କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଶନିବାର ସ୍ୱାମୀର ଭୁଜାଲି ଆକ୍ରମଣରେ ପତ୍ନୀର ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ପଣ୍ଡାପଡ଼ା ଥାନା ଜଙ୍ଘିରା ଗ୍ରାମର ସ୍ୱର୍ଗତ ହୃଦାନନ୍ଦ ବେଜ୍ଙ୍କ ଝିଅ ସରସ୍ୱତୀ (୨୮) । ଘଟଣା ପରେ ମୃତକ ପରିବାର ସଦର ଥାନାରେ ସ୍ୱାମୀ ଜିତେଶ୍ କୁମାର ବାରିକ ଓ ତାଙ୍କର ଦୁଇ ମା’ଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି । ପୁଲିସ ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସମୟରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।
ମୃତ ସରସ୍ୱତୀଙ୍କ ବଡ଼ବାପା ପୁଅ ଭାଇ ସୁମନଙ୍କ କହିବାନୁସାରେ, ୨୦୧୦ରେ ଜିତେଶ୍ଙ୍କ ସହ ତାଙ୍କର ଭଉଣୀରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଦୁଇ ପରିବାର ମଧ୍ୟରେ ଆଲୋଚନା ପରେ ମନ୍ଦିରରେ ସେମାନଙ୍କ ବିବାହ ହୋଇଥିଲା । ବେଶ୍ କିଛିଦିନ ଦାମ୍ପତ୍ୟ ଜୀବନ ଭଲରେ କଟିବା ପରେ ସରସ୍ୱତୀ ଉପରେ ସନେ୍ଦହ କରି ଜିତେଶ୍ ଓ ତାଙ୍କର ଦୁଇ ମା’ ନିର୍ଯାତନା ଦେଇ ଆସୁଥିଲେ । ଇତିମଧ୍ୟରେ ତାଙ୍କ ଭଉଣୀ ଦୁଇ କନ୍ୟା ସନ୍ତାନର ଜନନୀ ମଧ୍ୟ ହୋଇଥିଲା । ବଡ଼ଝିଅ ୮ ବର୍ଷର ହୋଇଥିବା ବେଳେ ସାନଝିଅ ୩ ବର୍ଷର ।
ଜିତେଶ୍ର ଏକ ସେଲୁନ୍ ସ୍ପଞ୍ଜ ଛକରେ ଥିଲା । ମାତ୍ର ତାହା ବନ୍ଦ ହୋଇଯିବାରୁ ସେମାନେ ତାକୁ ନେଇ ଜଙ୍ଘିରାରେ ଏକ ଦୋକାନ କରି ଦେଇଥିଲେ । ହେଲେ ଦୋକାନ ଚଳାଇବାରେ ଅକ୍ଷମ ହେବାରୁ ଜିତେଶ ଘରକୁ ପଳାଇ ଆସିଥିଲା । କିଛିଦିନ ତଳେ ସ୍ୱରସ୍ୱତୀକୁ ପିଟାପିଟି କରିବାରୁ ସେ ବାପଘରକୁ ପିଲାମାନଙ୍କୁ ନେଇ ପଳାଇଥିଲା । ପରେ ଜିତେଶ ପହଞ୍ଚି ପତ୍ନୀକୁ ନେଇ ଯିବାକୁ ଚାହିଁଥିଲା । ପଣ୍ଡାପଡ଼ା ପୁଲିସ ହସ୍ତକ୍ଷେପ କରିବା ପରେ ଗୁରୁବାର ସାନଝିଅକୁ ଧରି ସରସ୍ୱତୀ ସ୍ୱାମୀ ସହ ଶାଶୂ ଘରକୁ ଆସିଥିଲା । ଶନିବାର ହାଣ୍ଡିଭଙ୍ଗା ଲୋକଙ୍କଠାରୁ ସୂଚନା ପାଇଥିଲେ ଯେ, ତାଙ୍କ ଭଉଣୀକୁ ଶାଶୂ ଘର ଲୋକେ ମାଡ଼ମାରି ଗୁରୁତର କରି ପକାଇଛନ୍ତି । ସେମାନେ ପହଞ୍ଚିବା ପରେ ଭଉଣୀର ମୃତଦେହ ଘର ନିକଟରେ ପଡ଼ିଥିବା ଦେଖିଥିଲେ । ଆମ୍ବୁଲାନ୍ସକୁ ଡାକି ସରସ୍ୱତୀକୁ ଡାକ୍ତରଖାନାକୁ ଆଣିଥିଲେ । କେନ୍ଦୁଝରରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.