ଚିତ୍ରଡ଼ା,(ବି.ବି.ନ୍ୟୁଜ୍): ସାମାନ୍ୟ ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀକୁ ପିଟିପିଟି ମାରିଦେଲା । ପରେ ସ୍ତ୍ରୀର ଶବକୁ ରାତିରେ ବୋହି ୯ଶହ ମିଟର ଦୂରରେ ଥିବା ଜଙ୍ଗଲରେ ଫିଙ୍ଗି ଦେଇ ଡାଳପତ୍ରରେ ଢାଙ୍କି ଦେଇଥିଲା । ମୋରଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସକାଳେ ଏହା ସ୍ଥାନୀୟ ଲୋକେ ଜାଣିବାକୁ ପାଇବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୋରଡ଼ା ଥାନା ଅନ୍ତର୍ଗତ ଜୁଆଳିଭଙ୍ଗା ଗ୍ରାମପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଲୋଧା ସାହି । ଲୋଧା ସାହି ବାସିନ୍ଦା ଜେନା ଭକ୍ତା (୩୦) ବର୍ଷେ ତଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଗୋଲାପିଙ୍କୁ ୍ରପ୍ରେମ ବିବାହ କରିଥିଲେ । ପତ୍ନୀ ଗୋଲାପିଙ୍କ ସହ ଦାମ୍ପତ୍ୟ ଜୀବନ ଠିକ୍ଠାକ ଚାଲିଥିଲା । ତେବେ ଗତକାଲି ରାତି ଗୋଲାପିଙ୍କ ପାଲଟିଥିଲା କାଳ ରାତି । ପତିପତ୍ନୀଙ୍କ ମଧ୍ୟରେ ସାମାନ୍ୟ ପାରିବାରିକ ବିବାଦକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଜେନା ଗୋଲାପିଙ୍କୁ ମାରପିଟ କରିଥିଲା । କ୍ରୋଧାନ୍ଧ ହୋଇ ପରିଶେଷରେ ଜେନା ଗୋଲାପୀଙ୍କୁ ପିଟି ମାରିଦେଇଥିଲା । ନିଜ ଅପରାଧକୁ ଲୁଚାଇବା ପାଇଁ ମୃତ ଶରୀରକୁ କାନ୍ଧରେ ବୋହି ନେଇ ନିକଟ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ଫେରିଆସିବା ପୂର୍ବରୁ ଶବ ଉପରେ ଡାଳପତ୍ର ପକାଇ ଲୁଚାଇ ଦେଇଥିଲା । ସକାଳେ ଗ୍ରାମବାସୀ ଗୋଲାପୀଙ୍କ ମୃତ ଶରୀର ଦେଖି ପୁଲିସକୁ ଖବର ଦେଇଥିଲେ । ମୋରଡ଼ା ଆଇଆଇସି ଯୋଗେନ୍ଦ୍ର ମଲ୍ଲିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଜେନାକୁ ଅଟକ ରଖି ପଚରାଉଚରା ଚଳାଇଛି । ସାଇଣ୍ଟିଫିକ୍ ଟିମ୍ ତଦନ୍ତରେ ସହଯୋଗ କରିଛି । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ ସହ ବ୍ୟବଚ୍ଛଦ ପାଇଁ ବାରିପଦା ପଠାଯାଇଛି । ମୋରଡ଼ା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ପ୍ରକାଶ ଥାଉକି, ଲୋଧା ସମ୍ପ୍ରଦାୟର ଜେନା ଭକ୍ତା ନିଜ ଗ୍ରାମରେ ବେଶି ଦିନ ନ ରହି ଜିଲ୍ଲା ବାହାରେ ଶ୍ରମିକ ଭାବେ କାମ କରେ । ପୂର୍ବରୁ ସେ ବିଜଲି ଭକ୍ତାଙ୍କୁ ବିବାହ କରି ଦୁଇବର୍ଷ ତଳେ ଛାଡ଼ପତ୍ର ଦେଇଥିଲା ।
Comments are closed, but trackbacks and pingbacks are open.