ନୂଆ କମିଶନରଙ୍କ ନୂଆ ପ୍ଲାନିଂ:ତାଲିମ ନେବେ ଥାନା କର୍ମଚାରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଟ୍ୱିନ୍ସିଟିର ପୁଲିସ୍ କମିଶର ଡ. ସୁଧାଂଶୁ ଷଡ଼ଙ୍ଗୀ ଲୋକଙ୍କ ନିକଟତର ହେବାକୁ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଥାନାରେ ଅଭିଯୋଗକାରୀମାନେ କେମିତି ଉତ୍ତମ ସେବା ପାଇବେ? ସେମାନଙ୍କୁ ଥାନା କର୍ମଚାରୀମାନେ କିଭଳି ବ୍ୟବହାର ଦେଖାଇବେ? ସେ ଦିଗରେ ଥାନା କର୍ମଚାରୀଙ୍କୁ ତାଲିମ୍ ଦେବାକୁ କମିଶନର ଅଣ୍ଟା ଭିଡିଛନ୍ତି । ଖୁବ୍ ଶୀଘ୍ର ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ଏଥିରୁ ତାଲିମ୍ପ୍ରାପ୍ତ କର୍ମଚାରୀ ପୂର୍ବାପେକ୍ଷା ଅଧିକ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପାରିବ ବୋଲି କମିଶନର ଶ୍ରୀ ଷଡଙ୍ଗୀ ଆଶା ବାନ୍ଧିଛନ୍ତି । \n ଏକ ସାମ୍ବାଦିକ ସମ୍ମିଳନୀରେ କମିଶନର ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ଅପରାଧିକ କାର୍ଯକଳାପର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ପୁଲସ୍ର କର୍ତ୍ତବ୍ୟ । ଏହି ସବୁକାମ କରିବା ସମୟରେ ପୁଲିସର ଆଚରଣ ବ୍ୟବହାର ହିଁ ଗୁରୁତ୍ୱ ରଖିଥାଏ । ଯଦି କେହି କର୍ମଚାରୀ ଲୋକଙ୍କୁ ଖରାପ ବ୍ୟବହାର କରନ୍ତି, ତାହା ପୁଲିସର ଭାବମୂର୍ତ୍ତିରେ ଓଲଟା ପ୍ରଭାବ ପକାଇଥାଏ । \n କମିଶନର ଆହୁରି କହିଛନ୍ତି, ଲୋକଙ୍କର ବିଶ୍ୱାସଭାଜନ ହେବା ପାଇଁ ପୁଲିସ ଅଫିସର ଓ କର୍ମଚାରୀଙ୍କ ପାଇଁ ୮ଟି ମାନଦଣ୍ଡ ପ୍ରସ୍ତୁତ ହୋଇଛି । ଏହା ଆଧାରରେ ଅଧିକାରୀମାନେ ଶୃଙ୍ଖଳିତ ହେବା ସହ ଆଚରଣରେ ପରିବର୍ତ୍ତନ ଆଣିବେ । ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଏହି ମାନଦଣ୍ଡ ପ୍ରଚଳିତ ହେବ । ପୁଲିସ ଅଧିକାରୀ ଓ କର୍ମଚାରୀ ମାନଦଣ୍ଡ ମୁତାବକ ନିଜ ଆଚରଣ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଯେଉଁମାନେ ଏହାକୁ ଲଂଘିବେ, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । \n ସେ କହିଛନ୍ତି, ପ୍ରତି ଥାନାଧିକାରୀଙ୍କ କାର୍ଯ୍ୟ କରିବା ଉପାୟ ଭିନ୍ନ । ତେଣୁ ମୁଁ ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଗୋଟିଏ କିମ୍ବା ଦୁଇଟି ଦିନରେ ପରିବର୍ତ୍ତନ ହେବ ବୋଲି ମୁଁ ଆଶା କରୁନାହିଁ । ଆସ୍ତେ ଆସ୍ତେ ବଦଳି ପାରିବେ । ଟ୍ୱିନ୍ସିଟିରେ ସମସ୍ତ ପୁଲିସ କର୍ମଚାରୀଙ୍କୁ ପରସ୍ପରକୁ ଜାଣିବାକୁ ଦୁଇମାସ ଲାଗିବ । ଏଥିପାଇଁ ମୁଁ ପର୍ଯ୍ୟାୟକ୍ରମେ ସବୁ ଥାନା ପରିଭ୍ରମଣ କରିବି । \n ଅନ୍ୟପକ୍ଷେ ଟ୍ୱିନ୍ସିଟିରେ ଅପରାଧ ନିୟନ୍ତ୍ରଣ ମଧ୍ୟ ଦିନକୁ ଦିନ ଚ୍ୟାଲେଞ୍ଜ୍ପୂର୍ଣ୍ଣ ହୋଇପଡି଼ଛି । ପୁଲିସର ଗୁଇନ୍ଦା ଢେର୍ ମାତ୍ରାରେ ଫେଲ୍ ମାରିଛି । ପୁଲିସକୁ ଖବର ଦେବାକୁ ସାଧାରଣ ଜନତା ପଛଘୁଞ୍ଚା ଦେଉଛନ୍ତି । ପୁଲିସ ଅଧିକାରୀଙ୍କ ଉପରେ ସେମାନଙ୍କ ଭରସା ଆସୁନି । ବସ୍ତିବାସିନ୍ଦାଙ୍କ ପାଇଁ ଚାଲିଥିବା ‘ଆପୋଷ’ ଯୋଜନା ଯେଉଁ ମାତ୍ରାରେ ସଫଳ ହେବା କଥା ତାହା ହୋଇନାହିଁ । ଅଭିଯୋଗକାରୀଙ୍କ ସହ ସିଧାସଳଖ କଥା ହେବା ପାଇଁ ମୁଖ୍ୟମନ୍ତ୍ରୀ ‘ଆମ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହାକୁ ନଜରରେ ରଖି ଏହି ୮ ସୂତ୍ରୀ ମାନଦଣ୍ଡ ବନାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons