ପଟ୍ଟନାୟିକିଆ ଟ୍ରିପଲ୍ ମର୍ଡର୍ ମାମଲା: ଆଉ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ବହୁଚର୍ଚ୍ଚିତ ପଟ୍ଟନାୟିକିଆ ଟ୍ରିପଲ୍ ମର୍ଡର୍ ମାମଲାରେ ପୁଲିସ ୧୫ ଦିନ ପରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ, ମୃତକଙ୍କ ଗାଁ ତଥା ସତ୍ୟବାଦୀ ଥାନା ଅଧୀନ ସଦାନନ୍ଦପୁର ଗ୍ରାମର ଏକା ଓରଫ ମିଟୁ ବେହେରା (୨୨) ଓ ଜୋକର ଓରଫ ପୁନିଆ ବେହେରା (୨୩) । ସେମାନଙ୍କ ଠାରୁ ଗୋଟିଏ ଲେଖାଏଁ ଖଣ୍ଡା ଓ ଲୁହା ରଡ ଜବତ କରାଯାଇଛି । ଫେରାର ଥିବା ୭ ଜଣଙ୍କ ମଧ୍ୟରୁ ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି । ମାମଲାରେ ଆଉ ୫ ଜଣ ଏବେବି ଫେରାର ଅଛନ୍ତି । ଏହି ମାମଲାର ତଦନ୍ତ ଚାଲିଥିବାବେଳେ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ ନଚେତ୍ କମିପାରେ ବୋଲି ରବିବାର ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଉମାଶଙ୍କର ଦାଶ କହିଛନ୍ତି ।
ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ । ୧୬ ତାରିଖ ଦିନ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗିରଫ ହୋଇଥିବାବେଳେ ଅନ୍ୟମାନେ ଫେରାର ଥିଲେ । ରବିବାର ଗିରଫ ହୋଇଥିବା ଆଉ ୨ ଜଣ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି । ୩ ଭାଇଙ୍କୁ ଏକା ଓ ପୁନିଆ ହାଣିଥିବା ସିସିଟିଭିରୁ ଜଣାପଡୁଥିବା କହିଛନ୍ତି ଏସ୍ପି । ସିସିଟିଭି ଯାଞ୍ଚବେଳେ ହତ୍ୟା ସମୟରେ ୬ ଜଣ ଉପସ୍ଥିତ ଥିବା ଜଣାପଡୁଛି ବୋଲି ପୁଲିସ କହିଛି । ସେମାନଙ୍କ ମଧ୍ୟରୁ ଏକା ଓ ପୁନିଆ ସହ ଆଉ ଜଣେ ଅଭିଯୁକ୍ତ ରବିନ୍ଦ୍ର ବେହେରା ଜଣାପଡୁଥିବାବେଳେ ଅନ୍ୟମାନଙ୍କୁ ଚିହ୍ନିବା କଷ୍ଟ ହେଉଛି ବୋଲି ଏସ୍ପି କହିଛନ୍ତି ।
ଅଭିଯୁକ୍ତମାନେ ଫେରାର୍ ରହି ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ଏନେଇ ଆମକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏ ସମ୍ପର୍କରେ ଗତ ୧୮ ତାରିଖରେ ‘୭ ଅଭିଯୁକ୍ତ ଜଙ୍ଗଲରେ’ ବୋଲି ଏକ ଖବର ପ୍ରକାଶ ପାଇଥିଲା । ଏହାପରେ ଏସ୍ପିଙ୍କ ସ୍ପେଶାଲ୍ ସ୍କ୍ୱାର୍ଡ ଟିମ୍ ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ତପନ ରାଉତଙ୍କ ନେତୃତ୍ୱରେ ଆରମ୍ଭ କରିଥିଲେ ଅପରେସନ୍ । ଅଭିଯୁକ୍ତମାନେ ଜଙ୍ଗଲରେ କ୍ଷଣ କ୍ଷଣରେ ସ୍ଥାନ ପରିବର୍ତ୍ତନ କରୁଥିଲେ । ଏକାଠି ହୋଇ ରହୁ ନ ଥିଲେ । ବାହାରକୁ ଗଲେ କେଉଁଠି ଅଧିକ ସମୟ ନ ରହି ପୁଣି ଜଙ୍ଗଲକୁ ଫେରି ଆସୁଥିଲେ ବୋଲି ଏସ୍ପି କହିଛନ୍ତି । ରବିବାର ପୂର୍ବାହ୍ନରେ ଖବର ପାଇ ପଟ୍ଟନାୟିକିଆ ଛକ ନିକଟ ଏକ ଜଙ୍ଗଲରେ ଚଢଉ କରିଥିଲା ପୁଲିସ ଟିମ୍ । ସେଠାରୁ ଏହି ଦୁହିଁଙ୍କୁ ଗିରଫ କରିଥିବା ଏସ୍ପି ଶ୍ରୀ ଦାଶ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦୀର୍ଘ ୪୦ ବର୍ଷର ବିବାଦକୁ କେନ୍ଦ୍ର କରି ଗତ ୧୪ ତାରିଖରେ ସଦାନନ୍ଦପୁରର ତିନି ଭାଇ ପୂର୍ଣ୍ଣଚନ୍ଦ୍ର ବେହେରା (୪୦), କୃଷ୍ଣ ବେହେରା (୩୫) ଓ ପଞ୍ଚୁଆ ବେହେରା (୪୨)ଙ୍କୁ ସେହି ଗ୍ରାମର ଅଭିଯୁକ୍ତମାନେ ହତ୍ୟା କରିଥିଲେ । ପୁରୀ-ଭୁବନେଶ୍ୱର ରାସ୍ତାର ପଟ୍ଟନାୟିକିଆ ଛକରେ ୮ ଜଣ ମିଶି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ୫ ଜଣ ଷଡଯନ୍ତ୍ରକାରୀ ଥିବାବେଳେ ମୋଟ ୧୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମୃତକଙ୍କ ପୁତୁରା ପ୍ରଶାନ୍ତ ବେହେରା ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଦଫା ୧୪୭, ୧୪୮, ୩୪୧, ୩୦୨, ୧୪୯ ଆଇପିସି ବଳରେ ମାମଲା (୧୧୪/୧୯) ରୁଜୁ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons