି । ଏହି ଅଞ୍ଚଳରୁ ପୁଣି ୫ଜଣ ଯୁବକ ପଜିଟିଭ୍ ବାହାରିଛନ୍ତି । ପୂର୍ବରୁ ଏହି ଅଞ୍ଚଳରୁ ମାଳମାଳ ଆକ୍ରାନ୍ତ ବାହାରିଛନ୍ତି । ତଥାପି ଏଯାବତ୍ ମଞ୍ଚେଶ୍ୱରର ଏହି ଇଲାକାକୁ କଣ୍ଟେନମେଣ୍ଟ କିମ୍ବା ସିଲ୍ କରାଯାଉନଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ବଢ଼ିଯାଇଛି ।
ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ପାଖରୁ ଆଜି ୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ଜଣ ପୁରୁଷ ଓ ଜଣେ ମହିଳା । ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କର ସଂସ୍ପର୍ଶରେ ସେମାନେ ଆସିଥିଲେ । ଚକେଇସିଆଣି ହାଡ଼ବାଇ ବସ୍ତିରୁ ବି ୨ଜଣ କରୋନା ପଜିଟିଭ୍ ବାହାରିଛନ୍ତି । ଏମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି ।
ଓୟୁଏଟି ପାଖ ଲକ୍ଷ୍ମୀବଜାର ବସ୍ତିରୁ ପୁଣି କରୋନା ବାହାରିଛି । ଆଜି ଜାରି ସୂଚନା ମୁତାବକ ବସ୍ତିରୁ ଜଣେ ୨୨ ବର୍ଷୀୟ ଯୁବତୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାବାଦ୍ ଆଉ ୩ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହି ୩ଜଣଙ୍କ ବାବଦରେ ଆସନ୍ତାକାଲି ବିଏମସି ସୂଚନା ଜାରି କରିବ । ଏହି ବସ୍ତିରେ ଏବେ ସ୍ଥିତି ସାଂଘାତିକ । କଣ୍ଟେନମେଣ୍ଟ ଘୋଷଣା ପରେ ବି ଏଠି କରୋନା ଆକ୍ରାନ୍ତଙ୍କ ତାଲିକା ଲମ୍ବୁଛି ।
ଆଜି ପଜିଟିଭ୍ ତାଲିକାରେ କରୋନା ଯୋଦ୍ଧା ମଧ୍ୟ ଅଛନ୍ତି । ଏକ ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ (୨୨ ବର୍ଷ) ଓ ଏକ ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ (୩୭) କରୋନା ଆକ୍ରାନ୍ତ ହୋଇଛନ୍ତି । ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ସରକାରୀ ହସ୍ପିଟାଲ କର୍ମଚାରୀଙ୍କ ସଂକ୍ରମଣ ଉତ୍ସ ଜଣାପଡ଼ିନି ।
ସେହିଭଳି ହୋମ୍ କ୍ୱାରେଣ୍ଟାଇନରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା କର୍ମଚାରୀ (୨୮) ମଧ୍ୟ କରୋନା ପଜିଟିଭ୍ ବାହାରିଛନ୍ତି । ସେ କୋଲକାତା ଗସ୍ତ କରିଥିଲେ । ନିଳାଦ୍ରିବିହାର ବୁଦ୍ଧ ପାର୍କ ପାଖରୁ ଜଣେ ୫୬ ବର୍ଷୀୟ ମହିଳା କରୋନା ପଜିଟିଭ୍ ବାହାରିଛନ୍ତି । ସେ ଗତ ୨୫ ତାରିଖରେ ଅନ୍ୟ ଏକ ଜିଲ୍ଲାରୁ ଆସିଥିଲେ । ଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିବା ରେଳୱେର ଜଣେ କର୍ମଚାରୀ (୪୪) ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଆଶ୍ୱସ୍ତିର ଖବର ହେଲା, ଆଜି ୭ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ୍ ୪ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଏବେ ୧୩୫ଜଣ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons