ପତ୍ନୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ପତ୍ନୀକୁ କିରାସିନ୍ ଢ଼ାଳି ଜାଳି ମାରିଦେବା ଅଭିଯୋଗରେ ମୋହନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଜଣକ ହେଉଛି ସ୍ଥାନୀୟ ଥାନା ଅଧୀନ ଗୋଠକେଳି ଗ୍ରାମର ମଧୁସୂଦନ ବେହେରା(୨୪) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ଘଟଣାର ଅଧିକା ତଦନ୍ତ ଚାଲିଥିବା ଥାନାଧିକାରୀ ସୁଜିତ୍ ନାୟକ ସୂଚନା ଦେଇଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗୋଠକେଳି ଗ୍ରାମର ମଧୁସୂଦନ ବେହେରା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ମାନୀନିଙ୍କୁ ୨୦୧୬ରେ ବୈଦିକ ରୀତିରେ ବିବାହ କରିଥିଲେ । ପ୍ରଥମ ବର୍ଷ ଏ ଦୁହେଁ ଖୁବ୍ ଖୁସିରେ ଅତିବାହିତ କରିଥିଲେ । ୨୦୧୭ରେ ମାନୀନି ଏକ ଝିଅକୁ ଜନ୍ମ ଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ସ୍ୱାମୀ ଏବଂ ଶାଶୂ ଘର ଲୋକଙ୍କ ନିର୍ଯାତନା । ପରେ ପୁଣି ୨୦୧୯ରେ ମାନୀନି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଭାବିଥିଲେ ପୁଅ ଜନ୍ମ ହେବା ପରେ ଶାଶୁ ଘର ଲୋକ ତାଙ୍କୁ ଆଦର କରିବେ । ହେଲେ ସେଭଳି କିଛି ହେବା ତ ଦୂରର କଥା ଓଲଟା ସେମାନେ ଅଧିକ ନିର୍ଯାତନା ଦେଇଥିଲେ । ମାନୀନି ଉପରେ ଶାଶୂ ଘର ଲୋକ ସନେ୍ଦହ କରି ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇ ଚାଲିଥିଲେ । ତେବେ ଗତ ୧୩ ତାରିଖରେ ନିର୍ଯାତନାର ସବୁ ସୀମା ଟପିଥିଲେ ସେମାନେ । ଅପରାହ୍ନରେ କିରୋସିନ୍ ଢାଳି ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ । ହେଲେ ଦରପୋଡ଼ା ଶରୀରକୁ କିଛି ସମୟ ଘରେ ପକାଇ ରଖିଥିଲେ ମଧ୍ୟ ଗାଁ ଲୋକଙ୍କ ସାମ୍ନାରେ ଧରାପଡ଼ିଯିବା ଭୟରେ ଶାଶୂ ଘର ଲୋକ ମାନୀନିକୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟଲକୁ ନେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ଭରତପୁର ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ମାନୀନିଙ୍କ ଶବ ବ୍ୟବଚ୍ଛେଦ କରାଇଥିଲା । ମାନୀନିଙ୍କୁ ତାଙ୍କ ସ୍ୱାମୀ ମଧୁସୂଦନ, ଶ୍ୱଶୁର କୈଳାଶ, ଶାଶୂରତନୀ, ଯା’ସୁନା, ଦିଅର ଜାରା ଏବଂ ନଣନ୍ଦ ଜାସ୍କା ମିଶି ହତ୍ୟା କରିଥିବା ନେଇ ମାନୀନିଙ୍କ ଭାଇ କୁମୁଦ ନାୟକ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ ୬୮/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତେବେ ମଙ୍ଗଳବାର ଏହି ଘଟଣାରେ ମାନୀନିଙ୍କ ସ୍ୱାମୀ ମଧୁସୂଦନକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ମଧୁସୂଦନଙ୍କ ଦେହର କେତେକ ସ୍ଥାନରେ ନିଅାଁର ଝାସ ବାଜି ପୋଡ଼ି ଯାଇଥିବାରୁ ତାକୁ ଚିକିତ୍ସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons