ପଥର କ୍ୱାରି ନିକଟରେ ବିସ୍ଫୋରଣ, ଯୁବକ ମୃତ

Get real time updates directly on you device, subscribe now.

ଜୟପୁର, (ବି.ବି.ନୁ୍ୟଜ୍): ଆଜି ପୂର୍ବାହ୍ନରେ କୋଟପାଡ ବ୍ଲକ କୁସୁମୀ ଅଞ୍ଚଳର ଏକ ପଥର କ୍ୱାରି ନିକଟରେ ହୋଇଛି ବିସ୍ଫୋରଣ । ଏଥିରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତ ଶ୍ରମିକଙ୍କ ନାଁ ନିରଂଜନ ନାୟକ(୧୮) । ଘର ଚିତ୍ରା ପଞ୍ଚାୟତର ଖୁଟୁଗୁଡ଼ା ଗାଁରେ । ଆଶ୍ଚର୍ଯ୍ୟର ବିଷୟ, ମୃତ ଯୁବକଙ୍କ ବାପା ନରସିଂହ ନାୟକ କିମ୍ବା ଗାଁ ଲୋକେ ଏ ସଂପର୍କରେ ମୁହଁ ଖୋଲୁ ନାହାନ୍ତି । ତେଣୁ ଏହି ଘଟଣା ରହସ୍ୟାବୃତ୍ତ ହୋଇ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ହୋଇଥିଲା ଏହି ବିସ୍ଫୋରଣ । ଏଥିରେ ନିରଂଜନଙ୍କ ବାମ ହାତ କହୁଣୀ ପାଖରୁ ସଂପୂର୍ଣ୍ଣ କଟିଯାଇଥିଲା । କଟା ହାତ ଖଣ୍ଡକର ପତ୍ତା ମିଳୁନି । କ୍ୱାରିଠାରୁ ପ୍ରାୟ ୧୦୦ ମିଟର ଦୂରରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ନିରଞ୍ଜନ । ଖବର ପାଇ ସେଠାରେ ପହଞ୍ଚିଥିଲେ ଖୁଟୁଗୁଡ଼ା ଗ୍ରାମବାସୀ । ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ନଆସିବାରୁ ଅନ୍ୟ ଏକ ଗାଡ଼ିରେ ତାଙ୍କୁ ପ୍ରଥମେ କୁସୁମୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ନିରଞ୍ଜନଙ୍କୁ ଜୟପୁରରେ ଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗାଁର ଜଣେ ଯୁବକ ଏ ସଂପର୍କରେ ସଦର ଥାନାରେ ଜଣାଇଥିଲେ । କିନ୍ତୁ ଘଟଣାଟି କୋଟପାଡ଼ ଅଞ୍ଚଳରେ ଘଟିଥିବାରୁ ସଦର ଥାନା ପକ୍ଷରୁ କୋଟପାଡ ପୁଲିସ୍କୁ ଜଣାଇ ଦିଆଯାଇଥିଲା । କୋଟପାଡ଼ ପୁଲିସ୍ ସନ୍ଧ୍ୟାରେ ଖୁଟୁଗୁଡ଼ା ଗାଁ ସମତେ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଁ ଲୋକଙ୍କୁ ପଚରାଉଚରା କରିଥିଲା । କିନ୍ତୁ କେହିହେଲେ ଘଟଣା ସମ୍ପର୍କରେ ମୁହଁ ଖୋଲିନଥିଲେ । ଏମିତିକି ନିରଞ୍ଜନଙ୍କ ହାତ କଟିଯାଇଥିଲା ଏବଂ ଦେହସାରା କ୍ଷତ ସୃଷ୍ଟି ହୋଇଥିଲେ ବି ତାଙ୍କ ବାପାମାଆ ଚୁପ୍ ରହିଥିଲେ । ଆଗରୁ ପୁଅର ପେଟରେ ଯନ୍ତ୍ରଣା ହେଉଥିଲା ବୋଲି ପୁଲିସ୍କୁ କହିଛନ୍ତି । ରାତି ହୋଇଯାଇଥିବାରୁ ଆଜି ଶବ ବ୍ୟବଚ୍ଛେଦ ହୋଇପାରିନି । ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି କୋଟପାଡ଼ ଥାନା ଆଇଆଇସି ଉଲ୍ଲାସୀ ମାଝି କହିଛନ୍ତି । ସେ କହିଛନ୍ତି, ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ବିସ୍ଫୋରଣ ଯୋଗୁ ନିରଞ୍ଜନଙ୍କ ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଉଛି । ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons