କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ପଟ୍ଟାମୁଣ୍ଡାଇ ସହରାଞ୍ଚଳର ରବିନା ଖାତୁନ୍ ନାମ୍ନୀ ଜଣେ ମୁସଲିମ୍ ମହିଳାଙ୍କୁ ସ୍ୱାମୀ ଅବୁସୁଫିଆନ୍ ଖାନ୍ ଫୋନ୍ରେ ତିନି ଥର ତଲାକ୍ କହି ଦୂରେଇ ଦେଇଥିବା କଥା ଗତକାଲି ଲୋକଲୋଚନକୁ ଆସିଥିଲା । ଆଜି ଉକ୍ତ ମାମଲାରେ ନୂଆ ମୋଡ଼ ଆସିଛି । ଅଭିଯୋଗକାରିଣୀ ମହିଳା ଗଣମାଧ୍ୟମ ଆଗରେ ତିନି ତଲାକ୍ କଥା କହିଥିଲେ ହେଁ ଏତଲାରେ ତାହା ନ ଲେଖି ଶାଶୂଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ବାଢ଼ିଥିଲେ । ଏନେଇ ସେ ଥାନାରେ ଲିଖିତ ଅଭିଯୋଗପତ୍ର ଦାଖଲ କରିବା ପରେ ପୁଲିସ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଂସଦରେ ତିନି ତଲାକ୍ ବିଲ୍ ମଞ୍ଜୁର ହେବା ପରେ ଏହା କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଘଟଣା ହୋଇଥିବା ବେଳେ ସୁପ୍ରିମ୍ କୋର୍ଟ ତିନି ତଲାକ୍କୁ ଅସିଦ୍ଧ ଘୋଷଣା କରିବା ପରେ କେନ୍ଦ୍ରାପଡ଼ାରେ ଏହା ତୃତୀୟ ମାମଲା ବୋଲି କୁହାଯାଉଛି ।
ରୁବିନା ନିଜ ଏତଲାରେ ଦର୍ଶାଇଛନ୍ତି, ସେ ପଟ୍ଟାମୁଣ୍ଡାଇ ସହରର ଅବୁସୁଫିଆନ ଖାନ୍ଙ୍କ ସହ ୫ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଗଲା ଦେଢ଼ ବର୍ଷ ତଳେ ଆନୁଷ୍ଠାନିକ ଭାବେ ବିବାହ କରିଥିଲେ । ୨୦୧୮ ଫେବ୍ରୁଆରୀ ୯ ତାରିଖରେ ଉଭୟ ନୋଟାରିଙ୍କ ନିକଟରେ ଆଇନାନୁସାରେ ବିବାହ କରିଥିଲେ । ଅବୁସୁଫିଆନ ହାଇଦ୍ରାବାଦରେ କାମ କରୁଥିବାରୁ ପରେ ରୁବିନାଙ୍କୁ ନେଇ ସେଠାରେ ରଖିଥିଲେ । ସେଠାରେ ରହୁଥିବା ବେଳେ ରୁବିନା ଗର୍ଭବତୀ ହୋଇଥିଲେ । ୩ ମାସ ଗର୍ଭବତୀ ଥିବା ସମୟରେ ଶରୀର ଅସୁସ୍ଥ ହେବାରୁ ସ୍ୱାମୀ ତାଙ୍କୁ ସେଠାରୁ ଆଣି ତାଙ୍କ ଶ୍ୱଶୁର ଘରେ ରଖିଥିଲେ । ଅବୁସୁଫିଆନ କିଛିଦିନ ରହିବା ପରେ ପୁଣି ତାଙ୍କର କର୍ମସ୍ଥଳ ହାଇଦ୍ରାବାଦକୁ ପଳାଇଥିଲେ । ଏହି ସମୟରେ ଅର୍ଥାତ ୨୦୧୮ ସେପ୍ଟେମ୍ୱର ୨୫ରେ କେନ୍ଦ୍ରାପଡ଼ା ଜିଲ୍ଲା କାଜିଙ୍କ ଦ୍ୱାରା ଇସ୍ଲାମ ଆଇନ୍ ଅନୁସାରେ ମଧ୍ୟ ସେମାନଙ୍କ ବିବାହ ପଞ୍ଜିକୃତ ହୋଇଥିଲା । ତେବେ ନିକାହ (ବିବାହ ପଞ୍ଜିକରଣ) ହେବା ପରେ ଶାଶୂ, ଶ୍ୱଶୂର ତାଙ୍କ ଚିକିତ୍ସା ନକରି ଗାଳିଗୁଲଜ କରି ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ସନ୍ତାନ ପ୍ରସବ ପରେ ତାଙ୍କୁ ଆସିବାକୁ କହିଥିଲେ । ରୁବିନା ଘରକୁ ଯାଇ ଚିକିତ୍ସା କରାଇଥିଲେ । ସ୍ୱାମୀ ତାଙ୍କୁ କହିଥିଲେ ପୁନର୍ବାର ଶାଶୂଘରକୁ ଚାଲିଯିବାକୁ । ସ୍ୱାମୀଙ୍କ କଥାରେ ସେ ଶାଶୂ ଘରକୁ ଯାଇଥିଲେ ବି ସେମାନେ ତାଙ୍କୁ ଆଉ ଘରେ ପୂରାଇ ଦେଇନଥିଲେ । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏପରିକି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏକ ରଶି ଆଣି ତାଙ୍କୁ ଏକ ଘରେ ତାଲା ପକାଇ ରଖିବା ସହ ଗାଳିଗୁଲଜ କରି ଚରିତ୍ର ସଂହାର କରିଥିଲେ । ତାଙ୍କୁ ମାଡ଼ ମାରୁଥିବା ସମୟରେ ସେ ପାଟି କରିବାରୁ ଶ୍ୱଶୂର ତାଙ୍କ ପାଟିରେ କପଡ଼ା ପୂରାଇ ଦେଇଥିଲେ । ଏପରିକି ତାଙ୍କ ଗର୍ଭରେ ଥିବା ସନ୍ତାନକୁ ନଷ୍ଟ କରିବାକୁ ବି ଉଦ୍ୟମ କରିଥିଲେ । ସେମାନେ ତାଙ୍କୁ ମାରି ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟାର ରୂପେ ଦେବାକୁ ଯୋଜନା କରିଥିଲେ । ସଂଯୋଗ କ୍ରମେ ସେହି ଦିନ ତାଙ୍କ ମା’ତାଙ୍କ ଘରକୁ ଆସିଥିବାବେଳେ ଏହା ଜାଣିବାକୁ ପାଇଥିଲେ । ତାଙ୍କ ପାଟି ଶୁଣି ସେ ରୁବିନାଙ୍କୁ ମୁକ୍ତ କରିଥିଲେ । ପରେ ରୁବିନାଙ୍କ ମା’ ମୂମୂର୍ଷୁ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର ଘରକୁ ନେଇଆସିଥିଲେ । ପରେ କଥା ବସ୍ତି ସର୍ଦ୍ଦାଙ୍କ ପାଖକୁ ଯାଇଥିଲା । ଶ୍ୱଶୂର ଘର ଲୋକଙ୍କ ସହ ଆଲୋଚନା ସମୟରେ ସେମାନେ ତାଙ୍କଠାରୁ ଯୌତୁକ ଦାବି କରିଥିଲେ । ଯୌତୁକରେ ରୁବିନା କିଛି ଆଣିନଥିବାରୁ ଯୌତୁକ ବାବଦକୁ ସମସ୍ତ ଘରୋଇ ଉପକରଣ ସହ ନଗଦ ଲକ୍ଷେ ଟଙ୍କା ଆଣିବାକୁ ସେମାନେ ଦାବି କରିଥିଲେ । ପରେ ସ୍ୱାମୀ ଅବୁ ସୁଫିଆନ ମଧ୍ୟ ହାଇଦ୍ରାବାଦରୁ ତାଙ୍କୁ ଫୋନ୍ରେ ସେହି କଥା କହିଥିଲେ । ଶାଶୂ ଶ୍ୱଶୂରଙ୍କ କହିବା ମୁତାବକ ଯୌତୁକ ନଆଣିଲେ ସେ ତାଙ୍କୁ ଘରେ ରଖିବେନି କହିଥିଲେ । ଯୌତୁକ ଆଣିବାକୁ ସେ ବି ତାଙ୍କୁ ବାଧ୍ୟ କରିଥିଲେ । ସବୁଆଡ଼ୁ ନିରାଶ ହୋଇ ସେ ବାପଘରେ ତାଙ୍କର ୪ ମାସର ଶିଶୁକନ୍ୟା ସହ ରହିଆସୁଥିବା ଏତଲାରେ ଦର୍ଶାଇଥିଲେ । ମା’ ଝିଅ ବଡ଼ ଦୁଃଖକଷ୍ଟରେ ଥିବା ବେଳେ ସ୍ୱାମୀଙ୍କୁ ଯେତେ ନେହୁରା ହୋଇ କହିଥିଲେ ବି ସେ ଶୁଣୁନଥିବା ରୁବିନା ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀ ଗୁପ୍ତରେ ପଟ୍ଟାମୁଣ୍ଡାଇ ଥାନା ଦୋବନ୍ଧା ଗ୍ରାମର ଜଣେ ମହିଳାଙ୍କୁ ବିବାହ କରିବାକୁ ଉଦ୍ୟମ କରୁଥିବା ସେ ଚଳିତ ଅଗଷ୍ଟ ମାସ ୨ ତାରିଖରେ ଜାଣିବାକୁ ପାଇଥିଲେ । ଏହା ଜାଣି ତାଙ୍କ ପରିବାର ଲୋକ ଝିଅ ଘରକୁ ଯାଇ ସମସ୍ତ ଘଟଣା ବାବଦରେ ଅବଗତ କରିଥିଲେ କି ସେ କେମିତି ନିର୍ଯାତିତ ହୋଇଥିଲେ । ଏ ବାବଦରେ ଜାଣିବା ପରେ ଝିଅର ପରିବାର ଲୋକ ବିବାହ ସ୍ଥଗିତ ରଖିଛନ୍ତି ।
ନିଜ ଏତଲାରେ ରୁବିନା ତିନି ତଲାକ୍ କଥା କିଛି କହିନଥିଲେ ବି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିବାବେଳେ ସ୍ୱାମୀ ଅବୁସୁଫିଆନ ତାଙ୍କୁ ଫୋନ୍ରେ ୩ ଥର ତଲାକ୍ କହି ଦୂରେଇ ଦେଇଥିବା କହିଛନ୍ତି । ତେବେ ରୁବିନା ଏତଲାରେ ତିନି ତଲାକ କଥା ଦର୍ଶାଇନଥିବାରୁ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିବା କହିଛନ୍ତି ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ । ଭାରତୀୟ ପିଙ୍ଗଳ କୋଡ୍ର ଦଫା ୪୯୮-କ, ୩୦୭, ୩୪୨, ୨୯୪, ୩୪, ୪ ଡିପି ଆକ୍ଟରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିବା ଓ ପଚରାଉଚରା କରୁଥିବା କହିଛନ୍ତି ଥାନା ଆଇଆଇସି ।
Comments are closed, but trackbacks and pingbacks are open.