ଗଞ୍ଜାମ, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ା କ୍ୱାରୀରେ ପଥର ଚାପି ହୋଇ ୩ ଜଣ ଶ୍ରମିକଙ୍କ ଶୋଚନୀୟ ମୃତୁ୍ୟ । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ପଥର କ୍ୱାରୀରେ କାମ ଚାଲିଥିôବା ସମୟରେ ମଙ୍ଗଳବାର ଅପରାହ୍ନରେ କ୍ୱାରୀରୁ ପଥର ଧସି ଯାଇଥିଲା । ଘଟଣାସ୍ଥଳରେ ୨ ମହିଳା ଓ ଜଣେ ପୁରୁଷ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମର ପଙ୍କଜ ଦାସ (୧୯), ନମିତା ନାୟକ (୩୦) ଓ ଖଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମର ଭକ୍ତ ପରିଡ଼ା (୩୫) ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ଦୁର୍ଘଟଣା ଖବର ପାଇବା ତତ୍କ୍ଷଣାତ୍ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ଅତିରିକ୍ତ ତହସିଲଦାର ସୁନୀଳ କୁମାର ଟୁଡୁ, ଜନ୍ମେଜୟ ସାହୁ, ଏସ୍ଡିପିଓ ସୀମା ସ୍ୱାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଏସ୍ଆଇ ସୁନିଲ କୁମାର ପ୍ରଧାନ, ଏଏସ୍ଆଇ ରବୀନ୍ଦ୍ରନାଥ ପାଣିଗ୍ରାହି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୁଷୋତ୍ତମପୁର ଡାକ୍ତରଖାନା ପଠାଇବା ସହିତ ଏକ ଅପମୃତୁ୍ୟ ମାମଲା ୧୧/୨୦ ରୁଜୁ ହୋଇଛି । ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ।
ପୁଲିସ ସୂଚନା ଅନୁସାରେ ଭାଟକୁମରଡ଼ା ମୌଜା ଅନ୍ତର୍ଗତ ବାସୁଦେବ ସେଠୀ ବିଜ୍ଞାନ କଲେଜ ପଛପଟ ପଥର କ୍ୱାରୀରୁ ଖନନ କାର୍ଯ୍ୟରେ ୧୨ରୁ ଊଦ୍ଧ୍ୱର୍ ଶ୍ରମିକ ନିୟୋଜିତ ହୋଇଥିଲେ । ମଙ୍ଗଳବାର ଅପରାହ୍ନରେ ପାହାଡ଼ ଉପରେ ମୋରମ ଖୋଳୁଥିବା ସମୟରେ ହଠାତ୍ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ପାହାଡ଼ ଉପରୁ ଏକ ବିରାଟ ପଥର ଖସି ପଡ଼ିଥିଲା । କାମ କରୁଥିବା ୨ ମହିଳା ଓ ଜଣେ ପୁରୁଷ ଶ୍ରମିକଙ୍କ ଉପରେ ମାଡ଼ି ବସିଥିଲା ପଥର । ତଳେ ଚାପି ହୋଇ ତାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ଅନ୍ୟ ଶ୍ରମିକମାନେ ଏହା ଦେଖି ଚିକ୍ରାର କରିଥିଲେ, ଦୌଡ଼ି ଆସି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ସେତେବେଳକୁ ସେମାନଙ୍କ ମୃତୁ୍ୟ ହୋଇ ସାରିଥିଲା । ଚଳିତ ବର୍ଷ ପଥର ଖାଦାନ ଲିଜ୍ କୃପାସିନ୍ଧୁ ମୁଦୁଲିଙ୍କ ନାମରେ ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି ତହସିଲଦାର ଅରୁଣ କୁମାର ନାୟକ । କିନ୍ତୁ କୃପାସିନ୍ଧୁ ମୁଦୁଲି ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ- ଦୁର୍ଘଟଣା ଘଟିଥିବା ପାହାଡ଼ ଲିଜ୍ ସେ ନେଇନାହାନ୍ତି । ଏ ନେଇ ପୁଲିସ କହିଛି ଯେ ତଦନ୍ତ ପରେ ଲିଜ୍ଧାରୀ କିଏ ତାହା ସ୍ପଷ୍ଟ ହେବ । ଏହି ଘଟଣା ଭାଟକୁମରଡ଼ା ଓ ଭାବନ୍ଧ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।


Comments are closed, but trackbacks and pingbacks are open.