ଫୁଲବାଣୀ, (ବି.ବି.ନ୍ୟୁଜ୍): ବହୁଚର୍ଚ୍ଚିତ ଗୁମୁଡୁମାହା ଗୁଳିକାଣ୍ଡକୁ ପୁରିଛି ୩ ବର୍ଷ । ଯେଉଁଠି ଗୋଟିଏ ପଟେ ଉକ୍ତ ଲୋମହର୍ଷଣକାରୀ ଘଟଣା ମନେ ପଡ଼ିଗଲେ ଏବେ ବି ଛାତି ଥରି ଉଠୁଛି, ଆରପଟେ ବିକାଶ ଓ ସମସ୍ୟାର ଦୋଛକିରେ ଛନ୍ଦି ହୋଇ ରହିଛି କନ୍ଧମାଳ ଜିଲ୍ଲାର ଏହି ମାଓପ୍ରବଣ ଅଞ୍ଚଳ । ଗତ ୩ ବର୍ଷ ମଧ୍ୟରେ ଉକ୍ତ ଘଟଣାର ମୃତାହତଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ତଥାପି ଆଜି ବି ଗୁମୁଡୁମାହା ଏକରକମ ଅପହଞ୍ଚ, ଅଭିଶପ୍ତ ଇଲାକା ହୋଇ ରହିଛି ।
୨୦୧୬ ଜୁଲାଇ ୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଗୁମୁଡୁମାହା ନିକଟରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ବାଲିଗୁଡ଼ା ବ୍ଲକ୍ ଗୁମୁଡୁମାହାର ପ୍ରାୟ ୧୪ ଜଣ ପୁରୁଷ, ମହିଳା ଓ ଶିଶୁ ବ୍ଲକ୍ ମୁଖ୍ୟାଳୟରୁ ନିଜ ଗାଁକୁ ଫେରୁଥିଲେ । ମନରେଗା ମଜୁରୀ ଆଣି ଏକ ଅଟୋରେ ଗାଁକୁ ଫେରୁଥିଲେ । ଝିପି ଝିପି ବର୍ଷା ଯୋଗୁଁ କାଦୁଅ ରାସ୍ତାରେ ଗ୍ରାମ ଠାରୁ ଅଧ କିଲୋମିଟର ଦୂର ଜଙ୍ଗଲ ରାସ୍ତାରେ ଅଟକି ଯାଇଥିଲା ଅଟୋଟି । ସେହି ସମୟରେ ଉକ୍ତ ଜଙ୍ଗଲରେ ମାଓବାଦୀ ଥିବା ସନ୍ଦେହରେ କମ୍ବିଂ ଅପରେସନ୍ ଚଳାଇଥିଲା ସଶସ୍ତ୍ର ପୁଲିସବାହିନୀ । ଅନ୍ଧାର ଯୋଗୁଁ ଭଲ ଭାବେ ଦେଖି ନପାରି ଅଟୋରେ ମାଓବାଦୀ ଥିବା ସନ୍ଦେହରେ ଗୁଳି ଚଳାଇଥିଲେ ସୁରକ୍ଷାବାହିନୀ । ଫଳରେ ୨ ବର୍ଷର ଜଣେ ଶିଶୁ, ୩ ମହିଳା ଓ ଜଣେ ପୁରୁଷଙ୍କ ଜୀବନ ଚାଲିଯିବା ସହ ଆଉ ୫ ଜଣ ଗୁରୁତର ହୋଇଥିଲେ ।
ଏହି ଘଟଣା ରାଜ୍ୟ ତଥା ଜାତୀୟସ୍ତରରେ ତୁମ୍ଭିତୋଫାନ ସୃଷ୍ଟି କରିଥିଲା । ରାଜ୍ୟ ଓ ଜାତୀୟ ଗଣମାଧ୍ୟମ ସମେତ ରାଜନେତା, ମନ୍ତ୍ରୀଙ୍କ ସୁଅ ଛୁଟିଥିଲା ଏହି ଅଞ୍ଚଳକୁ । ଘଟଣାର ଗୁରୁତ୍ୱ ଦେଖି ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ସହ ବିଚାର ବିଭାଗୀୟ ଯାଞ୍ଚ ଆଦେଶ ଦେଇଥିଲେ । ମୃତକଙ୍କ ପରିବାରକୁ ୭ ଲକ୍ଷ ଟଙ୍କା, ଗୁରୁତର ୩ ଜଣଙ୍କୁ ୫୦ ହଜାର ଏବଂ ଆହତ ୨ ଜଣଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇ ଥିଲା । କ୍ଷତିଗ୍ରସ୍ତ ୧୦ ପରିବାରଙ୍କ ମଧ୍ୟରୁ ୮ ଜଣଙ୍କୁ ବିଜୁ ପକ୍କା ଗୃହ, ଅନ୍ୟ ୨ କ୍ଷତିଗ୍ରସ୍ତ ପରିବାର ସମେତ ଗ୍ରାମର ଆଉ ୮ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇ ଥିଲା । ଅଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା ଲାଗୁ କରିଥିଲେ । ଗାଁରେ ପାଇପ୍ ପାଣିଯୋଗାଣ, ସୋଲାର୍ ଷ୍ଟ୍ରିଟ୍ ଲାଇଟ୍, ବିଦ୍ୟୁତ୍ ସଂଯୋଗ ଆଦି ହୋଇଛି ।
ହେଲେ ଯେଉଁ କାଦୁଅ ରାସ୍ତା ପାଇଁ ଏତେ ବଡ଼ ଘଟଣା ଘଟିଲା ତାହା ଆଜି ପର୍ଯ୍ୟନ୍ତ ପକ୍କା ହୋଇପାରିଲା ନାହିଁ । ମାଓବାଦୀଙ୍କ ଡରରେ ଏପର୍ଯ୍ୟନ୍ତ କୁର୍ତ୍ତମଗଡ଼ରୁ ଗୁମୁଡୁମାହା ପର୍ଯ୍ୟନ୍ତ ମୋଟ ୧୧ କିମି ରାସ୍ତା ମଧ୍ୟରୁ ୭ କିମି ଦୂର ସଡ଼କ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇ ରହିଛି । ଏବେ ବି ଲୋକେ ବାଧ୍ୟ ହୋଇ ସେଇ କାଦୁଅ ମାଟି ରାସ୍ତାରେ ଯାଆସ କରୁଛନ୍ତି । ଜରୁରୀକାଳୀନ ଅବସ୍ଥାରେ ବେଶ୍ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକ । ଗ୍ରାମରେ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ, ମୋବାଇଲ୍ ଯୋଗାଯୋଗ ନାହିଁ । ସରକାରୀ କାର୍ଯ୍ୟ ପାଇଁ ୧୪ କିମି ଦୂର ପଞ୍ଚାୟତ ମୁଖ୍ୟାଳୟକୁ କଷ୍ଟେମଷ୍ଟେ ଯିବାକୁ ପଡୁଛି । ମୋଟାମୋଟି ଭାବେ ଗୁମୁଡୁମାହା ଗ୍ରାମବାସୀ ବିକାଶର ସ୍ୱାଦ ଠିକ୍ ଭାବେ ଅନୁଭବ କରିପାରୁ ନାହାନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ଡିସେମ୍ବରରୁ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ସରକାରଙ୍କ ନାଲିଫିତା ତଳେ ବନ୍ଧା ହୋଇ ରହିଛି । ଏସ୍ଆଇଟି ତଦନ୍ତରେ ମଧ୍ୟ ଏ ପର୍ଯ୍ୟନ୍ତ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇନାହିଁ । ଏଣୁ ଗୁମୁଡୁମାହାବାସୀ ଘଟଣାର ୩ ବର୍ଷ ପରେ ମଧ୍ୟ କଣ ନ୍ୟାୟ ମିଳୁଛି ତାହାକୁ ଅପେକ୍ଷା କରି ବସିଛନ୍ତି ।
Comments are closed, but trackbacks and pingbacks are open.