ନୂଆଦିଲ୍ଲୀ: ଚୀନ୍ ସେନା ବେଆଇନ ଭାବେ ନେପାଳର ୭ଟି ସୀମାବର୍ତ୍ତୀ ଜିଲା ଭିତରେ ପ୍ରବେଶ କରି ତା’ର ଗୁଡ଼ାଏ ଅଞ୍ଚଳକୁ ନିଜ ଦଖଲକୁ ନେଇସାରିଲାଣି । ଏହା ଜଣାପଡ଼ିବା ପରେ ଭାରତୀୟ ଗୁଇନ୍ଦା ସଂସ୍ଥା କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି ।
ଗୁଇନ୍ଦା ସଂସ୍ଥା ଦେଇଥିବା ରିପୋର୍ଟ ଅନୁସାରେ, ଚୀନ୍ ସେନା ନେପାଳର ଅଧିକରୁ ଅଧିକ ଭୂମି ନିଜ ଦଖଲକୁ ନେବା ପାଇଁ ଉଦ୍ୟମ କରୁଛି ଏବଂ ଏଥିପାଇଁ ଅତି ତୀବ୍ର ଗତିରେ କାମ କରୁଛି । ନେପାଳ ସୀମାରେ ବାସ୍ତବ ପରିସ୍ଥିତି ଏବେ କରାଯାଉଥିବା ଆକଳନ ଅପେକ୍ଷା ଆହୁରି ଖରାପ ବି ହୋଇପାରେ । ସେଠାରେ କ୍ଷମତାରେ ଥିବା କମୁ୍ୟନିଷ୍ଟ ପାର୍ଟି ଚୀନ୍ର ଏଭଳି ଷଡ଼ଯନ୍ତ୍ରକୁ ଲୁଚାଇବାକୁ ଚେଷ୍ଟା କରୁଛି ।
କିଛି ମାସ ତଳେ ନେପାଳର ସର୍ଭେ ବିଭାଗ ଚୀନ୍ର ଅତିକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କେ ପି ଓଲିଙ୍କୁ ଏକ ରିପୋର୍ଟ ଦେଇଥିଲା । ମାତ୍ର ସରକାର ଏହାର ଅଣଦେଖା କରିଥିଲେ । ସର୍ଭେ ବିଭାଗ ଓଲି ସରକାରଙ୍କୁ ଜଣାଇଥିଲା କି ଦେଶର ସାତଟି ସୀମାବର୍ତ୍ତୀ ଜିଲା ଡୋଲଖା, ଗୋର୍ଖା, ଡାରଚୁଲା,ହୁମଲା, ସିନ୍ଧୁପାଲଚୌକ, ସାଙ୍ଖୁୱାସବା ଏବଂ ରାସୁୱାରେ ଚୀନ୍ ସେନା ସୀମା ଭିତରକୁ ମାଡ଼ି ଆସି କିଛି ଅଞ୍ଚଳକୁ କବ୍ଜା କରିଛି । ଡୋଲଖା ଜିଲାରେ ଚୀନ୍ ସେନା ନେପାଳ ସୀମାର ୧୫୦୦ ମିଟର ଭିତରକୁ ପଶି ଆସିବା ସହିତ ସେଇ ଅଞ୍ଚଳ ନିଜ ଦଖଲକୁ ନେଇଯାଇଛି । ସେଠାରେ ନେପାଳ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଖୁଣ୍ଟିକୁ କାଢ଼ି ଦେଇଛି । ଡୋଲଖା ଭଳି ଚୀନ୍ ସେନା ନେପାଳର ଗୋର୍ଖା ଜିଲା ସଂଲଗ୍ନ ସୀମାରେ ଥିବା ତିନୋଟି ଖୁଣ୍ଟିର ଅବସ୍ଥିତି ପରିବର୍ତ୍ତନ କରିଦେଇଛି । ଏଠାରେ ଥିବା ରୁଇ ଗ୍ରାମ ନେପାଳର ଅଂଶ ହୋଇଥିଲେ ମଧ୍ୟ ଚୀନ୍ ସରକାର ୨୦୧୭ରୁ ଏହାକୁ ତିକ୍ରତ ସ୍ୱୟଂଶାସିତ ଅଞ୍ଚଳର ଅଂଶ ଭାବେ ଚିତ୍ରଣ କରୁଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ଥିବା ନେପାଳର ଅନେକ କୋଠାକୁ ବି ଚୀନ୍ ନିଜ ଦଖଲକୁ ନେଇଯାଇଛି ।
ନେପାଳର କୃଷି ବିଭାଗ ବି ନିକଟରେ ଚୀନ୍ ଦ୍ୱାରା ବିଭିନ୍ନ ସ୍ଥାନରେ ନେପାଳର ଭୂମି କବ୍ଜା କରାଯିବା ଉପରେ ଏକ ରିପୋର୍ଟ ଦେଇଛି । ରିପୋର୍ଟ ଅନୁସାରେ, ନେପାଳର ୪ଟି ଜିଲା ଅନ୍ତର୍ଗତ ୧୧ଟି ସ୍ଥାନରେ ଚୀନ୍ ସେନା ନେପାଳ ସୀମା ଭିତରକୁ ପ୍ରବେଶ କରି ତା’ର ଭୂମିକୁ ଜବରଦସ୍ତ କବ୍ଜା କରିଛି । ଏହି ୪ ଜିଲାରେ ଚୀନ୍ ଯେଉଁ ଅଞ୍ଚଳ ସବୁକୁ ଦଖଲ କରିଛି, ସେଗୁଡ଼ିକ ଭିତରୁ ଅଧିକାଂଶ ବିଭିନ୍ନ ନଦୀ ଅବବାହିକାରେ ଅଛି ।
ଭାରତୀୟ ଗୁଇନ୍ଦା ସଂସ୍ଥା ଏହା ମଧ୍ୟ ଦର୍ଶାଇଛନ୍ତି, ଚୀନ୍କୁ ଅସନ୍ତୁଷ୍ଟ ନକରିବା ଲକ୍ଷ୍ୟରେ ନେପାଳ ସରକାର ୨୦୦୫ ମସିହା ଠାରୁ ତା’ ସହିତ ସୀମା ବିବାଦକୁ ନେଇ ଆଲୋଚନା କରୁନାହାନ୍ତି କି ତା’ କବ୍ଜାରେ ଥିବା ଭୂମିକୁ ଫେରାଇବାକୁ ଦାବି କରୁନାହାନ୍ତି ।
ଆଉ ଏକ ଘଟଣାକ୍ରମରେ, ନେପାଳ ସରକାର ଭାରତ ସହିତ ସୀମା ବିବାଦକୁ ନେଇ ନିଜର ଆଭିମୁଖ୍ୟ କୋହଳ କରିଥିବାର ସଂକେତ ଦେଇଛନ୍ତି । ଗତ ବୁଧବାର ଭାରତୀୟ ଗୁଇନ୍ଦା ସଂସ୍ଥା ‘ରିସର୍ଚ୍ଚ ଏଣ୍ଡ ଆନାଲିସିସ ଉଇଙ୍ଗ(ର)’ର ମୁଖ୍ୟ ସାମନ୍ତ ଗୋଏଲ ନେପାଳ ଗସ୍ତରେ ଯାଇଥିଲେ । ତାଙ୍କ ସହିତ ୯ ଜଣ ଗୁଇନ୍ଦା ଅଧିକାରୀ ବି ଯାଇଥିଲେ । ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କ ନେପାଳ ଗସ୍ତର ମାତ୍ର କିଛି ପୂର୍ବରୁ ‘ର’ ମୁଖ୍ୟ ସେଠାକୁ ଯିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଗୋଏଲ ନିଜ ଗସ୍ତ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ ଓଲି, କମୁ୍ୟନିଷ୍ଟ ଦଳର ଆଉ ଜଣେ ପ୍ରଭାବଶାଳୀ ନେତା ପ୍ରଚଣ୍ଡଙ୍କ ସହ କିଛି ବରିÂ ସୁରକ୍ଷା ଅଧିକାରୀଙ୍କୁ ସାକ୍ଷାତ କରିଥିଲେ ।
ଠିକ୍ ତା’ ପରଦିନ ନେପାଳର ପ୍ରଧାନମନ୍ତ୍ରୀ ଓଲି ଦେଶବାସୀଙ୍କୁ ଦଶହରା ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ । କିନ୍ତୁ ଶୁଭେଚ୍ଛା ଜଣାଉଥିବା ସମୟରେ ସେ ନେପାଳର ଏକ ପୁରୁଣା ମାନଚିତ୍ରକୁ ପ୍ରଦର୍ଶନ କରିଥିଲେ । ଭାରତର କିଛି ଅଞ୍ଚଳକୁ ନିଜର ଦର୍ଶାଇ ନେପାଳ ସରକାର ଜାରି କରିଥିବା ନୂଆ ମାନଚିତ୍ରକୁ ସେ ପ୍ରଦର୍ଶନ କରିନଥିଲେ । ତାଙ୍କର ଏଭଳି ପଦକ୍ଷେପକୁ ସେଠାକାର କିଛି ରାଜନୈତିକ ଦଳ ସମାଲୋଚନା କରୁଥିଲେ ମଧ୍ୟ ଏଥିରୁ ସେ ଭାରତ ପ୍ରତି ଆଭିମୁଖ୍ୟକୁ ନରମ କରୁଥିବାର ମନେ କରାଯାଉଛି । ସେହିପରି ‘ର’ ମୁଖ୍ୟଙ୍କ ଗସ୍ତର ପରଦିନ ସେ ଏପରି କରିଥିବାରୁ ଉଭୟ ଘଟଣା ଭିତରେ କିଛି ଲିଙ୍କ୍ ଥିବାର କୁହାଯାଉଛି ।
Comments are closed, but trackbacks and pingbacks are open.