ନାକଟିଦେଉଳ,(ବି.ବି.ନୁ୍ୟଜ୍): ପଣସ ଖାଇବାକୁ ଆସି ଜୀବନ୍ତ ବିଦୁ୍ୟତ୍ ତାର କାମୁଡ଼ି ଦେବାରୁ ଏକ ଭାଲୁର ମୃତୁ୍ୟ ହୋଇଛି । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଜାମୁଯୋରୀ ପଞ୍ଚାୟତ ବିନ୍ଦପୁର ଗାଁରେ । ମୃତ ଭାଲୁର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ଜଣାପଡ଼ିଛି । ବିଦୁ୍ୟତ୍ ବିଭାଗର ଅବହେଳାରୁ ଭାଲୁର ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଥାଉ ବିନ୍ଦପୁର ଗାଁର ଢିପସାହିରେ ଥିବା ଏକ ପଣସ ଗଛକୁ ପାଚିଲା ପଣସ ଖାଇବା ପାଇଁ ଗତକାଲି ରାତିରେ ଏକ ଭାଲୁ ଆସିଥିଲା । ପଣସ ଖାଇବା ବେଳକୁ ସେହି ପଣସ ଗଛ ପାଖରେ ଝୁଲିରହିଥିବା ୧୧ କେଭି ବିଦୁ୍ୟତ୍ ତାରକୁ ପାଟିରେ କାମୁଡ଼ି ଦେଇଥିଲା । ବିଦୁ୍ୟତ୍ ଆଘାତରେ ଘଟଣାସ୍ଥଳରେ ହିଁ ଭାଲୁର ମୃତୁ୍ୟ ହୋଇଥିଲା । ଆଜି ସକାଳୁ ପଣସ ଗଛ ପାଖରେ ବିଦୁ୍ୟତ୍ ତାର କାମୁଡ଼ି ଭାଲୁ ମୃତ ଅବସ୍ଥାରେ ପଡ଼ିଥିବା ଗାଁର କିଛି ଲୋକ ଦେଖିବାକୁ ପାଇଥିଲେ । ବନ ବିଭାଗକୁ ଖବର ଦେବା ପରେ ନାକଟିଦେଉଳ ରେଞ୍ଜର୍ ଅଶ୍ୱିନୀ କୁମାର ବେହେରା, ଡିଏଫ୍ଓ ସଂଗ୍ରାମ୍ କେଶରୀ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ଭାଲୁର ମୃତ ଦେହ ଉଦ୍ଧାର କରି ଘଟଣାର ତଦନ୍ତ କରିଥିଲେ । ନାକଟିଦେଉଳ ପ୍ରାଣୀଧନ ଚିକତ୍ସାଧିକାରୀ ଡା. ଦେବାଶିଷ ପଣ୍ଡା ଭାଲୁର ଶବ ବ୍ୟବଚ୍ଛେଦ କରିଥିଲେ ।
ବିଦୁ୍ୟତ୍ ବିଭାଗର ଅବହେଳା ଯୋଗୁଁ ନାକଟିଦେଉଳ ବ୍ଲକ୍ର ବହୁ ସ୍ଥାନରେ କେଉଁଠି ବିଦୁ୍ୟତ୍ ତାର ଓହଳି ତଳକୁ ଝୁଲୁଛି ତ କେଉଁଠି ବିଦୁ୍ୟତ୍ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଯାହାଫଳରେ ବିଦୁ୍ୟତ୍ ଆଘାତରେ ବହୁ ସମୟରେ ଜୀବନ ଯାଉଛି । ଏହି ପଣସ ଗଛଠାରେ ବିଦୁ୍ୟତ୍ ତାର ଓହଳି ରହିଥିବା ନେଇ ଗ୍ରାମବାସୀ ସଂପୃକ୍ତ ବିଭାଗକୁ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.