ନୟାଗଡ଼,(ବି.ବି.ନ୍ୟୁଜ୍): ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି । କଟକରେ ତିନି ବ୍ୟକ୍ତିଙ୍କୁ ତଣ୍ଟିକାଟି ହତ୍ୟା କରାଯିବା ଘଟଣାରେ ପୁଲିସ ଗିରଫ କରିଥିବା ସାଇକୋ କିଲର ନାରାୟଣ ସାହୁଙ୍କ ପତ୍ନୀ ନୟାଗଡ଼ ଏସ୍ପିଙ୍କ ଦ୍ୱାରସ୍ଥ ହୋଇ ଏଭଳି ଅଭିଯୋଗ କରିଛନ୍ତି । ଆଜି ନାରାୟଣଙ୍କ ପରିବାର ଓ ଗ୍ରାମବାସୀ ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସି ନାରାୟଣଙ୍କୁ ମିଥ୍ୟା ଅଭିଯୋଗରେ କମିଶନରେଟ ପୁଲିସ୍ ଗିରଫ କରିଥିବା ଅଭିଯୋଗ କରିଛନ୍ତି । ପୁଲିସ୍ ନାରାୟଣଙ୍କୁ ତାଙ୍କ ଗ୍ରାମ ଓଡ଼ଗାଁ ଥାନା ସୁନାମୁହିଁରୁ ଗିରଫ କରିବାର ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଓ ଠୋସ୍ ପ୍ରମାଣ ପୁଲିସ ପାଖରେ ନଥିବା ସେମାନେ ଅଭିଯୋଗ କରିଛନ୍ତି ।
ଆଜି ମଧ୍ୟାହ୍ନରେ ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଗ୍ରାମବାସୀ ଓ ନାରାୟଣଙ୍କ ପରିବାର ଲୋକେ ନାରାୟଣ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । ସେହିଭଳି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି ସାହୁ ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ନାରାୟଣ ରହୁଥିବା କୁମ୍ପାପଡ଼ାଠାରେ ଲୋକମାନଙ୍କୁ ପଚରା ଯାଉ ବୋଲି ନାରାୟଣଙ୍କ ବାପା ଦୟାନିଧି ସାହୁ କହିଛନ୍ତି । ସେ କହିଛନ୍ତି ପିଲାଟି ଦିନରୁ ସେ କେବେ କାହାରିକୁ ହାତ ଲଗାଇ ନାହିଁ । ଆଜି ଏତେ ବଡ ଘଟଣା ସେ କରିଛି ବୋଲି ପୁଲିସ୍ କିପରି ଅଭିଯୋଗ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମୋ ପୁଅ ନିର୍ଦ୍ଦୋଷ । ତାକୁ ଛାଡ଼ି ଦେବାକୁ ସେ ଗୁହାରୀ କରିଛନ୍ତି । ଏସ୍ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍ପି ଦିଲ୍ଲୀପ୍ ସାହାଣିଙ୍କୁ ସେମାନେ ଲିଖିତ ଅଭିଯୋଗ ଦେଇଛନ୍ତି ।
Comments are closed, but trackbacks and pingbacks are open.