ନୟାଗଡ଼ ଜେଲ୍ରୁ କଏଦୀ ଚମ୍ପଟ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନ୍ୟୁଜ୍): ଶନିବାର ଖଣ୍ଡପଡ଼ା ଜେଲ୍ରୁ ଜଣେ ବିଚାରାଧୀନ କଏଦୀ ଫେରାର ହେବାର ଦିନକ ପରେ ଆଜି ମଧ୍ୟାହ୍ନରେ ନୟାଗଡ଼ ଜେଲ୍ରୁ ହିମାଂଶୁ ନାଏକ(୨୭) ନାମକ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି । ଦୁଇ ଦିନରେ ଦୁଇ ଜଣ କଏଦୀ ଚମ୍ପଟ ମାରିବାକୁ ନେଇ ନୟାଗଡ଼ ଜିଲ୍ଲାର ଜେଲ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ଜେଲ୍ କର୍ମଚାରୀଙ୍କ ସମେତ ପୁଲିସ୍ କର୍ମଚାରୀଙ୍କର ମଧ୍ୟ ନିଦ ହଜିଯାଇଛି । ଜେଲ୍ରେ ଲାଗିଥିବା ସିସି କ୍ୟାମେରାରେ ବି କଏଦୀ ଜଣକ ଫେରାର ହେବାର କୌଣସି ସୁରାକ ନଥିବା ଜଣାଯାଇଛି । ଏ ନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ସମଗ୍ର ନୟାଗଡ଼ ସହର ଏବଂ କଏଦୀର ନିଜ ଗ୍ରାମରେ ଚକ୍କର କାଟୁଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ ତା’ର ପତ୍ତା ମିଳି ପାରିନାହିଁ ।
ଖବରରୁ ପ୍ରକାଶ ଯେ, ନୟାଗଡ଼ ସହର ଡିଆରଡିଏ ନିକଟ ଲେଖନପୁର ଗ୍ରାମର ହିଂମାଶୁ ଏକ ଡକାୟତି ଉଦ୍ୟମ ମାମଲାରେ ଗତ ଜୁଲାଇ ୩୧ ତାରିଖ ଦିନ ଗିରଫ ହୋଇ ଜେଲ୍କୁ ଆସିଥିଲା । ରବିବାର ଜେଲ ଗେଟ୍ ବନ୍ଦ ରହିଥିଲା । କଏଦୀମାନଙ୍କୁ କେହି ସାକ୍ଷାତ କରିବାର ନଥିବାରୁ ଜେଲ ଭିତର ବାଟ ମଧ୍ୟ ବନ୍ଦ ରଖାଯାଇଥିଲା । ଜେଲ୍ ଭିତର ବ୍ୟତୀତ ବାହାରକୁ କେହି ଆସିବାର ନଥିବା ବେଳେ କେବଳ ଡାକ୍ତର କଏଦୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିାଲ । ସକାଳ ପ୍ରାୟ ୧୦ଟା ସମୟରେ ଖଣ୍ଡପଡ଼ା ଜେଲରୁ କଏଦୀ ଫେରାର ଘଟଣାର ତଦନ୍ତ କରିବାକୁ ନୟାଗଡ଼ ଜେଲର୍ ଉମେଶ ଚନ୍ଦ୍ର ବଳବନ୍ତରାୟ ସେଠାକୁ ଯାଇଥିଲେ । ଏହି ସମୟରେ ସହକାରୀ ଜେଲର୍ ରାମଜୀ ଓରାମ ଦାୟିତ୍ୱରେ ରହିଥିଲେ । ଦିନ ୧୦ରୁ ୧୧ଟା ମଧ୍ୟରେ ଡାକ୍ତର ରୋଗୀମାନଙ୍କୁ ଦେଖି ଔଷଧ ଦେଇଥିଲେ । ଠିକ୍ ସେହି ସମୟରେ ଅଭିଯୁକ୍ତ ହିମାଂଶୁ ମଧ୍ୟ ଡାକ୍ତରଙ୍କ ନିକଟରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ନେଇଥିଲା । ତେବେ ଗେଟ୍ ବନ୍ଦ ରହିଥିବାରୁ ସେ ଗେଟ୍ ରାସ୍ତାରେ ଯାଇ ନଥିବା ସିସିଟିଭି ଫୁଟେଜ୍ରୁ ଜଣାପଡିଛି । ଜେଲ ପଛପଟେ କୌଣସି କ୍ୟାମେରା ଲାଗି ନଥିବା ବେଳେ ଏତେ ବଡ଼ ପାଚେରି ଡେଇଁ ମଧ୍ୟାହ୍ନ ସମୟରେ ଜଣେ କଏଦୀ ଫେରାର ହେବା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ସେ ଚମ୍ପଟ ମାରିଲା କିଭଳି ବୋଲି ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେପଟେ ଜେଲ୍ ଭିତରେ ରହିଥିବା ଗଛଲତା ଏବଂ ପ୍ରତ୍ୟେକ କୋଠରୀ ମଧ୍ୟ ଯାଞ୍ଚ ସରିଲାଣି । ହେଲେ କେଉଁଠାରେ ମଧ୍ୟ ତା’ର ପତ୍ତା ମିଳୁନଥିବା ଜଣାଯାଇଛି । କଏଦୀ ଫେରାର ହେବା ଖବର ପାଇ ଜେଲର ଶ୍ରୀ ବଳବନ୍ତରାୟ ଖଣ୍ଡପଡ଼ାରୁ ତୁରନ୍ତ ଆସି ଘଟଣାର ତଦନ୍ତ କରି ନିରାଶ ହୋଇଥିବା ଜଣାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଫେରାର କଏଦୀ ହିମାଂଶୁ ବିରୋଧରେ ପୂର୍ବରୁ ୨୦୧୭ ମସିହାରେ ୧୬୪/୧୭ ଏବଂ ୨୦୧୮ ମସିହାରେ ୧୫୮/୧୮ ନମ୍ବରରେ ଦୁଇଟି ମାମଲା ରହିଥିଲା । ୱାରେଣ୍ଟ(କେସ୍ ନଂ ୨୬/୧୯) ବଳରେ ଟାଉନ ଥାନା ପୁଲିସ ତାକୁ ଗିରଫ କରି ଜେଲକୁ ପଠାଇଥିଲା । ଦ୍ୱିତୀୟ ଥର ସେ ନୟାଗଡ଼ ଜେଲକୁ ଯାଇଥିବା ଜେଲରଙ୍କଠାରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons