ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସଂସଦର ଆଗାମୀ ବଜେଟ ଅଧିବେଶନ ପାଇଁ ନିଜ ରଣକୌଶଳ ଧାର୍ଯ୍ୟ କରିଛି ବିଜୁ ଜନତା ଦଳ । ଦଳର ସାଂସଦମାନେ ଓଡ଼ିଶାରେ ପଛୁଆବର୍ଗଙ୍କ ଗଣତି ପାଇଁ ସଂସଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । ମହାନଦୀ, ପୋଲାଭରମ୍ ପ୍ରସଙ୍ଗକୁ ଉଠାଇବେ । ଜିଏସ୍ଟି କ୍ଷତିପୂରଣରେ କେନ୍ଦ୍ରର ଟାଳଟୁଳ ନୀତିକୁ ବିଜେଡି ବିରୋଧ କରିବ । ଓଡ଼ିଶାର ସ୍ୱାର୍ଥ ଓ ନ୍ୟାଯ୍ୟ ହକ୍ ପାଇଁ ଦଳର ସାଂସଦମାନେ କୌଣସି ସୁଯୋଗକୁ ହାତଛଡ଼ା କରିବେନି । ମଙ୍ଗଳବାର ବିଜେଡି ସଂସଦୀୟ ଦଳ ବୈଠକରେ ଏ ନିଷ୍ପତ୍ତି ହୋଇଛି ।
କେବଳ ସେତିକି ନୁହେଁ, ଦଳର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ନିୟମିତ ଉପସ୍ଥିତ ରହିବେ । ଆଲୋଚନାରେ ଅଂଶଗ୍ରହଣ କରିବେ । ଏଥିରେ କୌଣସି ପ୍ରକାର ଢିଲାପଣକୁ ବରଦାସ୍ତ କରାଯିବନି ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଲିଆଖି ଦେଖାଇଛନ୍ତି । ସାଂସଦମାନଙ୍କ ସଂସଦୀୟ ଦକ୍ଷତାକୁ ଦଳ ଅନୁଧ୍ୟାନ କରିବାକୁ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ କରିବ । ସାଂସଦ-ବିଧାୟକମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ରାଜ୍ୟର ବିକାଶ ପାଇଁ କାମ କରିବାକୁ ମଧ୍ୟ ନବୀନ ତାଗିଦ୍ କରିଛନ୍ତି
ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଏ ଅଧିବେଶନରେ ବିଜେଡି ନିଜ ରଣକୌଶଳ ନିର୍ଦ୍ଧାରଣ କରିବାକୁ ମଙ୍ଗଳବାର ନବୀନ ନିବାସରେ ବୈଠକ ଡାକିଥିଲା । ଦଳର ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏ ବୈଠକ ପରେ ସାଂସଦ ପିନାକୀ ମିଶ୍ର କହିଲେ, ସଂସଦରେ ଦଳ ଜନଗଣନା ବେଳେ ରାଜ୍ୟରେ ପଛୁଆବର୍ଗଙ୍କ ଗଣତି କରିବାକୁ ସଂସଦରେ ଜୋରଦାର ଦାବି କରିବ । ଏ ବର୍ଗର ଗଣତି ହୋଇନଥିବାରୁ ସେମାନଙ୍କ ସାମାଜିକ ବିକାଶ ପାଇଁ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ଭାବେ ଯୋଜନା ହାତକୁ ନେଇପାରୁନାହାନ୍ତି । ଏ ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେବା ସହ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ମାତ୍ର ଏ ସଂପର୍କରେ ଏଯାଏ କେନ୍ଦ୍ର ଅନୁମୋଦନ କରିନଥିବାରୁ ବିଜେଡି ଏ ପ୍ରସଙ୍ଗକୁ ସଂସଦରେ ଉଠାଇବ ।
ସେ କହିଲେ, ବିଜୁ ଜନତା ଦଳ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍)କୁ ବିରୋଧ କରୁନି ମାତ୍ର ଏଥିରେ ୧୩ ନମ୍ବର ସ୍ତମ୍ଭରେ ଜଣେ ନାଗରିକଙ୍କ ବାପ/ମାଆଙ୍କ ଜନ୍ମସ୍ଥାନ ସଂପର୍କରେ ସବିଶେଷ ବିବରଣୀ ସଂଗ୍ରକୁ ବିରୋଧ କରୁଥିଲୁ । ମାତ୍ର ଏ ସଂପର୍କରେ କେନ୍ଦ୍ର ସ୍ପଷ୍ଟ କରିସାରିଛି ଯେ ଏ ସ୍ତମ୍ଭ ପୂରଣ ବାଧ୍ୟତାମୂଳକ ନୁହେଁ । ତେଣୁ ବିଜୁ ଜନତା ଦଳ ସରକାର ଜନଗଣନା ବେଳେ ଏ ତଥ୍ୟ ସଂଗ୍ରହ ନକରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ନବୀନଙ୍କ ଶାସନରେ ରାଜ୍ୟବାସୀ ଶାନ୍ତିରେ ବିନା ଭୟ ଓ ବାଧାରେ ବାସ କରିବା ଦିଗରେ ସରକାର କାମ କରୁଛନ୍ତି । ଆମ ଦଳ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ ଦେଉଛି ମାତ୍ର ଜାତୀୟ ନାଗରିକତା ପଞ୍ଜିକା (ଏନଆରସି)କୁ ବିରୋଧ କରୁଛି । ଏହାକୁ ଆମେ ସମର୍ଥନ ଦେବାର ପ୍ରଶ୍ନ ଉଠୁନି । ଏହାକୁ ଛାଡ଼ି ମହାନଦୀ, ପୋଲାଭରମ୍, କ୍ଲିନ ଏନର୍ଜି ସେସ୍, କୋଇଲା ରୟାଲଟି ବୃଦ୍ଧି ଓ ରେଳ ପ୍ରକଳ୍ପକୁ ଅଧିକ ପାଣ୍ଠି ପ୍ରଦାନ ନେଇ ବିଜେଡି ଦାବିକୁ ଅଧିକ ତେଜିବ । ବିଧାନ ପରିଷଦ ନେଇ ପିନାକୀ କହିଲେ, ଆମକୁ ଏ ନେଇ ପ୍ରତିଶ୍ରୁତି ମିଳିଛି । ଏଥିରେ କିଛି ରାଜନୀତି ନାହିଁ । ବିଜେଡି, ବିଜେପି ଓ କଂଗ୍ରେସ ଏ ନେଇ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ପାରିତ କରିଛନ୍ତି । ତେଣୁ ଆମେ କେନ୍ଦ୍ରର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ।
ସେହିଭଳି ସଂସଦରେ ବିଜେଡି ସାଂସଦମାନେ କିଭଳି ଅଧିକ ନିÂା ଓ ଦକ୍ଷତାର ସହ କାମ କରିବେ ସେ ନେଇ ମଧ୍ୟ ନବୀନ ମନ୍ତ୍ର ଦେଇଛନ୍ତି । ସଂସଦରେ ସାଂସଦଙ୍କ ପ୍ରଦର୍ଶନ ଉପରେ ନିୟମିତ ଟ୍ରାକିଂ କରାଯିବ । ବିଭିନ୍ନ ପ୍ରସଙ୍ଗରେ ଓ ବିଲ୍ ଆଲୋଚନାରେ ସାଂସଦମାନେ କେତେ ପ୍ରଭାବଶାଳୀ ଭାବେ ସ୍ୱର ଉଠାଉଛନ୍ତି, ଅଂଶଗ୍ରହଣ କରୁଛନ୍ତି ତାହାକୁ ଟ୍ରାକିଂ କରାଯିବ । ପ୍ରତି ଦୁଇ ମାସରେ ସାଂସଦମାନେ ନିଜ ରିପୋର୍ଟକାର୍ଡ ସୁପ୍ରିମୋଙ୍କୁ ପ୍ରଦାନ କରିବେ ବୋଲି ସାଂସଦ ଡ. ସସ୍ମିତ ପାତ୍ର ସୂଚନା ଦେଇଛନ୍ତି । ଏହାଛଡ଼ା ସାଂସଦ-ବିଧାୟକଙ୍କ ସମନ୍ୱୟ ଉପରେ ମଧ୍ୟ ଦଳ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସସ୍ମିତ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.