ସମ୍ବଲପୁର,(ବି.ବି.ନ୍ୟୁଜ୍): ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରଣଜିତ ଗୁରୁଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହେଉଥିଲା । ସଂକ୍ରମଣଜନିତ ଜ୍ୱରରେ ପୀଡିତ ହୋଇ ସେ ଗତ ୧ ତାରିଖରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ବିୟୋଗରେ ସାରା ଗଣମାଧ୍ୟମ ଜଗତ ସମେତ ସବୁ ମହଲ ସ୍ତବ୍ଧ ହୋଇଯାଇଛି । ଆଜି ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ଜନ୍ମମାଟି ବରଗଡ଼ ଜିଲ୍ଲା ମହଖଣ୍ଡ ଗାଁକୁ ନିଆଯାଇଥିଲା । ସେଠାରେ ଆତ୍ମୀୟ ସ୍ୱଜନ ଏବଂ ଅଞ୍ଚଳବାସୀ ଶେଷ ଦର୍ଶନ କରିବା ପରେ ସମ୍ବଲପୁର ରାଜଘାଟକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଝିଅ କ୍ରାନ୍ତି ସ୍ୱାଗତିକା ମୁଖାଗ୍ନି ଦେଇଥିଲେ ।
ବରଗଡ ଏମ୍ପି ସୁରେଶ ପୂଜାରୀ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ ରଥ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ଡ. ଦିଲୀପ ପଣ୍ଡା, ଡ. ଅଭୟ ପାଢ଼ୀ, ବେଣୁଧର ଦାସ,ମହେନ୍ଦ୍ର ମିଶ୍ର, ପ୍ରଦୀପ ବହିଦାର, ‘ପ୍ରମେୟ’ ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ୱେତକୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ଶିବ ନନ୍ଦଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ଗୁରୁଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ମହଖଣ୍ଡ ଅଞ୍ଚଳର ଗୌନ୍ତିଆ ମଧୁସୂଦନ ଗୁରୁ ଓ ସ୍ନେହଲତା ଗୁରୁଙ୍କ ପୁତ୍ର ରଣଜିତ ପିଲାଦିନୁ ଅତ୍ୟନ୍ତ ମେଧାବୀ ଥିଲେ । ରାଜନୀତି ବିଜ୍ଞାନରେ ଏମ୍ଏ, ଏମ୍ଫିଲ ପରେ ସେ ସାମ୍ବାଦିକତା ପ୍ରତି ମନ ବଳାଇଥିଲେ । ସମ୍ବଲପୁରରୁ ପ୍ରକାଶିତ ‘ହୀରାଖଣ୍ଡ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରି ସ୍ୱର୍ଗତ ଗୁରୁ ପରେ ୧୯୮୪ରେ ‘ସମ୍ବାଦ’ରେ ଯୋଗ ଦେଇଥିଲେ । ଦୀର୍ଘ ୩୬ ବର୍ଷ କାଳ ଜଣେ ଦକ୍ଷ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ ନିଜକୁ ସେ ପ୍ରତିପାଦିତ କରିପାରିଥିଲେ । ତାଙ୍କର ସ୍ତମ୍ଭ ‘ଅପ୍ରସଙ୍ଗ’ ସାମ୍ବାଦିକ ଓ ରାଜନେତା ମହଲରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ପ୍ରମୁଖ ଟିଭି ଚ୍ୟାନେଲଗୁଡ଼ିକରେ ରାଜନୈତିକ ଆଲୋଚକ ଭାବରେ ମଧ୍ୟ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଛାତ୍ର ଜୀବନରୁ ନାଟକ ପ୍ରତି ପ୍ରବଳ ରୁଚି ରଖିଥିବା ସ୍ୱର୍ଗତ ଗୁରୁ ଆକାଶବାଣୀ ସମ୍ବଲପୁରର ଜଣେ ଏ-ଗ୍ରେଡ୍ ନାଟ୍ୟ କଳାକାର ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଜଣେ କର୍ମନିଷ୍ଠ, ସୁଦକ୍ଷ ତଥା ବରିଷ୍ଠ ସାମ୍ବାଦିକ ରଣଜିତ୍ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ରାଜ୍ୟର ସାମ୍ବାଦିକ ମହଲ ଗଭୀର ଶୋକପ୍ରକାଶ କରିଛି ।
ସ୍ୱର୍ଗତ ଗୁରୁଙ୍କ ପତ୍ନୀ ସୁନୀତା ତ୍ରିପାଠୀ ଏବେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଓଡ଼ିଆ ଅଧ୍ୟାପିକା ଅଛନ୍ତି ଏବଂ କନ୍ୟା କ୍ରାନ୍ତି ସ୍ୱାଗତିକା ବୁର୍ଲା ମେଡିକାଲ କଲେଜରେ ସର୍ଜରୀରେ ପିଜି କରୁଛନ୍ତି ।
Comments are closed, but trackbacks and pingbacks are open.