ନୂଆ ମଜୁରି ବିଲ୍ ସଂସଦରେ ଗୃହୀତ:ସର୍ବନିମ୍ନ ମଜୁରି ସ୍ଥିର କରିବେ ସରକାର

Get real time updates directly on you device, subscribe now.

ନୂଆଦିଲ୍ଲୀ:ଦେଶର ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବେ । ଏକ ନୂଆ ବିଲ୍ ଜରିଆରେ ଏହା ସମ୍ଭବ ହେବ । ଏହାର ନାଁ ହେଉଛି ମଜୁରି ସଂହିତା ବିଲ୍-୨୦୧୯ । ଶ୍ରମିକଙ୍କ ବେତନରେ ବିସଙ୍ଗତି ଦୂର କରିବା ପାଇଁ ନୂଆ ମଜୁରି ବିଲ୍କୁ ଶୁକ୍ରବାର ରାଜ୍ୟ ସଭାର ଅନୁମୋଦନ ମିଳିଛି । ଗତ ସପ୍ତାହରେ ଏହା ଲୋକସଭାରେ ଗୃହୀତ ହୋଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ । ଏହା ମାଧ୍ୟମରେ ଦେଶର ୫୦ କୋଟି ଶ୍ରମିକ ଉପକୃତ ହେବେ ।
ସର୍ବନିମ୍ନ ମଜୁରି ସହ ଶ୍ରମିକଙ୍କୁ ନିର୍ଦ୍ଧାରିତ ସମୟରେ ପ୍ରାପ୍ୟ ପ୍ରଦାନକୁ ଏହି ବିଲ୍ ସୁନିଶ୍ଚିତ କରିବ । ପ୍ରତି ମାସର ୭ ତାରିଖ ସୁଦ୍ଧା ଏମାନଙ୍କୁ ମାସିକ ଦରମା ମିଳିବ । ସାପ୍ତାହିକ ଭିତ୍ତିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ସପ୍ତାହର ଅନ୍ତିମ ଦିନରେ ସେମାନଙ୍କ ମଜୁରି ମିଳିବ । ଦୈନିକ ଭିତ୍ତିରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସମାନ ଦିନରେ ମଜୁରି ଦିଆଯିବ ।
କେନ୍ଦ୍ର ଦ୍ୱାରା ସ୍ଥିର ହେବାକୁ ଥିବା ସର୍ବନିମ୍ନ ମଜୁରି ରୋଜଗାରର ପ୍ରକାର ଉପରେ ନିର୍ଭର କରିବ ନାହିଁ । ବରଂ ଭୌଗୋଳିକ କ୍ଷେତ୍ର ତଥା ଦକ୍ଷତାକୁ ଦୃଷ୍ଟିରେ ରଖାଯାଇ ସର୍ବନିମ୍ନ ମଜୁରି ସ୍ଥିର କରାଯିବ ।
ସଂସଦର ଷ୍ଟାଣ୍ଡିଂ କମିଟିର ସୁପାରିସକୁ ସାମିଲ କରି ଏହି ବିଧେୟକକୁ ପ୍ରସ୍ତୁତ କରାଯାଇଛି । ବିଧେୟକରେ ଥିବା ବ୍ୟବସ୍ଥା ଅନୁସାରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରିକୁ ପ୍ରତି ୫ ବର୍ଷରେ ସଂଶୋଧନ କରାଯିବ ।
ରାଜ୍ୟଗୁଡ଼ିକରେ ନ୍ୟୂନତମ ମଜୁରି ଭିନ୍ନ ଭିନ୍ନ ରହିଛି । ଏହି ବିଲ୍ରେ ସର୍ବନିମ୍ନ ମଜୁରି ସ୍ଥିର କରିବାର ପ୍ରଣାଳିକୁ ଯୁକ୍ତିସଂଗତ କରାଯାଇଛି । ରୋଜଗାରର ବିଭିନ୍ନ ପ୍ରକାରକୁ ଅଲଗା କରି ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ପାଇଁ ଗୋଟିଏ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି ।
ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଯଥା କୃଷି ଶ୍ରମିକ, ରଙ୍ଗମିସ୍ତ୍ରି, ରେସ୍ତୋରାଁ ତଥା ଢାବାରେ କାର୍ଯ୍ୟ କରୁଥିବା ଶ୍ରମିକ, ଚୌକିଦାର ବର୍ତ୍ତମାନ ଯାଏ ସର୍ବନିମ୍ନ ମଜୁରି ଆଇନ ମଧ୍ୟରେ ଆସୁ ନ ଥିଲେ । ଏବେ ଏମାନଙ୍କୁ ଏଥିରେ ସାମିଲ କରାଯିବ । ଫଳରେ ସେମାନଙ୍କୁ ସର୍ବନିମ୍ନ ମଜୁରି ଆକାରରେ ଆଇନଗତ ସୁରକ୍ଷା ମିଳିବ ।
ବିଧେୟକରେ କାର୍ଯ୍ୟସ୍ଥଳୀରେ ନିରୀକ୍ଷଣ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଇଛି । ଏଥିମଧ୍ୟରେ ରହିଛି ୱେବ୍ ଆଧାରିତ କମ୍ପ୍ୟୁଟରୀକୃତ ନିରୀକ୍ଷଣ ବ୍ୟବସ୍ଥା, ଅଧିକାର କ୍ଷେତ୍ର ମୁକ୍ତ ନିରୀକ୍ଷଣ, ଇଲେକ୍ଟ୍ରୋନିକ୍ ମୋଡ୍ରେ ସୂଚନା ସଂଗ୍ରହ ଏବଂ ଜରିମାନା ବ୍ୟବସ୍ଥା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons