ପଥରରେ ଛେଚି ପୋଖରୀରେ ଫିଙ୍ଗିଦେଲା

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ଗତ ୧୮ ତାରିଖ ବିଳମ୍ବିତ ରାତିରୁ ନିଖୋଜ ଥିବା ପାରାଦୀପ ନୂଆବଜାର ଅଞ୍ଚଳର ଇନୋଭା ଚାଳକ ଶରତ ଜେନା(୨୨)ଙ୍କ ମୃତଦେହ କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳର ଏକ ପୋଖରୀରୁ ଉଦ୍ଧାର କରିଛି ପୁଲିସ । ତ୍ରିକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଶରତଙ୍କୁ ପ୍ରଚୁର ମଦ ପିଆଇ ଚୌଦ୍ୱାର ପର୍ଯ୍ୟନ୍ତ ନେଇ ନିଶାଗ୍ରସ୍ତ ଅବସ୍ଥାରେ ପଥରରେ ତାଙ୍କ ମୁଣ୍ଡକୁ ଛେଚି, ମାରି ପୋଖରୀରେ ପକାଇ ଦିଆଯାଇଥିବା କୁହାଯାଉଛି । ଏହି ଜଘନ୍ୟ ହତ୍ୟା ଅଭିଯୋଗରେ ଇମାଉଦ୍ଧିନ୍ (୨୮)ନାମକ ଯୁବକକୁ ପାରାଦୀପ ଆଦର୍ଶ ଥାନା ପୁଲିସ ଗିରଫ କରିଛି ।
ମିଳିଥିବା ସୂଚନା ମୁତାବକ, ପାରାଦୀପ ଥାନା ଅଧୀନ ନୂଆବଜାରର ମଣିମନ୍ଦିର ବସ୍ତିର ସ୍ୱର୍ଗତ ରଞ୍ଜନ ଜେନାଙ୍କ ପୁଅ ଶରତ ଜେନା(୨୨) ସେହି ଅଞ୍ଚଳର ସଞ୍ଜୟ ସାହୁଙ୍କ ଇନୋଭା ଗାଡ଼ିରେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ସଞ୍ଜୟ ସାହୁଙ୍କ ଅନ୍ୟ ଏକ ଇନୋଭା ଚଳାଉଥିବା ରଘୁନାଥପୁର ଥାନା ଅଞ୍ଚଳର ଇମାଉଦ୍ଧିନ୍ (୨୮) ସହ ଶରତଙ୍କର ଶତ୍ରୁତା ସୃଷ୍ଟି ହୋଇଥିଲା । ପୁଲିସ କହିବା ମୁତାବକ, ଶରତ ଓ ଇମାଉଦ୍ଧିନ୍ ଉଭୟ ସେହି ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରେମ କରୁଥିବା ନେଇ ଖବର ଖେଳୁଥିଲା । ଏପରିକି ଉଭୟ ଉକ୍ତ ମହିଳାଙ୍କ ଘରକୁ ଯିବା ଆସିବା କରୁଥିବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିଲା । ମହିଳାଙ୍କ ସହ ଇମାଉଦ୍ଧିନ୍ଙ୍କ ସମ୍ପର୍କ ଥିବା ନେଇ ଶରତ ଚାରିଆଡେ଼ କହି ବୁଲୁଥିବାରୁ ଏ ଘଟଣାକୁ ନେଇ ଉଭୟଙ୍କ ଭିତରେ ଶତ୍ରୁତା ଆରମ୍ଭ ହୋଇଥିଲା । ଇମାଉଦ୍ଧିନ୍ ଦୀର୍ଘ ଦିନରୁ ଶରତଙ୍କ ଉପରେ ଭିତିରି ରାଗ ରଖିଥିଲା ଆଉ ମଉକା ଖୋଜୁଥିଲା ରାସ୍ତାରୁ ହଟାଇବା ପାଇଁ । ଗତ ୧୮ ତାରିଖ ବିଳମ୍ବିତ ରାତ୍ରିରେ ଶରତ ନିଜ ଘରେ ଶୋଇଥିଲା ବେଳେ ତାଙ୍କ ମୋବାଇଲକୁ ଏକ ଫୋନ୍ ଆସିଥିଲା ଓ ତା’ପରଠୁ ସେ ନିଖୋଜ ଥିଲେ । ଏ ନେଇ ଏକ ଅଭିଯୋଗ ପାରାଦୀପ ଥାନାରେ ହୋଇଥିଲା । ତେବେ ଗତ ୧୪ ତାରିଖରେ ଶରତ ଚଲାଉଥିବା ଇନୋଭା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ହୋଇଯାଇଥିଲା ଆଉ ସେହି ମୃତକଙ୍କ ପରିବାର ଲୋକ ହିଁ ଶରତଙ୍କୁ ଅପହରଣ କରିନେଇଥିବା ଖବର ଖେଳି ବୁଲୁଥିଲା । ତେବେ ଏହି ଖବର ଖେଳାଇବା ପଛରେ ଥିଲା ଇମାଉଦ୍ଧିନ । ସେ ଏହା କରି ପୁଲିସର ତଦନ୍ତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା ।
ମାତ୍ର ୧୮ ତାରିଖ ରାତିରେ ଶରତଙ୍କ ଫୋନ୍ ଲୋକେସନ୍ ଟ୍ରେସ୍ କରିବା ପରେ ପାରାଦୀପ ପୋର୍ଟ କ୍ଲବ୍ ପାଖାପାଖି ଶରତଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା । ସେଦିନ ରାତିରେ ଇମାଉଦ୍ଧିନ ଶରତଙ୍କୁ ଘରୁ ଫୋନ୍ରେ ଡ଼ାକି ନେଇଥିଲା । ଭୁବନେଶ୍ୱରରୁ ଆଣିଥିବା ମଦ ଶରତଙ୍କୁ ପିଆଇଥିଲା । ଶରତଙ୍କୁ ପ୍ରଚୁର ମଦ ପିଆଇବା ସହିତ ନିଜେ ଅଳ୍ପ ମଦ ପିଇ ଜୋରରେ ନିଶା ହୋଇଥିବା ଅଭିନୟ କରିଥିଲା । ଶରତ କିନ୍ତୁ ପ୍ରଚୁର ନିଶାରେ ଥିଲେ । ତା’ପରେ ଇମାଉଦ୍ଧିନ ନିଜେ ଚଲାଉଥିବା ଇନୋଭାରେ ଶରତଙ୍କୁ ନେଇ ପାରାଦୀପରୁ ବାହାରକୁ ପଳାଇଥିଲା । ପାରାଦୀପରୁ କଟକ ଓ ପରେ ଚୌଦ୍ୱାର ଅଞ୍ଚଳକୁ ନେଇଥିଲେ ହେଁ ଶରତ ଅତ୍ୟଧିକ ନିଶାରେ ଥିବାରୁ କିଛି ଜାଣିପାରୁ ନଥିଲେ । ଚୌଦ୍ୱାର ଡିହସାହି ଗ୍ରାମର ତାଳଗାଡ଼ିଆ ପୋଖରୀ କୂଳରେ ସେ ଗାଡ଼ି ରଖିଥିଲା । ଶରତଙ୍କୁ ଗାଡ଼ି ବାହାରକୁ ଆଣି ପଥରରେ ତାଙ୍କ ମୁଣ୍ଡକୁ ଛେଚି, ମୃତୁ୍ୟ ହୋଇଯିବା ପରେ ମୃତଦେହକୁ ଦଳ ଭର୍ତ୍ତି ପୋଖରୀରେ ପକାଇ ପଳାଇ ଆସିଥିଲା ଇମାଉଦ୍ଧିନ । ପାରାଦୀପ ପୁଲିସ ଇମାଉଦ୍ଧିନକୁ ଆଣି ପଚରାଉଚରା କରିବା ପରେ ସେ ସତ ମାନିଥିଲା ଓ ପୁଲିସ ତାକୁ ନେଇ ଘଟଣାସ୍ଥଳକୁ ଯାଇଥିଲା । ଆଜି ଶରତଙ୍କ ମୃତଦେହକୁ ଚୌଦ୍ୱାର ଥାନା ଅଞ୍ଚଳର ତାଳଗାଡ଼ିଆ ପୋଖରୀରୁ ଉଦ୍ଧାର କରିଥିଲା ପୁଲିସ । ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ । ଶରତଙ୍କ ମୁଣ୍ଡରେ ବଡ଼ କ୍ଷତ ଥିବା ଜଣାପଡ଼ିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି । ଅଭିଯୁକ୍ତ ଇମାଉଦ୍ଧିନକୁ ପୁଲିସ ନରହତ୍ୟା ଦଫାରେ ଗିରଫ କରିଥିବା ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons