ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ବ୍ରହ୍ମପୁର ସହର ହୋଇଛି ଅଶାନ୍ତ । ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଆଜି ସନ୍ଧ୍ୟାରେ ଘଣ୍ଟାଏ ଧରି ଦୁଇଗୋଷ୍ଠୀ ହାତାହାତି ହେବା ପରେ ଗୋଟିଏ ଗୋଷ୍ଠୀର ବାଇକ୍ ଭାଙ୍ଗିବା ସହ ଜାଳି ଦେଇଛନ୍ତି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ଘଟିଛି ଲଙ୍କାକାଣ୍ଡ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୋଷ୍ଠୀର ଅଭିଯୁକ୍ତଙ୍କୁ ଖୋଜା ଖୋଜି କରୁଛି । ଦୁଇ ଗୋଷ୍ଠୀ ମଧ୍ୟରେ କାହିଁକି ଗଣ୍ଡଗୋଳ ହେଲା ଏବଂ କେଉଁ ମାନେ ଏଥିରେ ସଂପୃକ୍ତ ରହିଛନ୍ତି ତଦନ୍ତ କରାଯାଉଛି ବୋଲି ଆଇଆଇସି ଶାରଦା ପ୍ରସନ୍ନ ଦାଶ କହିଛନ୍ତି । ଘଟଣା ପରେ ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ସାହି ଭିତରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କିଛି ଯୁବ ଗୋଷ୍ଠୀ ସାହିରେ ସବୁ ବେଳେ ଗଣ୍ଡଗୋଳ କରୁଥିବା ଅଭିଯୋଗ ଆଣିଛନ୍ତି । ପୁଲିସ ଏହି ଘଟଣାକୁ ଗୁରୁତ୍ୱ ସହ ନେଇ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ସ୍ଥାନୀୟ ଅଞ୍ଚଳରେ ଗୋଟିଏ ସେକ୍ସନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଆଇଆଇସି ଦାଶ କହିଛନ୍ତି । ସଂପୃକ୍ତ ମାମଲାରେ ପୁଲିସ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତକାଲି ଜଣେ ଛାତ୍ରଙ୍କୁ ପଣ୍ଡା କଲୋନୀରେ ରହୁଥିବା ଜଣେ ଯୁବକ କୌଣସି ଏକ କାରଣକୁ ନେଇ ମାଡ଼ ମାରିଥିଲେ । ସେ ପୂର୍ବରୁ ମଧ୍ୟ ବହୁବାର ଉକ୍ତ ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ତେବେ ଆଜି ସନ୍ଧ୍ୟାରେ ଛାତ୍ରଙ୍କ ପକ୍ଷରୁ କିଛି ଲୋକ ୫ଟି ବାଇକ୍ରେ ପଣ୍ଡା କଲୋନୀ ଆସି ଉକ୍ତ ଯୁବକଙ୍କୁ କାହିଁକି ସବୁ ବେଳେ ମାଡ଼ ମାରୁଛ ବୋଲି ପଚାରୁଥିଲେ । ଦୁଇ ଗୋଷ୍ଠୀ ଭିତରେ ପାଟିତୁଣ୍ଡ ହୋଇଥିଲା ଏବଂ ପରେ ହାତାହାତି ହୋଇଥିଲା । ଗଣ୍ଡଗୋଳରେ ବାହାରୁ ଆସିଥିବା ଯୁବକମାନେ ଗାଡ଼ି ଛାଡ଼ି ପଳାଇଥିଲେ । ଅନ୍ୟଗୋଷ୍ଠୀ ସେମାନଙ୍କ ବାଇକ୍କୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ଗୋଟିଏ ଗାଡି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଅନ୍ୟ ଗାଡ଼ି ନିଆଁ ଲାଗିଥିବା ବେଳେ ଲିଭାଯାଇଛି । ସମସ୍ତ ଗାଡ଼ି ଭାଙ୍ଗି ଚୁରମାର୍ ହୋଇଛି । ସାହି ଭିତରେ ଏଭଳି କାଣ୍ଡକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ପୁଲିସ ଦୁଇଟି ଟିମ୍ କରିଥିବା ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି କହିଛନ୍ତି । ବ।।ରୁ କିଛି ଯୁବକ ପଣ୍ଡା କଲୋନୀ ଆସିଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଛି । ଏଥିରେ କିଏ ଆହତ ହୋଇଛନ୍ତି ଜଣାପଡ଼ି ନାହିଁ । ଅଭିଯୋଗ ଆସିବା ପରେ ଘଟଣା କ’ଣ ହୋଇଛି ଜଣାପଡ଼ିବ ବୋଲି ସେ କହିଛନ୍ତି । ତେବେ ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଥିବା ସେ କହିଛନ୍ତି ।
Comments are closed, but trackbacks and pingbacks are open.