ପତ୍ନୀଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କିଛିଦିନ ତଳେ ବାପ ଘରକୁ ଯାଇଥିବା ପତ୍ନୀଙ୍କୁ ସାଙ୍ଗରେ ଧରି ଶ୍ୱଶୁର ଘରୁ ସ୍କୁଟିରେ ଫେରୁଥିଲେ ସ୍ୱାମୀ । ମନ ଖୁସିରେ ଦମ୍ପତ୍ତି ଘରକୁ ଫେରୁଥିଲେ । ହେଲେ ରାସ୍ତାରେ ଘଟିଲା ଦୁର୍ଘଟଣା । ସ୍କୁଟିରୁ ତଳକୁ ଛିଟିକି ପଡିଲେ ପତ୍ନୀ । ହଠାତ୍ ତାଙ୍କ ମୁଣ୍ଡ ଉପରେ ଚଢିଗଲା ୧୨ ଚକିଆ ଟ୍ରକ ଚକ । ଫଳରେ ଘଟଣା ସ୍ଥଳରେ ପତ୍ନୀଙ୍କ ମୃତୁ୍ୟ ଘଟିଲା । ହେଲେ ମୁହୂର୍ତ୍ତକ ପାଇଁ କିଛି ବୁଝି ପାରିନଥିଲେ ଅଳ୍ପକେ ବର୍ତ୍ତିଯାଇଥିବା ପତି । ପତ୍ନୀଙ୍କ କ୍ଷତ ବିକ୍ଷତ ମୁଣ୍ଡ ଯୁକ୍ତ ମୃତ ଶରୀରକୁ କୋଳରେ ଧରି ନିସ୍ତବ୍ଧ ହୋଇ ଅନାଇ ରହିଥିଲେ । ଶୁକ୍ରବାର ଏଭଳି ଏକ ହୃଦୟ ବିଦାରକ ରାସ୍ତା ଦୁର୍ଘଟଣା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର,ଝୁମ୍ପୁରା ଥାନା ୨୦ ନଂ ଜାତୀୟ ରାଜପଥର ଅର୍ଶଳା ପେଟ୍ରୋଲ ପମ୍ପ ସମ୍ମୁଖରେ । ଦୁର୍ଘଟଣା ଫଳରେ ମାସକ ତଳେ ବାହା ହୋଇଥିବା ନୟାଧନୁର୍ଜୟପୁର ପଞ୍ଚାୟତ, ତିନିଚତିରିଆ ଗ୍ରାମର ସନାତନ ନାଏକଙ୍କ ସ୍ତ୍ରୀ ଦୀପାଳି ନାଏକ(୨୧)ଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି ।
କିଛିଦିନ ତଳେ ଦୀପାଳି ତାଙ୍କ ବାପ ଘର ନାରଦପୁର ଯାଇଥିବାବେଳେ ସନାତନ ଡାକିବା ପାଇଁ ଯିବାରୁ ଶୁକ୍ରବାର ପିଠା,ପଣା ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଧରି ଅତି ସରାଗରେ ଶ୍ୱଶୁର ଘର ତିନିଚତିରିଆ ଅଭିମୁଖେ ଯାଉଥିଲେ । ମଧ୍ୟାହ୍ନରେ ଓଡି୦୯କେ ୭୮୫୮ ନମ୍ବର ବିଶିଷ୍ଟ ଏକ ସ୍କୁଟିରେ ଉଭୟ ପତିପତ୍ନୀ ୨୦ ନଂ ଜାତୀୟ ରାଜପଥରେ ଝୁମ୍ପୁରା ଅଭିମୁଖେ ଯାଉଥିବା ସମୟରେ ଦିନ ଗୋଟାଏ ପାଖାପାଖିରେ ଅର୍ଶଳା ପେଟ୍ରାଲ ପମ୍ପ ନିକଟରେ କୌଣସି କାରଣରୁ ଦୁର୍ଘଟଣା ଗ୍ରସ୍ତ ହେବାରୁ ଦ୍ରୁତ ଗତିରେ ଆସୁଥିବା ଓଡି୦୯ଜି ୫୩୦୮ ନମ୍ବର ବିଶିଷ୍ଟ ଏକ ୧୨ ଚକିଆ ଟ୍ରକ ସ୍କୁଟିରୁ ତଳେ ପଡିଯାଇଥିବା ଦୀପାଳିଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଟ୍ରକ ଚକ ଚଢିଯିବାରୁ ଦୀପାଳିଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଛତୁ ଫୁଟିଯାଇଥିବାବେଳେ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା । ହେଲେ ସ୍କୁଟିରୁ ପଡିଯାଇଥିବା ପତି ସନାତନ ଅଳ୍ପକେ ବର୍ତ୍ତିଯାଇଥିଲେ । ମାତ୍ର କିଛି ମୁହୂର୍ତ୍ତରେ ସବୁକିଛି ଓଲଟ ପାଲଟ ହୋଇଯିବ ବୋଲି ଭାବି ପାରିନଥିବାବେଳେ କିଂ କର୍ତ୍ତବ୍ୟ ବିମୂଢ ହୋଇ ପତ୍ନୀଙ୍କ ମୃତ ଶରୀରକୁ ନିଜ କୋଳରେ ଜାକି ଧରି ବଲ ବଲ କରି ଅନାଇ ରହିଥିଲେ । ଏହି ସ୍ପର୍ଶ କାତର ଘଟଣା ଦେଖି ଦେଖାଣାହାରୀଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ଖବର ପାଇ ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାସ୍ଥଳରୁ ଅଳ୍ପଦୂରରେ ଟ୍ରକଟିକୁ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବାବେଳେ ଟ୍ରକଟିକୁ ପୁଲିସ ଜବତ କରିଛି । ଟ୍ରକ୍ଟି ପଛରୁ ଧକ୍କା ଦେବାରୁ ଦୀପାଳୀ ତଳେ ପଡ଼ିଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହୁଥିବାବେଳେ ଅନ୍ୟ କିଛି ଦେଖଣାହାରୀ କହୁଛନ୍ତି ଦୀପାଳୀ ତଳେ ପଡ଼ିଯିବାରୁ ଟ୍ରକ୍ଟି ମାଡ଼ିଯାଇଥିଲା । କାରଣ କିଛି ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ତଦନ୍ତ ପରେ ସତ୍ୟାସତ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି ।
ସନାତନ ନୟାଧନୁର୍ଜୟପୁର ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଦାୟିତ୍ୱରେ ରହିଥିବା ନରସିଂହ ନାଏକଙ୍କ ମଧ୍ୟମ ପୁତ୍ର । କୌଣସି ଏକ ଘରୋଇ କମ୍ପାନିରେ କାମ କରୁଥିବାବେଳେ ମାତ୍ର ମାସକ ତଳେ ନାରଦପୁର ଗ୍ରାମରେ ବିବାହ କରିଥିଲେ । ଏହି ଘଟଣା ପରେ ନାରଦପୁର ଏବଂ ତିନିଚତିରିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons