ନୂଆ ଶିଳ୍ପର ଉଦ୍ଘାଟନ ଓ ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦୌଡ଼ିବ ଶିଳ୍ପାୟନ । ରାଜ୍ୟରେ ନିବେଶ ହେବ ୪ ହଜାର ୪୬୧ କୋଟି ୪୨ ଲକ୍ଷ ଟଙ୍କା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେବ ୨୨ଟି ଶିଳ୍ପ । ନିଯୁକ୍ତି ପାଇବେ ପ୍ରାୟ ୯ ହଜାର ୪୫୧ ଜଣ । ବୁଧବାର ଲୋକସେବା ଭବନରେ ଭିଡିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପଗୁଡ଼ିକର ଭୂମିପୂଜନ ସହ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଶିଳ୍ପଗୁଡ଼ିକ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ । ରାଜ୍ୟ ସରକାରଙ୍କ ସହଯୋଗରେ ଏ କଂପାନିଗୁଡ଼ିକ ରାଜ୍ୟରେ ଶିଳ୍ପରେ ମାଇଲଖୁଣ୍ଟ ଭାବେ ଛିଡ଼ା ହେବେ । ସମସ୍ତ କଂପାନିଗୁଡ଼ିକୁ ଅଭିନନ୍ଦନ ।
ରାଜ୍ୟର ପୁରୀରୁ ଆରମ୍ଭ କରି ରାୟଗଡ଼ା, କଟକ, ସମ୍ବଲପୁର, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଖୋର୍ଦ୍ଧା , ତାଳଚେର ଆଦି ଅଞ୍ଚଳରେ ନୂତନ ଭାବେ କିଛି ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ହେବ । ବୟନ ଓ ପୋଷାକ, ଇସ୍ପାତ, ପ୍ଲାଷ୍ଟିକ, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଧାତବ ଭଳି ୧୦ଶିଳ୍ପ ୟୁନିଟ୍ର ଉଦ୍ଘାଟନ ଏବଂ ୧୨ ପ୍ରକଳ୍ପର ଶିଳାନ୍ୟାସ (ଗ୍ରାଉଣ୍ଡବ୍ରେକିଂ) କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଶିଳ୍ପକୁ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସହଯୋଗ ଜାରି ରହିବ । ଦେଶର ଶ୍ରେଷ୍ଠ ୩ ନିବେଶସ୍ଥଳୀ ମଧ୍ୟରେ ଓଡ଼ିଶା କିଭଳି ରହିବ ସରକାର ତାକୁ ଆଖିରେ ରଖି ପଦକ୍ଷେପ ନେଉଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ସହ ଶିଳ୍ପରେ ନୂଆ ଉଚ୍ଚତାକୁ ଯିବାକୁ ଆମେ ‘୫ ଟି’ ମନ୍ତ୍ରକୁ ମଧ୍ୟ ଆପଣାଇଛୁ । ଧାର୍ଯ୍ୟ ସମୟସୀମାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ସରକାର ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ବୈଷୟିକ ଜ୍ଞାନ, ସଂସ୍କାର ଓ ସମୟ ସୀମା (୫ଟି)କୁ ଫୋକସ୍ କରୁଛନ୍ତି ।
ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ମେକ୍ ଇନ ଓଡ଼ିଶାରେ ଆମକୁ ଢ଼େର ସଫଳତା ମିଳିଛି । ଗତ ୨୦ ମାସ ମଧ୍ୟରେ ୧୨୦ ଶିଳ୍ପ ୟୁନିଟର ଆମେ ଗ୍ରାଉଣ୍ଡବ୍ରେକିଂ ସହ ଉଦ୍ଘାଟନ କରିଛୁ । ଏ ଶିଳ୍ପଗୁଡ଼ିକରେ ୯୨ ହଜାର ୬୮୬ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିଲା ବେଳେ ୧ ଲକ୍ଷ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ବିନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ ସହ କର୍ମନିଯୁକ୍ତି ସୃଷ୍ଟି କରିବାକୁ ସମସ୍ତ ଆନୁଷଙ୍ଗିକ ବିଭାଗ ତ୍ୱରିତ ଓ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ୍ ଇନ ଓଡ଼ିଶା-୨୦୧୮ର କଫି ଟେବୁଲ ବୁକ୍ ଉନ୍ମୋଚନ କରିଥିଲେ । ଶିଳ୍ପ ଓ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିଜ ଅଭିଭାଷଣ ରଖିଥିଲା ବେଳେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଆଜି ଉଦଘାଟିତ ପ୍ରକଳ୍ପଗୁଡ଼ିକ ସଂପର୍କରେ ସୂଚନା ଦେଇଥିଲେ । ଶେଷରେ ଇଡକୋ ସିଏମଡି ସଂଜୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons