ନୂଆବର୍ଷରେ ସ୍ୱାମୀର ପନିକି ଚୋଟରେ ଛିଡ଼ିଯାଇଥିଲା!

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ନୂଆବର୍ଷରେ କେନ୍ଦ୍ରାପଡ଼ା ବ୍ଲକ୍ ଧୂମାତ ପଞ୍ଚାୟତର ସେଠୀ ସାହିରେ ଏକ ଅଘଟଣ ଘଟିଥିଲା । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀର ପନିକି ଚୋଟରେ ପତ୍ନୀଙ୍କ ଡାହାଣ ହାତ ପାପୁଲି ସମ୍ପୂର୍ଣ୍ଣ ଛିଡ଼ିଯାଇଥିଲା । ତେବେ ଗତକାଲି ସନ୍ଧ୍ୟାରେ କଟକ ଉପକଣ୍ଠ ଏକ ଘରୋଇ ହସ୍ପିଟାଲରେ ମହିଳାଙ୍କ ହାତ ପାପୁଲିକୁ ଡାକ୍ତରୀ ଟିମ୍ ଯୋଡ଼ିବାରେ ସମର୍ଥ ହୋଇଛନ୍ତି ।
ମହିଳାଙ୍କ ନାମ ଲିଲି ସେଠୀ(୪୫) । ଘଟଣାସ୍ଥଳରୁ ଲିଲିଙ୍କ କଟା ହାତ ପାପୁଲିକୁ ପରିବାର ଲୋକେ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ହାତ ଯୋଡ଼ିବା ପାଇଁ କଟକ ଉପକଣ୍ଠ ବାଲିକୁଦାସ୍ଥିତ ଏସ୍ବିଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପ୍ଲାଷ୍ଟିକ୍ ସର୍ଜରୀ ବିଶେଷଜ୍ଞ ପ୍ରଫେସର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଦୀର୍ଘ ୮ ଘଣ୍ଟା କାଳ ଅପରେସନ କରି ଲିଲିଙ୍କ କଟା ହାତ ପାପୁଲିକୁ ଯୋଡ଼ିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ବୋଲି ଡାକ୍ତର ନାୟକ କହିଛନ୍ତି । ଅନ୍ୟପକ୍ଷରେ, ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ନେଇ ନିକିରାଇ ଥାନାରେ କୌଣସି ଏତଲା ଦାୟର ହୋଇନଥିବା ଥାନା ଅଧିକାରୀ କାବୁଲି ବାରିକ କହିଛନ୍ତି । ନୂଆ ବର୍ଷରେ ଏପରି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଧୂମାତ ପଞ୍ଚାୟତ ସେଠୀ ସାହିର ଏକ ପରିବାରରେ ଗତକାଲି ପାଟିତୁଣ୍ଡ ହୋଇଥିଲା । ଦମ୍ପତିଙ୍କ କଳି ମଧ୍ୟରେ ପୁଅ ପହଞ୍ଚି ଏଥିରୁ ନିବୃତ୍ତ ରହିବାକୁ ବାପାଙ୍କୁ କହିଥିଲା । ମାତ୍ର ବାପା ଶାନ୍ତ ପଡ଼ିବା ବଦଳରେ ଅଧିକ ଉତ୍କ୍ଷିପ୍ତ ହୋଇଯାଇଥିଲେ । ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ନିକଟରେ ଥିବା ଏକ ମାଛକଟା ପନିକିରେ ସେ ପୁଅକୁ ହାଣିବାକୁ ଉଦ୍ୟମ କରିବା ସମୟରେ ହଠାତ୍ ମା’ ଲିଲି ସେଠୀ ଆଗକୁ ଚାଲି ଆସିଥିଲେ । ପନିକି ଚୋଟ ପୁଅ ଦେହରେ ବାଜିବା ବଦଳରେ ପତ୍ନୀ ଲିଲିଙ୍କ ଡାହାଣ ହାତର ମଣିବନ୍ଧ (ରିଷ୍ଟ) ପାପୁଲି ଉପର ଗଣ୍ଠି ଉପରେ ବାଜିଥିଲା । ପନିକି ଚୋଟ ଏତେ ଜୋର୍ ଥିଲା ଯେ, ଲିଲିଙ୍କ ହାତ ମଣିବନ୍ଧ ପାଖରୁ ପାପୁଲି କଟି ୧୦ ଫୁଟ ଦୂରରେ ଛିଟ୍କି ପଡ଼ିଥିଲା । ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହେବା ସହ ଲିଲି ଗୁରୁତର ହୋଇପଡ଼ିଥିଲେ । ମହିଳାଙ୍କ ଏପରି ଅବସ୍ଥା ଦେଖି ପାଖପଡ଼ିଶା ଏବଂ ଗ୍ରାମବାସୀ ତଟସ୍ଥ ହୋଇପଡ଼ିଥିଲେ । ବିଳମ୍ୱ ନକରି ପରିବାର ଲୋକେ ଓ ଗ୍ରାମବାସୀମାନେ ଅତି ସତର୍କତାର ସହ ଛିଡ଼ି ଯାଇଥିବା ପାପୁଲିକୁ ଏକ ସଫା ପଲିଥିନ୍ରେ ଉଦ୍ଧାର କରି ତାହାକୁ ଅନ୍ୟ ଏକ ପଲିଥିନରେ ବରଫ ଭିତରେ ସୁରକ୍ଷିତ ଭାବେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଲିଙ୍କୁ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ଲିଲିଙ୍କୁ ଏସ୍ବିଏମ୍ ହସ୍ପିଟାଲରେ ଗତକାଲି ସନ୍ଧ୍ୟାରେ ଭର୍ତ୍ତି କରାଯାଇଥିଲା । ସୁରକ୍ଷିତ ଅବସ୍ଥାରେ କଟି ଯାଇଥିବା ପାପୁଲି ସହ ଲିଲି ଆସି ଉଚିତ୍ ସମୟରେ ପହଞ୍ଚି ପାରିଥିବାରୁ ଜଟିଳ ଅପରେସନ୍ ମାଧ୍ୟମରେ କଟାହାତକୁ ଯୋଡ଼ା ଯାଇପାରିଥିଲା ବୋଲି ଡାକ୍ତର କହିଛନ୍ତି । ଅପରେସନ୍ ଗତକାଲି ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ସାଢେ଼ ୨ଟାରେ ଶେଷ ହୋଇଥିଲା । ଡାକ୍ତର ବିଭୁତି ନାୟକଙ୍କ ନେତୃତ୍ୱରେ ଟିମ୍ରେ ଡାକ୍ତର ରଶ୍ମୀରଞ୍ଜନ ମହାନ୍ତି, ଡାକ୍ତର ଆଶିଷ ପ;ନାୟକ, ଡାକ୍ତର ପ୍ରଶାନ୍ତ ବଳ ଏବଂ ନିଶ୍ଚେତନ(ଆନାସ୍ଥେସିଆ) ବିଭାଗ ଡାକ୍ତର ଦେବପ୍ରସାଦ ମହାନ୍ତି ଅପରେସନ୍ କରି କଟା ପାପୁଲିକୁ ହାତରେ ଯୋଡ଼ିଥିଲେ । ପାରିବାରିକ କଳିକୁ ନେଇ ଘଟିଥିବା ଏ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ମହିଳାଙ୍କ ପୁଅ ଅମଙ୍ଗ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons