ନୂଆପଡ଼ାର ଅଙ୍ଗନବାଡି କର୍ମୀ ଶାନ୍ତିଲତା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍ ମହାମାରୀ ପାଇଁ ସାରା ବିଶ୍ୱ ଆତଙ୍କିତ । ଯେତେବେଳେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି, ଠିକ୍ ସେତିକିବେଳେ ସାମ୍ନାକୁ ଆସୁଛନ୍ତି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଜଣେ ଯୋଦ୍ଧା । ନୂଆପଡ଼ା ଭଳି ଦୁର୍ଗମ ଅଞ୍ଚଳର ଜଣେ କର୍ତ୍ତବ୍ୟନିÂ ଅଙ୍ଗନବାଡି କର୍ମୀ । ନାଁ ତାଙ୍କର ଶାନ୍ତିଲତା ମାଝୀ । ଯାହାଙ୍କ କର୍ତ୍ତବ୍ୟନିÂା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ତାଙ୍କର କଠିନ ପରିଶ୍ରମ, ଉତ୍ସର୍ଗୀକୃତ ଦାୟିତ୍ୱ ଆଜି ତାଙ୍କୁ ପ୍ରଶଂସିତ କରୁଛି । ଜିଲ୍ଲା ପ୍ରଶାସନଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଚାରିଆଡ଼ୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । ତାଙ୍କ କାମ ପାଇଁ ତାଙ୍କୁ ସମସ୍ତେ ମଥାପାତି ପ୍ରଣାମ କରୁଛନ୍ତି । ସେ ସମସ୍ତଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦରର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିଜର ବ୍ୟକ୍ତିଗତ ଦୁଃଖ ଏବଂ ସମସ୍ୟାକୁ ପଛରେ ପକାଇ ନିରବରେ ନିଜ ଅଞ୍ଚଳବାସୀଙ୍କ ସେବା କରି ଚାଲିଛନ୍ତି ।
ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ଧୋବିଘାଟ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି ଶାନ୍ତିଲତା । ବୟସ ୬୦ ବର୍ଷ । ପରିବାର କହିଲେ, ୪ପୁଅ ଏବଂ ୩ଝିଅ । ସ୍ୱଳ୍ପ ଜମିରେ ଚାଷବାସ ପରିବାରର ଏକମାତ୍ର ଜୀବିକା । ୩ ଝିଅ ଏବଂ ଗୋଟିଏ ପୁଅ ବାହା ହୋଇସାରିଛନ୍ତି । ବୋଡେନ୍ ବ୍ଲକ୍ ଜିଲ୍ଲାର ସବୁଠାରୁ ଉଚ୍ଚରେ ଥିବା ଏକ ବିପଦସଙ୍କୁଳ ଅଞ୍ଚଳ । ଶାନ୍ତିଲତାଙ୍କ ନିଜ ଗାଁ ସହଜପାଣିରୁ ଧୋବିଘାଟ ଅଙ୍ଗନବାଡି କେନ୍ଦ୍ରର ଦୂରତା ୩କିମିରୁ ଊଦ୍ଧ୍ୱର୍ । ଆଖପାଖରେ ଜନବସତି କି ଦୋକାନ ବଜାର ନାହିଁ । ଗାଁରେ ୫୬ ପରିବାର । ଲୋକସଂଖ୍ୟା ପ୍ରାୟ ୨୩୦ । ଅଙ୍ଗନବାଡିରେ ପାଖାପାଖି ୨୨ ଜଣ ଶିଶୁ ପଞ୍ଜିକୃତ ହୋଇଛନ୍ତି । ଗାଁରେ ପ୍ରାୟ ୫ଜଣ ଗର୍ଭବତୀ ଏବଂ ୧୦ ପ୍ରସୂତି ମହିଳା ଅଛନ୍ତି ।
ପ୍ରତିଦିନ ପାଦରେ ଚାଲି ଚାଲି ଶାନ୍ତିଲତା କାର୍ଯ୍ୟ କରନ୍ତି । ଘରକୁ ଘର ପହଞ୍ଚି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଶୁଖିଲା ରାସନ ବାଣ୍ଟୁଛନ୍ତି । ଏଥିରେ ତାଙ୍କ ନାତି ତାଙ୍କୁ ସାହାଯ୍ୟ କରୁଛନ୍ତି । ବଡ଼ କଥା ହେଲା ତାଙ୍କ ଗାଁ ପାଖରେ ମଧ୍ୟ କୌଣସି ଜନବସତି ନାହିଁ । ଅତିରିକ୍ତ ପୁଷ୍ଟିସାଧନ ପାଇଁ ରାଜ୍ୟ ସରକାରଙ୍କ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାକୁ ଅଞ୍ଚଳ ପାଇଁ ସେ ଏକମାତ୍ର ଅଙ୍ଗନବାଡ଼ି କର୍ମୀ । ନିକଟରେ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି । ପରିବାରରେ ବି ଅନେକ ସମସ୍ୟା । କିନ୍ତୁ ସବୁକିଛି ଛାଡ଼ି ଲୋକଙ୍କ ସେବା କରିବାକୁ ସେ ପରମ କର୍ତ୍ତବ୍ୟ ଭାବେ ଗ୍ରହଣ କରି ନେଇଛନ୍ତି । ନିୟମିତ ଟୀକାକରଣ, ମମତା ଦିବସ ପାଳନ ସହ ଅଙ୍ଗନବାଡିର ସମସ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି । କୋଭିଡ୍ ସଚେତନତା କରୁଛନ୍ତି । ଉକ୍ତ ଅଞ୍ଚଳକୁ ଆସୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟରେ ସହଯୋଗ କରୁଛନ୍ତି । ନିଜ ଅଞ୍ଚଳର ଭୌଗୋଳିକ ସ୍ଥିତି ଆଧାରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଛନ୍ତି ।
୧୯୮୬ରୁ ଅଙ୍ଗନବାଡି କର୍ମୀ ଭାବେ ଦୀର୍ଘ ୩୫ବର୍ଷ ଧରି ନିରବଛିନ୍ନ ଭାବେ ଜଣେ କର୍ତ୍ତବ୍ୟପରାୟଣ, ପରିଶ୍ରମୀ କାର୍ଯ୍ୟକର୍ତ୍ତା ଭାବେ ସେବା ଦେଇ ଆସୁଛନ୍ତି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଶାନ୍ତିଲତାଙ୍କ ଏହି ଉତ୍ସର୍ଗୀକୃତ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରିଛନ୍ତି । କହିଛନ୍ତି, କୋଭିଡ୍ ଭଳି କଠିନ ସମୟରେ ଶାନ୍ତିଲତାଙ୍କ ପରି ଶହ ଶହ ଅଙ୍ଗନବାଡି କର୍ମୀ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସେମାନଙ୍କ ପାଇଁ ଆଜି ମା’ ଏବଂ ଶିଶୁମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ଓ ପୁଷ୍ଟିସାଧନ କାର୍ଯ୍ୟକ୍ରମ ପହଞ୍ଚିପାରିଛି । ଉଦାହରଣ ପାଲଟିଥିବା ଶାନ୍ତିଲତା ଏ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରନ୍ତୁ ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons